Posted inଖେଳ

ନାଡା ଅଧୀନକୁ ଆସିଲା ବିସିସିଆଇ: ଜାତୀୟ କ୍ରୀଡ଼ା ଫେଡେରେଶନ ହେବା ନେଇ ବାଟ ଫିଟିଲା

ନୂଆଦିଲ୍ଲୀ, ୧୦।୮(ପି.ଟି.)- ଦୀର୍ଘବର୍ଷ ଧରି ମନାକରି ଆସୁଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶେଷରେ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଅଧୀନକୁ ଆସିବାକୁ ରାଜି ହୋଇଛି। ବୋର୍ଡର ଏହି ନିଷ୍ପତ୍ତି ଐତିହାସିକ ସାବ୍ୟସ୍ତ ହୋଇଛି। ଫଳରେ ଅର୍ଥନୈତିକ ସ୍ବାଧୀନତା ସତ୍ତ୍ୱେ ସରକାରଙ୍କ ନିୟମ ଅନୁସାରେ ବିସିସିଆଇ ଏବେ ଜାତୀୟ ସ୍ପୋଟର୍‌ସ ଫେଡେରେଶନ(ଏନ୍‌ଏସ୍‌ଏଫ୍‌)ରେ ପରିଣତ ହେବାର ପଥ ପରିଷ୍କାର ହୋଇଛି।
ଶୁକ୍ରବାର କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା ଏବଂ ନାଡା ଡିଜି ନବିନ ଅଗ୍ରଓ୍ବାଲ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଓ କ୍ରିକେଟ ଅପରେଶନ ମୁଖ୍ୟ ସବା କରିମଙ୍କୁ ଭେଟିଥିଲେ। ବିସିସିଆଇ ଏବେ ନାଡ଼ା ଅଧୀନକୁ ଆସିଲା ଓ ଏ ନେଇ ବୋର୍ଡ ଲିଖିତ ଭାବେ ଅବଗତ କରାଇଛି। ଏଥିସହିତ ସବୁ କ୍ରିକେଟର ନାଡ଼ା ଦ୍ୱାରା ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଝୁଲନିୟା କହିଛନ୍ତି। ନାଡା ଅଧୀନକୁ ଆସି ବିସିସିଆଇ ଏବେ ସ୍ପୋଟର୍‌ସ ଫେଡେରେଶନରେ ପରିଣତ ହେବାର ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରିଛି। ଫଳରେ ଏହାର ପ୍ରଭାବ ଜବରଦସ୍ତ ରହିବ ବୋଲି ଆଶା କରାଯାଉଛି। ଏବେ ସରକାରଙ୍କ ସୂଚନା ଅଧିକାର ଆଇନ (ଆରଟିଆଇ)ର ଅଧୀନକୁ ଆସିବା ପାଇଁ ବିସିସିଆଇ ଆହୁରି ଅଧିକ ଚାପର ସମ୍ମୁଖୀନ ହେବ ବୋଲି ଆଶା କରାଯାଉଛି।
ବିସିସିଆଇ ୩ଟି ପ୍ରସଙ୍ଗ ଉପସ୍ଥାପନା କରିଥିଲା। ଡୋପ୍‌ ଟେଷ୍ଟିଂ କ୍ୱାଲିଟିର କିଟ୍‌, ପାଥୋଲୋଜିଷ୍ଟଙ୍କ ଦକ୍ଷତା ଓ ନମୁନା ବା ସାମ୍ପଲ ସଂଗ୍ରହ ନେଇ ବୋର୍ଡ ନିଜର ଚନ୍ତା ପ୍ରକଟ କରିଥିଲା। ଯେକୌଣସି ପ୍ରକାର ସୁବିଧାସୁଯୋଗ ଦେବାକୁ ଆମେ ବିସିସିଆଇକୁ ପ୍ରତିଶ୍ରୁତି ଦେଇଛୁ। ତେବେ ଏଥିପାଇଁ କିଛି ଅର୍ଥ ପୈଠ କରିବାକୁ ପଡିବ ବୋଲି ବୋର୍ଡକୁ ଅବଗତ କରାଇଛୁ ବୋଲି ଝୁଲନିୟା କହିଛନ୍ତି। ତେବେ ସବୁ ଏନଏସ୍‌ଏଫ୍‌ଗୁଡିକ ପାଇଁ ସମାନ ପ୍ରକାର ସୁବିଧାସୁଯୋଗ ରହିବ। ବିସିସିଆଇ ଏହାର ଊର୍ଦ୍ଧ୍ୱରେ ନୁହଁ। ସମସ୍ତଙ୍କୁ ଦେଶର ନିୟମ ମାନିବାକୁ ହେବ ବୋଲି ଝୁଲନିୟା ସ୍ପଷ୍ଟ କରିଛନ୍ତି।
