ବୁଏନ୍ସ ଏୟାର୍ସ, ୨୧।୪: ୨୦୨୫ ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଗ୍ରୀଷ୍ମପ୍ରବାହ ସୀମା ଟପିଛି। ଏକ ନୂଆ ଅନ୍ତର୍ଜାତୀୟ ବୈଜ୍ଞାନିକ ବିଶ୍ଳେଷଣ ଅନୁଯାୟୀ, ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳେ ୨ ପଡ଼ୋଶା ଦେଶରେ ଯେତିକି ଗରମ ଅନୁଭୂତ ହେଉଥିଲା, ବର୍ତ୍ତମାନ ତହିଁରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ବୃଦ୍ଧି ପାଇଛି। ପାଣିପାଗ ସଙ୍ଗଠନ ସମୂହ କ୍ଲାଇମା ମିଟର ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ୧୯୫୦-୧୯୮୬ ତୁଳନାରେ ୧୯୮୭-୨୦୨୩ ଏପ୍ରିଲର ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିଥିଲା। ଏହାର ପରବର୍ତ୍ତୀ ବର୍ଷର ସମାନ ଅବଧି ଅର୍ଥାତ ଚଳିତ ଏପ୍ରିଲ ମାସରେ ପୂର୍ବାପେକ୍ଷା ଆହୁରି ଉତ୍ତପ୍ତ ବୋଲି ପାଣିପାଗ ଗବେଷକ ସୂଚନା ଦେଇଛନ୍ତି।
ମାନବ ପ୍ରେରିତ ଜଳବାୟୁ ପରିବର୍ତ୍ତନ ତାପମାତ୍ରା ବୃଦ୍ଧିର ମୁଖ୍ୟ କାରଣ ହୋଇଥିବା ନେଇ ଏହି ଅଧ୍ୟୟନରେ ଗବେଷକମାନେ କହିଛନ୍ତି। ଅଧ୍ୟୟନର ଗବେଷକ ଜିଆନ୍ମାକୋ ମେଙ୍ଗାଲଡୋ କହିଛନ୍ତି, ଚଳିତ ବସନ୍ତ ଋତୁରେ ଭାରତ ଏବଂ ପାକିସ୍ତାନରେ ଦେଖାଦେଇଥିବା ଗ୍ରୀଷ୍ମ ଲହରି ଜଳବାୟୁ ପରିବର୍ତ୍ତନର ଚିନ୍ତାଜନକ ପ୍ରଭାବକୁ ସୂଚିତ କରୁଛି। ଏହା ସମଗ୍ର ଅଞ୍ଚଳର ଅନେକ କୋଟି ଲୋକଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ଏପ୍ରିଲରେ ହିଟ୍ଓ୍ବେଭ ସ୍ଥିତି ଯୋଗୁ ଉଭୟ ଭାରତ ଏବଂ ପାକିସ୍ତାନରେ ଗ୍ରୀଷ୍ମଜନିତ ରୋଗର ମାମଲାରେ ବୃଦ୍ଧି ଘଟିଥିବାବେଳେ କୃଷି ଉତ୍ପାଦନରେ ବ୍ୟାପକ ବାଧା ସୃଷ୍ଟି ହେବା ସହ ଗୁରୁତର ଜଳାଭାବ ଦେଖାଦେଇଥିବା। ଚଳିତ ଏପ୍ରିଲ ମଧ୍ୟଭାଗରେ ଉଭୟ ଦେଶର ଗ୍ରୀଷ୍ମ ଲହରି ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଏପ୍ରିଲ ୧୪ ଏବଂ ୧୫ରେ ପାକିସ୍ତାନର ବେଲୁଚିସ୍ତାନ ଅନ୍ତର୍ଗତ କେତେକ ଅଞ୍ଚଳର ତାପମାତ୍ରା ୪୯ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଥିବା ନେଇ ଏହି ଅଧ୍ୟୟନରେ କୁହାଯାଇଛି। ସେହିପରି ଅସ୍ବାଭାବିକ ଭାବେ ଶୀଘ୍ର ଆରମ୍ଭ ହୋଇଥିବା ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହକୁ ନେଇ ଉଭୟ ଦେଶର ଜନସାଧାରଣ ଏବଂ ପ୍ରଶାସନ ପ୍ରସ୍ତୁତ ନ ଥିଲେ। ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ସ୍ଥିତି ଦେଖାଦେଇଛି, ଯାହା ସ୍ଥାନୀୟ ଲୋକଙ୍କୁ ସମସ୍ୟାରେ ପକାଇଥିବା ଏହି ଅଧ୍ୟୟନ କହିଛି।

