ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ ସାମଗ୍ରୀ) ବିଲ, ଅନଲାଇନ ଡେଲିଭରି, ଔଷଧ ଏବଂ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦାମ ଶୀଘ୍ର ବଢ଼ିପାରେ। ଭାରତର ପରିବହନ (Transport) କ୍ଷେତ୍ର ଏବେ ଇନ୍ଧନର ବର୍ଦ୍ଧିତ ଖର୍ଚ୍ଚକୁ ବ୍ୟବସାୟୀ ଓ କମ୍ପାନୀଗୁଡ଼ିକ ଉପରକୁ ଠେଲିବା ଆରମ୍ଭ କରିଦେଇଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ।
ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟର୍ସ ୱେଲଫେୟାର ଆସୋସିଏସନ (AITWA) ପକ୍ଷରୁ ଜାରି କରାଯାଇଥିବା ଏକ ଜରୁରୀ ସର୍କୁଲାରରେ କୁହାଯାଇଛି ଯେ, ପଶ୍ଚିମ ଏସିଆ ସଙ୍କଟ ଏବଂ ‘ଷ୍ଟ୍ରେଟ ଅଫ ହରମୁଜ’ (Strait of Hormuz) ଅଞ୍ଚଳରେ ଉପୁଜିଥିବା ଅଶାନ୍ତି ଯୋଗୁଁ ଡିଜେଲ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଦେଶରେ ପରିବହନ ବ୍ୟବସାୟ ଚଳାଇବା ଆର୍ଥିକ ଦୃଷ୍ଟିରୁ ଅସମ୍ଭବ ହୋଇପଡ଼ିଛି।
ଏହାକୁ ଦୃଷ୍ଟିରେ ରଖି ଆସୋସିଏସନ ମେ ୨୦ ତାରିଖଠାରୁ ସାରା ଦେଶରେ ଏକ ‘ଫ୍ୟୁଏଲ ଆଡଜଷ୍ଟମେଣ୍ଟ ଫ୍ୟାକ୍ଟର’ (FAF) ବା ଇନ୍ଧନ ସମାୟୋଜନ ଶୁଳ୍କ ଲାଗୁ କରିଛି। ଏହାର ଅର୍ଥ ହେଉଛି, ଯେତେବେଳେ ବି ଡିଜେଲ ଦାମ ବଢ଼ିବ, ସେହି ଅନୁସାରେ ମାଲ ପରିବହନ ଭଡ଼ା (Freight Rates) ମଧ୍ୟ ସୱୟଂଚାଳିତ ଭାବେ ବୃଦ୍ଧି ପାଇବ। ଏହି ନିଷ୍ପତ୍ତି ଯୋଗୁଁ FMCG କମ୍ପାନୀ, ଖୁଚୁରା ବ୍ୟବସାୟୀ, ଇ-କମର୍ସ ସଂସ୍ଥା ଏବଂ ଖାଦ୍ୟ ସାମଗ୍ରୀ ଯୋଗାଉଥିବା କମ୍ପାନୀଗୁଡ଼ିକର ଖର୍ଚ୍ଚ ବଢ଼ିଯିବ, ଯାହା ଶେଷରେ ଗ୍ରାହକମାନଙ୍କୁ ହିଁ ସହିବାକୁ ପଡ଼ିବ।
AITWA ର ସୂଚନା ଅନୁଯାୟୀ, ଗୋଟିଏ ଟ୍ରକ ଚଲାଇବା ଖର୍ଚ୍ଚର ପ୍ରାୟ ୬୫% କେବଳ ଡିଜେଲ ବାବଦରେ ବ୍ୟୟ ହୋଇଥାଏ। ତେଣୁ ଆସୋସିଏସନ ନିଷ୍ପତ୍ତି ନେଇଛି ଯେ, ମେ ୧୫ ତାରିଖର ମୂଳ ଦର (Base Rate) ଠାରୁ ଡିଜେଲ ଲିଟର ପିଛା ପ୍ରତି ୧ ଟଙ୍କା ବୃଦ୍ଧି ପାଇଁ ପରିବହନ ଶୁଳ୍କରେ ୦.୬୫% ବୃଦ୍ଧି କରାଯିବ।
ଯଦି ଡିଜେଲ ୫ ଟଙ୍କା ମହଙ୍ଗା ହୁଏ, ତେବେ ଭଡ଼ା ୩.୨୫% ବଢ଼ିବ।
୧୦ ଟଙ୍କା ବଢ଼ିଲେ, ପରିବହନ ଖର୍ଚ୍ଚ ୬.୫% ବଢ଼ିବ।
୧୫ ଟଙ୍କା ବଢ଼ିଲେ, ଭଡ଼ା ପ୍ରାୟ ୧୦% ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ଆସୋସିଏସନ ସ୍ପଷ୍ଟ କରିଛି ଯେ ଏହା ପରିବହନକାରୀଙ୍କ ଲାଭ ବଢ଼ାଇବା ପାଇଁ ନୁହେଁ, ବରଂ କେବଳ ଇନ୍ଧନର ବର୍ଦ୍ଧିତ ଖର୍ଚ୍ଚର ଭରଣା ପାଇଁ କରାଯାଇଛି।
ଭାରତରେ ପରିବହନ କ୍ଷେତ୍ର ସହ ବଜାର ଦର ସିଧାସଳଖ ଜଡ଼ିତ। ପରିବା, ଫଳ, କ୍ଷୀର ଜାତୀୟ ଦ୍ରବ୍ୟ, ଔଷଧ, ର୍ନିମାଣ ସାମଗ୍ରୀ (ସିମେଣ୍ଟ, ରଡ), ଇଲେକ୍ଟ୍ରୋନିକ୍ସ ଏବଂ ଅନଲାଇନ ସପିଂ ସାମଗ୍ରୀ ସବୁ କିଛି ଟ୍ରକ ମାଧ୍ୟମରେ ହିଁ ଗୋଦାମ ଓ ଦୋକାନ ବଜାରକୁ ଆସିଥାଏ। ଭଡ଼ା ବଢ଼ିଲେ କମ୍ପାନୀଗୁଡ଼ିକ ଜିନିଷର ଦାମ ବଢ଼ାଇବାକୁ ବାଧ୍ୟ ହେବେ। ବିଶେଷ କରି ଦୂର ସ୍ଥାନରୁ ଆସୁଥିବା ସାମଗ୍ରୀ ଉପରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିବ।