ବିସିସିଆଇ ସବୁ ନିୟମକୁ ମାନିବ ବୋଲି ଜୋହରି କହିଛନ୍ତି। ଆମେ କେତୋଟି ବିଷୟ ଉପସ୍ଥାପନା କରିଥିଲୁ ଓ କ୍ରୀଡ଼ା ସଚିବ ତାହାକୁ ବିଚାରକୁ ନେବେ ବୋଲି କହିଛନ୍ତି। ଉଚ୍ଚମାନର ପରୀକ୍ଷା ପାଇଁ ଆମେ ଅଧିକ ଅର୍ଥ ଦେବାକୁ ରାଜି ବୋଲି ଜୋହରି କହିଛନ୍ତି। ବିସିସିଆଇ ପୂର୍ବରୁ ନାଡା ଅଧୀନକୁ ଆସିବାକୁ ଅମଙ୍ଗ ହେଉଥିଲା। ବୋର୍ଡ ନିଜକୁ ଏକ ସ୍ବୟଂଚାଳିତ ସଂସ୍ଥା ବୋଲି କହୁଥିଲା। କେବଳ ସେତିକି ନୁହଁ, ସରକାରଙ୍କ ପାଣ୍ଠି ଉପରେ ନିର୍ଭର କରୁ ନ ଥିବାର ବିସିସିଆଇ ଅନ୍ୟ ଜାତୀୟ ସ୍ପୋଟର୍‌ସ ଫେଡେରେଶନଠାରୁ ନଜକୁ ଭିନ୍ନ ମନେକରୁଥିଲା। ବୋର୍ଡ ସେତେବେଳେ ‘ହୋୟାର ଏବାଉଟ୍‌ କ୍ଲଜ୍‌’ ନେଇ ଆପତ୍ତି ଉଠାଇଥିଲା। ଆଉଟ ଅଫ୍‌ କମ୍ପିଟିଶନ ଟେଷ୍ଟ ବା ପ୍ରତିଯୋଗିତା ବାହାରେ ଯେକୌଣସି ସ୍ଥାନରେ ପରୀକ୍ଷା କରିବାର ନିୟମକୁ ବିସିସିଆଇ ସେତେବେଳେ ପସନ୍ଦ କରି ନ ଥିଲା। ଏହାଦ୍ୱାରା ପ୍ରାଇଭେସି ବା ବ୍ୟକ୍ତିଗତ ବ୍ୟାପାରରେ ହସ୍ତକ୍ଷେପ ହେବ ବୋଲି ଭାରତୀୟ କ୍ରିକେଟରମାନେ ନିଜର ଚିନ୍ତାବ୍ୟକ୍ତ କରିଥିଲେ।
ହୋୟାର ଏବାଉଟ୍‌ କ୍ଲଜ୍‌ରେ ଆଥଲେଟମାନେ ଏକ ଡିକ୍ଲାରେଶନ ଫର୍ମରେ ସ୍ବାକ୍ଷର କରିବେ। ଏହି ନିୟମ ଅନୁସାରେ ଖେଳାଳିମାନେ ବର୍ଷରେ ୩ଟି ସ୍ବତନ୍ତ୍ର ତାରିଖ ଜଣାଇବେ ଓ ଏହି ତାରିଖ ଅବସରରେ ଆଥଲେଟ୍‌ମାନେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିବେ ଓ ନାଡା ଦ୍ୱାର ଡୋପ୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ରହିଥିବେ। ଯାହା ଫଳରେ ନାଡାର ଡୋପ୍‌ କଣ୍ଟ୍ରୋଲ ଅଫିସର (ଡିସିଓ) ତାଙ୍କର ନମୁନା ନେଇପାରିବେ। ଯଦି କୌଣସି ଆଥଲେଟ୍‌ ଏହି ତାରିଖଗୁଡିକରେ ଉପସ୍ଥିତ ହେବାରେ ବିଫଳ ହେବେ ତାହାଲେ ସେମାନେ ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ନିୟମ ବା କୋଡ ଉଲ୍ଲଂଘନ କରିବା ଅଭିଯୋଗରେ ବାସନ୍ଦାଦେଶକୁ ନିମନ୍ତ୍ରଣ କରିବେ। ଏହାର ସଦ୍ୟତମ ଓ ଶ୍ରେଷ୍ଠ ଉଦାହରଣ ହେଉଛି ଓ୍ବେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ଏହି ନିୟମ ଉଲ୍ଲଂଘନ କରି ସେ ଜାମାଇକା ଆଣ୍ଟି-ଡୋପିଂ ଏଜେନ୍ସି ଦ୍ୱାରା ଗୋଟିଏ ବର୍ଷ ବାସନ୍ଦ ହୋଇଥିଲେ।
