ଭୁବନେଶ୍ୱର,୨୮।୪(ସୁନିତ୍ ମିଶ୍ର): ସମ୍ବଲପୁର ରେଙ୍ଗାଲିଠାରେ ଗତ ୨୪ ତାରିଖରେ ଜେଏସ୍ଡବ୍ଲ୍ୟୁ ଏବଂ ଜାପାନର ଜେଏଫ୍ଇ ଷ୍ଟିଲ୍ ମଧ୍ୟରେ ଏକ ଯୌଥ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ନେଇ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ଭାରତରେ ଅବସ୍ଥାପିତ ଜାପାନ ରାଷ୍ଟ୍ରଦୂତ ଓନୋ କେଇଚି ମଧ୍ୟ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଜାପାନ ରାଷ୍ଟ୍ରଦୂତଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା। ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ବାଦରେ ରାଷ୍ଟ୍ରଦୂତ ଖୁବ୍ ଆନନ୍ଦିତ ଥିଲେ। ବିଶେଷକରି ଡାଲମା ତାଙ୍କୁ ବହୁତ ଭଲ ଲାଗିଥିଲା। କାର୍ଯ୍ୟକ୍ରମ ସରିବା ପରେ ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ, ଓଡ଼ିଶାରେ ଡାଲମାର ସ୍ବାଦକୁ ଖୁବ୍ ଉପଭୋଗ କଲେ। ଏହା ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ଓଡ଼ିଶାର ଉନ୍ନତ ରନ୍ଧନ କଳାର ଏକ ସୁନ୍ଦର ପ୍ରତିଫଳନ।
ଓନୋଙ୍କ ଏହି ପୋଷ୍ଟ ପରେ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ‘X’ରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ପାରମ୍ପରିକ ସ୍ବାଦକୁ ଏତେ ଭଲ ପାଇଥିବାରୁ ଓନୋଙ୍କୁ ଧନ୍ୟବାଦ। ଡାଲମା କେବଳ ଖାଦ୍ୟ ପରମ୍ପରାର ଅଂଶ ନୁହେଁ, ଏହା ହେଉଛି ଆମ ସଂସ୍କୃତି ଓ ଆତିଥେୟତାର ପ୍ରତୀକ। ଏହି ମତପ୍ରକାଶ କରିବା ସହିତ ଓଡ଼ିଶା ଓ ଜାପାନ ମଧ୍ୟରେ ଥିବା ସାଂସ୍କୃତିକ ସମନ୍ବୟ ଆଗାମୀ ଦିନରେ ଆମର ବନ୍ଧୁତାକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

