ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍ ପାଇ ନ ଥିଲେ ଲ୍ୟାମ୍ପସ ଶାଖା ପରିଚାଳକ, ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ଡିଆର୍ସିଏସ୍ କାର୍ଯ୍ୟାଳୟ। କିନ୍ତୁ ମାର୍ଚ୍ଚ ମାସରେ ହୋଇଥିବା ଅଡିଟ୍ରେ ବ୍ୟାଙ୍କ ମ୍ୟାନେଜରଙ୍କ କାରନାମା ପଦାରେ ପଡ଼ିଥିଲା ଏହାପରେ ବ୍ୟାଙ୍କ କର୍ତ୍ତୃପକ୍ଷ ମାଲକାନଗିରି ଥାନାରେ ଏତଲା ଦେଇଥିଲା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କୁ ତରବରିଆ ଭାବେ ନିଲମ୍ବନ କରାଯାଇଛି। ତେବେ ଏତେବଡ଼ ଦୁର୍ନୀତିରେ କେବଳ ଜଣେ ସଂପୃକ୍ତ ରହିଥିବା ବିଶ୍ୱାସ ହେଉନି। ତେଣୁ ଏକାଧିକଙ୍କ ସଂପୃକ୍ତି ସନ୍ଦେହରେ ଖୋଳତାଡ଼ ଆରମ୍ଭ ହୋଇଛି।
ମାଲକାନଗିରିସ୍ଥିତ କେସିସି ବ୍ୟାଙ୍କ ଅଧୀନରେ ପୋଟେରୁ ଓ ମାଲକାନଗିରି ଲ୍ୟାମ୍ପସ ରହିଛି। ତେଣୁ ଉଭୟ ଲ୍ୟାମ୍ପସ୍ରୁ ସଂଗୃହୀତ ଟଙ୍କା କେସିସି ବ୍ୟାଙ୍କରେ ଜମା କରାଯାଉଛି। ମାଲକାନଗିରି ଲ୍ୟାମ୍ପସ୍ର ଶାଖା ପରିଚାଳକ କିଛି ମାସ ତଳେ ୭୭ ଲକ୍ଷ ଟଙ୍କା ଲ୍ୟାମ୍ପସ ଆକାଉଣ୍ଟରେ ଜମା କରିବାକୁ ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରାଙ୍କୁ ଦେଇଥିଲେ। ବଦଳରେ ଖରା ଗୋଟିଏ ରସିଦ ଦେଇଥିଲେ ମଧ୍ୟ ଉକ୍ତ ଟଙ୍କା ଆକାଉଣ୍ଟରେ ଜମା କରି ନ ଥିଲେ।
ସେହିପରି ପୋଟେରୁ ଲ୍ୟାମ୍ପସ ଇନ୍ଚାର୍ଜ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୧୦ହଜାର ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୧ଲକ୍ଷ ୯୫ହଜାର ଟଙ୍କା କେସିସି ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଇଥିଲେ। ମୋଟ୍ ୧ କୋଟି ୭ଲକ୍ଷ ଟଙ୍କାର ହିସାବ ନ ଦେଇ ଖରା ହଡ଼ପ କରିଥିଲେ। ମାର୍ଚ୍ଚ ମାସରେ ଦୁଇଟି ଲ୍ୟାମ୍ପସ୍ର ଆକାଉଣ୍ଟ ଯାଞ୍ଚ କରିବାରୁ ମେଳ ଖାଇ ନ ଥିଲା। ଏହାପରେ ଡିଆର୍ସିଏସ୍ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଥିବା ଡିଆର୍ସିଏସ ଥିଓଫିଲ ଶବର ସୂଚନା ଦେଇଛନ୍ତି। ସେହିପରି କେସିସି ବ୍ୟାଙ୍କ କର୍ତ୍ତୃପକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ଉଭୟ ଲ୍ୟାମ୍ପସ ଅଧିକାରୀ ଏତେ ପରିମାଣର ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ନ କରି କାହିଁକି ଏବଂ କେଉଁ ପରିସ୍ଥିତିରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦେଲେ ବୋଲି ପ୍ରଶ୍ନ ଉଠିଛି।

