ଆଜିର ଅର୍ଥନୀତି/ଅନୁବର୍ତ୍ତୀ ପଦକ୍ଷେପ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗତ ସପ୍ତାହରେ କର୍ପୋରେଟ୍‌ ଟିକସ ୨୨ ପ୍ରତିଶତକୁ ହ୍ରାସ କରିଛନ୍ତି, ଯାହା କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିତ୍ତ ବଜାର ଉଚ୍ଛ୍ବସିତ ସ୍ବାଗତ ଜଣାଇଛି। ସରକାର ଭାବିଲେ ଟିକସ ହ୍ରାସ ହେଲେ କମ୍ପାନୀଗୁଡ଼ିକ ଅଧିକ ପୁଞ୍ଜିନିବେଶ କରିପାରିବେ, ଯାହା ଫଳରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ। ଭାରତରେ କର୍ପୋରେଟ୍‌ ଟିକସ ହାରରେ ପରିବର୍ତ୍ତନ ଧୀରମନ୍ଥର ପ୍ରକ୍ରିୟାରେ ଘଟିଛି। ୧୯୯୧ ମସିହାରେ ଏହା ୪୫ ପ୍ରତିଶତ ଥିବା ବେଳେ ୨୦୧୯ରେ ୨୨ ପ୍ରତିଶତକୁ ଖସିଯାଇଛି, ଅର୍ଥାତ୍‌ ୨୮ ବର୍ଷରେ ଏହା ୫୧ ପ୍ରତିଶତ ହ୍ରାସ ପାଇଛି। ବ୍ୟକ୍ତିଗତ ଆୟକର ବିପରୀତ କ୍ରମେ ସମ୍ପୂର୍ଣ୍ଣ ଭିନ୍ନ ପଥ ନେଇଛି। ବ୍ୟକ୍ତିଗତ ଆୟକରର ସର୍ବୋଚ୍ଚ ହାର (ସରଚାର୍ଜ ଓ ସେସ୍‌ ବ୍ୟତୀତ) ୧୯୯୧ରେ ୫୦ ପ୍ରତିଶତ ଥିବାବେଳେ ମାତ୍ର ୬ ବର୍ଷରେ ଏହା ୪୦ ପ୍ରତିଶତ ହ୍ରାସ ପାଇ ୧୯୯୭ରେ ୩୦ ପ୍ରତିଶତକୁ ଖସିଆସିଛି। କିନ୍ତୁ ଏହି ସର୍ବୋଚ୍ଚ ହାର ସେବେଠାରୁ ଆଉ ହ୍ରାସ ନ ପାଇ ସେହି ସ୍ତରରେ ହିଁ ରହିଛି। ତା’ ସହ ଏହି ସମୟ ଭିତରେ ବିଭିନ୍ନ ସରଚାର୍ଜ ଓ ସେସ୍‌ ବି ଲାଗୁ ହୋଇଛି। ଯେଉଁ ଯୁକ୍ତି ଦର୍ଶାଇ କର୍ପୋରେଟ୍‌ ଟିକସ ହ୍ରାସ କରାଗଲା, ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ମଧ୍ୟ ସମାନ ଯୁକ୍ତି ପ୍ରଯୁଜ୍ୟ। ପ୍ରତ୍ୟକ୍ଷ କର ଉପରେ ନିଷ୍ପତ୍ତି ନେବା ପାଇଁ ଗଠିତ ଟାସ୍କ ଫୋର୍ସର ସୁପାରିସକୁ ସରକାର ବିଚାରକୁ ନେବେ ବୋଲି ଆଶା କରାଯାଏ। ଉକ୍ତ ଟାସ୍କ ଫୋର୍ସ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ବ୍ୟକ୍ତିଗତ ଆୟକର ହାର ଓ ସ୍ଲାବ୍‌ ହ୍ରାସ କରିବା ପାଇଁ ପ୍ରସ୍ତାବ ଦେଇଛି।
ଖାଉଟି ଚାହିଦା ବୃଦ୍ଧି କରିବା ପାଇଁ କର୍ପୋରେଟ୍‌ ଟିକସ ହ୍ରାସ କରିବା ପରେ ସରକାର ବ୍ୟକ୍ତିଗତ ଆୟକର ହ୍ରାସ କରିବାକୁ ଟାସ୍କଫୋର୍ସର ପ୍ରଦତ୍ତ ପ୍ରସ୍ତାବ ଉପରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଆୟକରରେ ଏକ ବଡ଼ ଧରଣର ହ୍ରାସ ଘଟିବା ସହ ଟିକସ ସ୍ଲାବ୍‌ରେ ବୃଦ୍ଧି ଘଟିପାରେ, ଯାହାଦ୍ୱାରା ଟିକସ ହ୍ରାସ ପାଇପାରେ। ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ମଧ୍ୟବିତ୍ତ ବର୍ଗ, ବିଶେଷତଃ ବେତନଭୋଗୀ କର୍ମଚାରୀମାନେ ସବୁଠାରୁ ଅଧିକ ଉପକୃତ ହେବେ। ଏହାଫଳରେ ସେମାନେ ଘରକୁ ନେଉଥିବା ଦରମା ପରିମାଣ ବୃଦ୍ଧି ପାଇବ ଏବଂ ସାମ୍ପ୍ରତିକ ମାନ୍ଦାବସ୍ଥା ଯୋଗୁ ସେମାନଙ୍କର ହ୍ରାସପ୍ରାପ୍ତ କ୍ରୟକ୍ଷମତାରେ ଉନ୍ନତି ଆସିବ। ବର୍ତ୍ତମାନ ରହିଥିବା ଛାଡ଼ସୀମା ୨.