ଥୁଆମୂଳ ରାମପୁର, ୧୦ା୧୦ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକ ତଳଆମ୍ବ ପଦର ପଞ୍ଚାୟତ ଅନ୍ତର୍ଗତ ନୁନରେଶ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଗ୍ରାମବାସୀ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏନ୍ଏଚ୍ ୪୪ର ଖାକେଶଠାରୁ ନୁନରେଶ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୩ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ଗତ ୨ତାରିଖରେ ପ୍ରବଳ ବର୍ଷ ହେତୁ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସି ରାସ୍ତା ଅବରୋଧ କରିଛି। ଫଳରେ ପଥଚାରୀଙ୍କଠାରୁ ଆରମ୍ଭ କରି ଜରୁରୀ କାଳୀନ ସେବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ। ଗ୍ରାମରେ ବସୁଧା ଯୋଜନାରେ ଓଭର ହେଡ ଟାଙ୍କି ନିର୍ମାଣର ୩ ବର୍ଷ ପରେ ମଧ୍ୟ ପାନୀୟ ଜଳ ଯୋଗାଣ ହୋଇପାରି ନାହିଁ। ଫଳରେ ଲୋକେ ନଈନାଳର ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ଏହିସବୁ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ବିଡିଓଙ୍କୁ ଅନୁରୋଧ କରିଛନ୍ତି। ଦାବିପତ୍ର ଦେବା ସମୟରେ ନୁନରେଶ ଗ୍ରାମର ମୁତେ ସିଂ ମାଝୀ, ସୁନା ସିଂ ମାଝୀ, ସୁରେନ୍ଦ୍ର ନାଏକ, ଟିପାଙ୍ଗ ମାଝୀ, ସୁମନ୍ତ ନାଏକ, ବାସନ୍ତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily


