ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲାର ସ୍ନାତକୋତ୍ତର ଅର୍ଥନୀତି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର କୁତ୍ରାର ସୁରଜ କୁଜୁର(୨୨)। ସେ ସନ୍ଧ୍ୟାରେ ନିଜ କଠୋରୀରୁ ଆଦୌ ବାହାରି ନଥିବାରୁ ତାଙ୍କର କିଛି ସହପାଠୀ ଛାତ୍ରାବାସକୁ ଯାଇ ତାଙ୍କ କଠୋରୀରେ ଭିତରୁ ବନ୍ଦଥିବା କବାଟ ବାଡ଼େଇ ତାଙ୍କୁ ଡାକିଥିଲେ। ହେଲେ ଭିତରୁ କୌଣସି ଉତ୍ତର ନ ମିଳିବାରୁ ସହପାଠୀମାନେ କଠୋରୀର ସ୍କାଏଲାଇଟ ଫାଙ୍କରୁ ସୁରଜଙ୍କ ଶରୀର ପଙ୍ଖାରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ସେମାନେ ସଙ୍ଗେସଙ୍ଗେ ବିଶବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାତିରେ ଉକ୍ତ ଛାତ୍ରାବାସରେ ସେ ରହୁଥିବା କୋଠରୀର କବାଟ ଭାଙ୍ଗି ସୁରଜଙ୍କ ମୃତଦେହକୁ ଉଦ୍ଧାର କରିଛି। ଏହାସହ ସୁରଜଙ୍କ ପରିବାରକୁ ଖବର ଦେଇ ମୃତଦେହକୁ ଭିମସାରକୁ ପଠାଇଥିଲା। ତାଙ୍କ ପରିବାର ପହଞ୍ଚିଲା ପରେ ବୁଧବାର ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ହେବ। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ତେବେ ସେ ଉକ୍ତ କୋଠରୀରେ ଏକୁଟିଆ ରହୁଥିଲେ। କିଛିଦିନ ହେଲା ସେ ସେ ଚୁପଚାପ ରହୁଥିବା ବେଳେ ସହପାଠୀଙ୍କ ସହ ମଧ୍ୟ ବିଶେଷ କଥାବର୍ତ୍ତା କରୁ ନ ଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

