ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ)ରାଜ୍ୟର ବିଭିନ୍ନ ସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି। ଆଉଟ୍ସୋର୍ସିଂ କର୍ମଚାରୀମାନେ ବାରମ୍ବାର ସେମାନଙ୍କ ଦାବି ସମୂହ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବା ସତ୍ତ୍ୱେ ସେ ଦିଗରେ କିଛି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶା ସରକାରୀ ଆଉଟ୍ସୋର୍ସିଂ କର୍ମଚାରୀ ମହାସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୧୯ତାରିଖ ସୁଦ୍ଧା ସେମାନଙ୍କ ଦାବି ସମୂହ ପୂରଣ କରା ନ ଗଲେ ସେମାନେ ଆସନ୍ତା ୨୪ତାରିଖ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସ୍ମାରକପତ୍ରରେ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟ୍ସୋର୍ସିଂ କର୍ମଚାରୀମାନେ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି। ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ତୃଣମୂଳସ୍ତରରୁ ସେମାନେ କାମ କରୁଛନ୍ତି। ଅଥଚ ସେମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ସେମାନଙ୍କୁ ଛଟେଇ କରାଯାଉ ଥିବାବେଳେ ଦରମା ପ୍ରଦାନରେ ମଧ୍ୟ ପାତରଅନ୍ତର ନୀତି କରାଯାଉଛି ବୋଲି ଆଉଟସୋର୍ସିଂ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ଚାକିରି ଅସୁରକ୍ଷିତ ହୋଇପଡ଼ିଥିବାବେଳେ ସ୍ବଳ୍ପ ଦରମାରେ ପରିବାର ପୋଷଣ ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି ବୋଲି ସମ୍ପୃକ୍ତ କର୍ମଚାରୀମାନେ କହିଛନ୍ତି। ଫଳରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଉଟ୍ସୋର୍ସିଂ କର୍ମଚାରୀମାନେ କହିଛନ୍ତି। ସେହିପରି ପୂର୍ବ ସରକାର ସମୟରେ କାର୍ଯ୍ୟ କରିଥିବା ଆଉଟ୍ସୋର୍ସିଂ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବା ଏବଂ ସେମାନଙ୍କ ଚାକିରି ସୁରକ୍ଷା ନେଇ ସରକାର ପ୍ରତିଶ୍ରୁତି ଦେବାକୁ ଆଉଟ୍ସୋର୍ସିଂ କର୍ମଚାରୀ ସଂଘ ଦାବି କରିଛି। ଏହି ଦାବି ସମୂହ ପୂରଣ କରା ନ ଗଲେ ଆସନ୍ତା ୧୭ତାରିଖରୁ ୨୧ତାରିଖ ଯାଏ ସମସ୍ତ ଆଉଟ୍ସୋର୍ସିଂ କର୍ମଚାରୀ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବା ସହିତ ପ୍ରତିବାଦ କରିବେ ଏବଂ ୨୪ତାରିଖ ଭୁବନେଶ୍ୱର ଗାନ୍ଧିମାର୍ଗରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମହାସଂଘର ବରଗଡ଼ ଜିଲା ସଭାପତି ରାକେଶ ଶତପଥୀଙ୍କ ନେତୃତ୍ୱରେ ବହୁସଂଖ୍ୟକ ଆଉଟ୍ସୋର୍ସିଂ କର୍ମଚାରୀ ସ୍ମାରକପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।


