ନୂଆଦିଲ୍ଲୀ,୨୮ା୪: ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସମ୍ବଳ ଅଭାବରୁ ସମାଜର ଦୁର୍ବଳ ବର୍ଗ ବିଶେଷ କରି ଆର୍ଥତ୍କ ପଛୁଆ ଶ୍ରେଣୀ, ବାହାର କାମ କରୁଥିବା ଲୋକ ଏବଂ ବାସହୀନଙ୍କ ଉପରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ଏହାର ତୀବ୍ରତା ବୃଦ୍ଧିର ପ୍ରଭାବ ପଡ଼ୁଛି।
ତେଣୁ ସେମାନଙ୍କ ସୁରକ୍ଷା ଦିଗରେ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଲାଗି ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ୨୧ ରାଜ୍ୟ ଓ ଦିଲ୍ଲୀକୁ ନିର୍ଦ୍ଦେଶ ଦେଇଛନ୍ତି। ନବଜାତ, ଛୋଟ ପିଲା, ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଚଣ୍ଡ ଗ୍ରୀଷ୍ମର ଅତ୍ୟଧିକ ପ୍ରଭାବ ପଡ଼ୁଛି। ଏଥିସହିତ ଗ୍ରୀଷ୍ମଲହର ଯୋଗୁ ଅବହେଳିତ ବର୍ଗର ଲୋକେ ଜୀବିକା ହରାଇପାରନ୍ତି।
ଗ୍ରୀଷ୍ମଦିନେ ଅଗ୍ନିକାଣ୍ଡ ବିପଦ ବଢ଼ିବା ଆଶଙ୍କା ରହିଛି ବୋଲି ଏନ୍ଏଚ୍ଆର୍ସି କହିଛନ୍ତି। ଗତ କିଛିଦିନ ହେଲା ବିଭିନ୍ନ ରାଜ୍ୟରେ ପାରଦ ସ୍ତର ବଢ଼ିଚାଲିଛି। ଦିଲ୍ଲୀରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟଗୁଡ଼ିକ ସମାଜର ଦୁର୍ବଳ ବର୍ଗଙ୍କୁ ଗ୍ରୀଷ୍ମଲହରରୁ ସୁରକ୍ଷା ଦେବା ଦିଗରେ ଆଗୁଆ ପଦକ୍ଷେପ ନେବା ଲାଗି ଏନ୍ଏଚ୍ଆର୍ସି ପରାମର୍ଶ ଦେଇଛନ୍ତି। ନିର୍ଦ୍ଦେଶ ଦିଆଯାଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ୍, ତାମିଲନାଡୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛି।