୫୦ ଲକ୍ଷ ଟଙ୍କାରୁ ସରକାର ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଭିତରେ ଆୟ କରୁଥିବା ଲୋକମାନେ ବର୍ତ୍ତମାନର ୨୦ ପ୍ରତିଶତ ବଦଳରେ ୧୦ ପ୍ରତିଶତ ଟିକସ ଦେବାକୁ ନିଷ୍ପତ୍ତି ନିଆଯାଇପାରେ। ୧୦ ଲକ୍ଷରୁ ୨୦ ଲକ୍ଷ ଭିତରେ ଆୟ କରୁଥିବା ଲୋକମାନଙ୍କ ପାଇଁ ଆୟକର ଦେୟ ୨୦ ପ୍ରତିଶତ ଧାର୍ଯ୍ୟ କରାଯାଇପାରେ। ୨୦ ଲକ୍ଷରୁ ୨ କୋଟି ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କ ପାଇଁ ୩୦ ପ୍ରତିଶତ ଏବଂ ତଦୂର୍ଦ୍ଧ୍ୱ ଆୟକାରୀଙ୍କ ପାଇଁ ୩୫ ପ୍ରତିଶତ ଆୟକର ଧାର୍ଯ୍ୟ କରାଯାଇପାରେ। ପୁନଶ୍ଚ ଆୟକର ଉପରେ ଲାଗୁଥିବା ବିଭିନ୍ନ ପ୍ରକାର ସର୍‌ଚାର୍ଜ ଓ ସେସ୍‌ ବ୍ୟବସ୍ଥା ମଧ୍ୟ ଉଠେଇ ଦିଆଯାଇପାରେ। ଆୟକର ହ୍ରାସ ପାଇଲେ ଅଧିକ ଲୋକ ଆୟକର ଦାଖଲ କରିବାକୁ ଉତ୍ସାହିତ ହୋଇପାରନ୍ତି ଏବଂ ଏହା ଅଧିକ ଲୋକଙ୍କୁ ଆୟକର ରିଟର୍ନ ଦାଖଲ କରିବା ପାଇଁ ଅନୁପ୍ରେରିତ କରିପାରେ।
ତେବେ ଆୟକର ହ୍ରାସ ପାଇଲେ ଯେ ଖାଉଟି ଚାହିଦା ବୃଦ୍ଧି ପାଇବ, ବିଶେଷତଃ ଏକ ମାନ୍ଦାବସ୍ଥା-ବାଧିତ ଅର୍ଥନୀତି କ୍ଷେତ୍ରରେ, ତାହା ନୁହେଁ। ଅର୍ଥନୈତିକ ଚଳଚଞ୍ଚଳତାରେ ପରିବର୍ତ୍ତନ ଅନେକ କାରକ ଉପରେ ନିର୍ଭର କରେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁସାରେ ଖାଉଟି ଚାହିଦା ବୃଦ୍ଧି କରିବା ପାଇଁ ହେଲେ ବ୍ୟାଙ୍କିଙ୍ଗ୍‌ ଓ ଅଣ-ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଅଭିବୃଦ୍ଧି ଆବଶ୍ୟକ। ତା’ ଛଡ଼ା ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟବୃଦ୍ଧି ଏବଂ ଶ୍ରମ ଆଇନ ଓ ଟିକସ ଧାର୍ଯ୍ୟ ଉପରେ ରଚନାତ୍ମକ ସଂସ୍କାର ସହ ଅନ୍ୟାନ୍ୟ ଆଇନଗତ ସଂସ୍କାରର ଆବଶ୍ୟକତା ରହିଛି। ହାତରେ ଅଧିକ ଟଙ୍କା ରହିଲେ ଯେ ଲୋକମାନେ ତାକୁ ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରିବାରେ ବିନିଯୋଗ କରିବେ ତାହା ନୁହେଁ। ଅର୍ଥନୈତିକ ମାନ୍ଦାବସ୍ଥା ସମୟରେ ଲୋକମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟେ। ସେମାନେ ହାତରେ ଟଙ୍କା ରଖି ମାପିଚୁପି ଖର୍ଚ୍ଚ କରିବାକୁ ଚାହାନ୍ତି। ଭବିଷ୍ୟତର ଆବଶ୍ୟକତାକୁ ନଜରରେ ରଖି ସେମାନେ ହିସାବ କରି ଖର୍ଚ୍ଚ କରନ୍ତି। ତଥାପି ବ୍ୟକ୍ତିଗତ ଆୟକର ସ୍ଲାବ୍‌ ହ୍ରାସ କରିବା ଏକ ଉତ୍ତମ ଅନୁବର୍ତ୍ତୀ (ଫଲୋ-ଅପ୍‌) ପଦକ୍ଷେପ ହେବ ଏବଂ ଆଗାମୀ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଏହା ଲୋକଙ୍କୁ ଅଧିକ ଜିନିଷ କ୍ରୟ କରିବା ପାଇଁ ଉତ୍ସାହିତ କରିବ, ଯାହା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ। ତେବେ ବର୍ତ୍ତମାନ ସବୁଠୁ ବଡ଼ ଆବଶ୍ୟକତା ହେଉଛି ରଚନାତ୍ମକ ସଂସ୍କାର ଆଣି ଉତ୍ପାଦକତା ବୃଦ୍ଧି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri