ଵ୍ରହ୍ମପୁର, ୧୨/୧(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯାତ୍ରୀବାହୀ ବସ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଘଟଣା ପରେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକ ରାସ୍ତା ଉପରେ ରୁଣ୍ଡ ହୋଇ ବସ ଚାଳକଙ୍କ ବେପାରୁଆ ଗାଡି ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି । ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।
ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲ ପଠାଇଛି । ଦୁର୍ଘଟଣା ଘଟାଇଥିବା ବସ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ। ଘଟଣାରୁ ପ୍ରକାଶ ଯେ, ଦିଗପହଣ୍ଡି ପଟୁ ଏକ ସ୍କୁଟି ଯୋଗେ ଦମ୍ପତ୍ତି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ଅନ୍ୟପଟେ ଵ୍ରହ୍ମପୁରରୁ ଏକ ଘରୋଇ ବସ ଦିଗପହଣ୍ଡି ଯାଉଥିଲା। ବାଳକୃଷ୍ଣପୁର ଛକରେ ସୋମବାର ମଧ୍ୟାନ୍ନରେ ଉକ୍ତ ବସଟି ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ସ୍କୁଟି ଚାଳକ ଓ ଗାଢ଼ି ପଛରେ ବସିଥିବା ତାଙ୍କ ସ୍ତ୍ରୀ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଥିବା ମହିଳାଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ମହିଳାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି ।