ଏ ପର୍ଯ୍ୟନ୍ତ ସ୍ବିଡେନ ସ୍ଥିତ ଅନ୍ତର୍ଜାତୀୟ ଡୋପ୍‌ ଟେଷ୍ଟିଂ ମ୍ୟାନେଜମେଣ୍ଟ (ଆଇଡିଟିଏମ୍‌) ଖେଳାଳିମାନଙ୍କ ନମୁନା ସଂଗ୍ରହ କରି ଜାତୀୟ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏ୍‌)ରେ ଦାଖଲ କରିଆସୁଛି। ଅବଶ୍ୟ ଆଇଡିଟିଏମ୍‌ ଏବେ ସ୍ବୀକୃତିପ୍ରାପ୍ତ ଏଜେନ୍ସି ହୋଇ ରହିନାହିଁ ବୋଲି ଝୁଲନିୟା କହିଛନ୍ତି।
ପୂର୍ବରୁ କ୍ରୀଡ଼ା ମନ୍ତ୍ରଣାଳୟ ବିସିସିଆଇ ନାଡା ଅଧୀନକୁ ଆସିବା ଉଚିତ୍‌ ବୋଲି କହିଆସୁଥିଲା ଓ ତା’ର ଏହି ଆଭିମୁଖ୍ୟକୁ ବାଜୟ ରଖିଥିଲା। ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଭାରତ ଗସ୍ତକୁ ମନ୍ତ୍ରଣାଳୟ ଅନୁମୋଦନ ନ କରିବା ଫଳରେ ନାଡା ଅଧୀନକୁ ଆସିବାକୁ ଓ ଆଣ୍ଟି ଡୋପିଂ ନିୟମକୁ ମାନିବାକୁ ବିସିସିଆଇ ଉପରେ ଚାପ ବଢିଥିଲା। ଏହା ଶେଷରେ କାମ ଦେଇଛି ବୋଲି ଧରିନେବାକୁ ହେବ। ବିସିସିଆଇ ନାଡା ଅଧୀନକୁ ଆସିବା ପରେ ଏ’ ସିରିଜ ଓ ମହିଳା ସିରିଜ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଛି। ଫଳରେ ଦୀର୍ଘ ୬ ମାସର ପ୍ରତୀକ୍ଷା ଶେଷ ହୋଇଛି।
ଗତ ମାର୍ଚ୍ଚରେ ବିସିସିଆଇ ନାଡା ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସହିତ ଏକ ସର୍ତ୍ତ ରଖି ତ୍ରିପାକ୍ଷିକ ଚୁକ୍ତିରେ ସ୍ବାକ୍ଷର କରିବାକୁ ରାଜି ହୋଇଥିଲା। ଏବେ ମନ୍ତ୍ରଣାଳୟର ଅନୁମତି ବିନା ବିସିସିଆଇ ସରକାରଙ୍କ କୌଣସି ସଂସ୍ଥା ସହ କିଛି ବି ଚୁକ୍ତି କରିପାରିବ ନାହିଁ ବୋଲି ଝୁଲନିୟା କହିଛନ୍ତି। ବିସିସିଆଇ ଏବେ ଆରଟିଆଇ ପରିସର ଭୁକ୍ତ ହେବା ନେଇ କୌଣସି ଆଲୋଚନା ହୋଇ ନାହିଁ ବୋଲି ଜୋହରି କହିଛନ୍ତି। ଏ ସଂକ୍ରାନ୍ତରେ ଆଗକୁ ଏକ ବୈପ୍ଳବିକ ପରିବର୍ତ୍ତନ ହେବ ଓ କ୍ରିକେଟ ଥଥା ଏହାର ପ୍ରଶାସନରେ ସ୍ବଚ୍ଛତା ବଢିବ ବୋଲି ଆଶା କରାଯାଉଛି॥


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ଭୁବନେଶ୍ବର,୨।୧: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଓଡ଼ିଶା...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri