ଗଞ୍ଜାମ,୨୬ା୪(ବିଦ୍ୟାଧର ସାହୁ): କିଛି ଦିନର ନୀରବତା ପରେ ପୁଣି ଶିବ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୃତ୍ତ। ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ ସାନ ଗୋପାଳପୁର ଗ୍ରାମରେ ଥିବା ବାବା ମଲିକେଶ୍ୱର ମନ୍ଦିର ହୁଣ୍ଡିରୁ ଦୁର୍ବୃତ୍ତମାନେ ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଭିତରେ ପଶି ସେଠାରେ ଥିବା ହୁଣ୍ଡିକୁ ଭାଙ୍ଗି ଟଙ୍କା ଚୋରି କରିଛନ୍ତି। ରବିବାର ସକାଳୁ ପୂଜକ ଆସି ମନ୍ଦିର ଖୋଲିଲା ବେଳେ ତାଲା ଭାଙ୍ଗିଥିବା ଏବଂ ଜିନିଷ ସବୁ ଏଣେତେଣେ ପଡ଼ିରହିଥିବା ଦେଖି ସଙ୍ଗେ ସଙ୍ଗେ ମନ୍ଦିର ପରିଚାଳନା କମିଟି ସଦସ୍ୟମାନଙ୍କୁ ଡକାଇ ଥିଲେ ଏବଂ ସମସ୍ତେ ଆସିଲା ପରେ ଲିଖିତ ଆକାରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରମ୍ଭା ଥାନାରେ ଏତଲା ଦେଇଥିଲେ।
ପରେ ରମ୍ଭା ଥାନାଧିକାରୀ କୁମାର ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେହି ହୁଣ୍ଡିରେ ୨୦ ହଜାରରୁ ଅଧିକ ଟଙ୍କା ଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଖୁବ୍ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଧରାଯିବ ବୋଲି ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

