ନୂଆଦିଲ୍ଲୀ,୨୯ା୪: ସହମତିରେ ସମ୍ପର୍କ ରଖିଥିଲେ ଅପରାଧର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସୁପ୍ରିମକୋର୍ଟ ସୋମବାର ଜଣେ ମହିଳାଙ୍କୁ ପ୍ରଶ୍ନ କରିଛନ୍ତି। ମହିଳା ଜଣକ ପୂର୍ବରୁ ଲିଭ୍-ଇନ୍ ରିଲେଶନ୍ଶିପ୍ରେ ୧୫ ବର୍ଷ ରହିବା ସହ ସେମାନଙ୍କର ଏକ ସନ୍ତାନ ଅଛି। ପରେ ମହିଳା ଅଭିଯୋଗ କରିଥିଲେ ଯେ, ବ୍ୟକ୍ତି ଜଣକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟ ଉକ୍ତ ଏତଲାକୁ ଖାରଜ କରିଦେବାରୁ ମହିଳା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବଳାତ୍କାର ଅଭିଯୋଗ ଆସୁଛି କେଉଁଠୁ ବୋଲି ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଉଜ୍ଜଲ ଭୁୟଁାଙ୍କ ଖଣ୍ଡପୀଠ ମହିଳାଙ୍କୁ ପ୍ରଶ୍ନ କରିବା ସହ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

