ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ରକ୍ଷଣବେକ୍ଷଣ କରା ନ ଯିବା ହେତୁ ବହୁ ଷ୍ଟ୍ରିଟ ଲାଇଟ ଅଚଳ ହୋଇପଡିଛି। ଫଳରେ ଦାରିଙ୍ଗବାଡି ଅଞ୍ଚଳର ଶତାଧିକ ଲୋକ ଏବଂ ପର୍ଯ୍ୟଟକ ସନ୍ଧ୍ୟା ହେଲେ ବଜାରରେ ବୁଲିବାକୁ ସୁରକ୍ଷିତ ଭାବୁନାହାନ୍ତି। ପର୍ଯ୍ୟଟକ ଦାରିଙ୍ଗବାଡିରେ ଷ୍ଟ୍ରିଟ ଫୁଡ ଖାଇବା ଓ ବଜାର ବୁଲିବା ସମୟରେ ଅନ୍ଧାର ଯୋଗୁ ମଜା ନେଇପାରୁନାହାନ୍ତି। ସନ୍ଧ୍ୟା ସମୟରେ ହିଁ ଷ୍ଟ୍ରିଟ ଫୁଡ ଦୋକାନଗୁଡିକ ଖୋଲୁଥିବାରୁ ଷ୍ଟ୍ରିଟ ଆଲୁଅ ନ ଥିବାରୁ ସେମାନଙ୍କ ବ୍ୟବସାୟ ହେଉ ନ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ ୫୯ ନଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବାଲିଗୁଡାଠାରୁ ଦାରିଙ୍ଗବାଡି ପର୍ଯ୍ୟନ୍ତ ଜାତୀୟ ରାଜପଥର ସମ୍ପ୍ରସାରଣ ସମୟରେ ସୋଲାର ପାନେଲ ଥାଇ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଯାଇଥିଲା। ପ୍ରତି ୩୦ ମିଟର ଦୂରତା ଓ ରାଜପଥ କଡ଼ରେ ରହିଥିବା ଗ୍ରାମ ଭିତରେ ଏହି ଆଲୁଅ ବ୍ୟବସ୍ଥା କରାଯାଇଥିଲା ୩ ଶହରୁ ଉର୍ଦ୍ଧ୍ୱ ଷ୍ଟ୍ରିଟ ଲାଇଟଦ୍ରୁ ସୋଲାର ପାନେଲ ସହ ବେଟେରୀ ଆଦି ଚୋରି ହୋଇ ଏବେ ଅଚଳ ଅବସ୍ଥାରେ ରହିଛି। ଏହି ଆଲୁଅ ବ୍ୟବସ୍ଥା ସହ ରାସ୍ତାର ରକ୍ଷଣବେକ୍ଷଣ ଅତି କମରେ ୫ ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତି ଠିକା ସଂସ୍ଥା କରିବା ନିୟମ ରହିଥିଲେ ମଧ୍ୟ ଉକ୍ତ ଠିକା ସଂସ୍ଥା ଜିଲାପ୍ରଶାସନ, ସ୍ଥାନୀୟ ପ୍ରଶାସନ କିମ୍ବା ସାଧରଣ ଲୋକଙ୍କ କଥାକୁ ଭୃକ୍ଷେପ କରୁ ନ ଥିବା ଅଭିଯୋଗ ହେଉଛି। ଶୀଘ୍ର ଆଲୁଅ ବ୍ୟବସ୍ଥା କରା ନ ଗଲେ ଆସନ୍ତା ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏନେଇ ସମ୍ପୃକ୍ତ ଠିକା ସଂସ୍ଥାକୁ ତାଗିଦ୍ କରାଯାଇଛି। ଶୀଘ୍ର ନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ ଯେ ଜାତୀୟ ରାଜପଥର ଉକ୍ତ ବ୍ଲକ ପାଟାଙ୍ଗି, କିରିକୁଟି, ଆଦିବାସୀ, ସିମନବାଡି, ଡାବୁଲୁମାହା, ସୁଲୁମାହା, ଶ୍ରାନିକେତା, ଦାରିଙ୍ଗବାଡି, ପଞ୍ଚୁପାଲି, ଡବେରୀ ଅଞ୍ଚଳର ସମସ୍ତ ଷ୍ଟ୍ରିଟ ଆଲୁଅ ଅଚଳବସ୍ଥାରେ ଅଛି।
Dharitri – Odisha’s No.1 Odia Daily


