ପରୀକ୍ଷାରେ ଅସଫଳ

କରୋନା ଭୂତାଣୁ ମହାମାରୀ ରୂପ ଧାରଣ କରିବା ପରେ ବିଶ୍ୱର ୨୦୦ ରାଷ୍ଟ୍ରରେ ଏହା ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଚାଇନାର ଉହାନରୁ ଜନ୍ମ ନେଇଥିବା ଏହି ଭାଇରସ୍‌ ପୃଥିବୀରେ ୩୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ୭ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି। ଏହାଦ୍ୱାରା ଇଟାଲୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କାରଣ ସେଠାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବା ଆମେରିକାରେ ଅଦ୍ୟାବଧି ୨,୪୯୦ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୧ ଲକ୍ଷ ୪୨ ହଜାରୁ ଊର୍ଦ୍ଧ୍ୱ ଆକ୍ରାନ୍ତ। ଜନବହୁଳ ରାଷ୍ଟ୍ର ଭାରତରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୨୦୦ ଡେଇଁଛି। ବିଶେଷଜ୍ଞଙ୍କ ମତରେ ଭାରତରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବା କଥା। କିନ୍ତୁ ସେହି ପରିମାଣରେ ପରୀକ୍ଷା (ଟେଷ୍ଟିଂ) କରାଯାଉ ନ ଥିବା ହେତୁ ଏଭଳି ତ୍ରୁଟିପୂର୍ଣ୍ଣ ସଂଖ୍ୟା ସାମ୍ନାକୁ ଆସୁଛି। ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ ଆଗକୁ କ’ଣ ଘଟିବ ଅନୁମାନ ଲଗାଇବା କଷ୍ଟକର।
କରୋନା ଭାଇରସ୍‌ ଯେଭଳି କାୟା ବିସ୍ତାର କରିଚାଲିଛି, ବିଶ୍ୱ ନେତୃତ୍ୱ ତାହାକୁ ରୋକିବାରେ ସକ୍ଷମ ହୋଇପାରୁ ନାହିଁ। ବାହାପିଆ ନେତା ବୋଲାଉଥିବା ବ୍ୟକ୍ତିମାନେ ଘରେ ଜାକିଜୁକି ହୋଇ ବସିଲେଣି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉକ୍ତ ଭାଇରସ୍‌କୁ ‘ଚାଇନା ଭୂତାଣୁ’ କହି ତାଚ୍ଛଲ୍ୟ କରୁଥିଲେ। ମୂଳରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରା ନ ଯିବାରୁ ଆମେରିକାରେ ସ୍ଥିତି ଆଜି ଅଣାୟତ୍ତ। ଆସନ୍ତା ନଭେମ୍ବରରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଟ୍ରମ୍ପ୍‌ ମାପିଚୁପି ପଦକ୍ଷେପ ନେଉଛନ୍ତି। ଅଦ୍ୟାବଧି ରାଷ୍ଟ୍ରକୁ ଲକ୍‌ଡାଉନ୍‌ କରିପାରି ନ ଥିବାରୁ ଆମେରିକାବାସୀ ତାଙ୍କ ଉପରେ କ୍ଷୁବ୍ଧ। ଲୋକଙ୍କ କ୍ରୋଧ ବଢ଼ିଚାଲିଲେ ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ଆଶା ମଉଳିଯିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଲେଣି। ଏପଟେ ଭାରତରେ ୨୪ ମାର୍ଚ୍ଚରେ ନରେନ୍ଦ୍ର ମୋଦି ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ବା ଏକପ୍ରକାର ଜାତୀୟ କର୍ଫ୍ୟୁ ଲଗାଇ ଦେବା ପରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆଗତୁରା ଯୋଜନା ନ କରି ଅଚାନକ ଲକ୍‌ଡାଉନ୍‌ ଘୋଷଣା କରି ଦିଆଯିବା ଦ୍ୱାରା ଦେଶ ଭିତରେ ଲକ୍ଷାଧିକ ଲୋକ ପିଲାଛୁଆଙ୍କୁ ଧରି ଅନେକ ଶହ କିଲୋମିଟର ଲେଖାଏ ଚାଲିଚାଲି ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଖାଇବା, ପିଇବାର ସାମାନ୍ୟତମ ସୁବିଧା ପାଇପାରୁ ନ ଥିବାରୁ ଗରିବ ଓ ଖଟିଖିଆମାନେ ଅସହାୟ ହୋଇପଡ଼ିଛନ୍ତି। ଏପରି କି ଏହିଭଳି ଚାଲୁଥିବା ବେଳେ କେତେକ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି। ନିଜକୁ ପ୍ରବଳ ପ୍ରତାପୀ ଭାବୁଥିବା ବିଶ୍ୱର ଅନେକ ନେତା ଯୁଦ୍ଧ ପାଇଁ ସର୍ବଦା ଆଗଭର ହୋଇଥାଆନ୍ତି। ଦେଖିବାକୁ ଗଲେ ଯୁଦ୍ଧ ସୀମାନ୍ତରେ ଉଭୟ ପଟର କିଛି ସୈନ୍ୟଙ୍କୁ ମାରିଥାଏ। କିନ୍ତୁ ଏବେ ଭୂତାଣୁ ଦ୍ୱାରା ସୃଷ୍ଟ ସ୍ବାସ୍ଥ୍ୟ ସମସ୍ୟା ପ୍ରତ୍ୟେକ ଦେଶର ଅଧିବାସୀଙ୍କ ପାଇଁ ବିରାଟକାୟ ସଙ୍କଟ ଆଣଛି। ସମ୍ଭବତଃ ଆଜିର ପୃଥିବୀରେ ବଞ୍ଚିଥିବା କୌଣସି ବ୍ୟକ୍ତି ଏଭଳି ବ୍ୟାପକ ଭାବେ ସଂକ୍ରମଣ ଜୀବଦ୍ଦଶାରେ ଦେଖି ନ ଥିବେ। ଏପରିସ୍ଥଳେ ରାଷ୍ଟ୍ରମୁଖ୍ୟମାନେ ଅନେକ ବିଷୟକୁ ହିସାବକୁ ନେଉ ନ ଥିବାରୁ ପରିସ୍ଥିତି ଜଟିଳ ହୋଇପଡ଼ୁଛି। ଆଜି ଭାରତରେ ଦେଶାନ୍ତରୀଙ୍କ ଗୃହ ପ୍ରତ୍ୟାବର୍ତ୍ତନ ସମସ୍ୟାଠାରୁ ଆରମ୍ଭ କରି ଭୂତାଣୁର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ବିଷୟକୁ ପ୍ରଥମେ ଧ୍ୟାନ ଦେବାର ଥିଲା। ଯେତେବେଳେ ଚାଇନାର ଉହାନରେ ଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଘୋଷଣା କରି ସେଠାକୁ କେତୋଟି ବିମାନ ପ୍ରେରଣ କରାଗଲା, ସେହି ସମୟରୁ ଆଭ୍ୟନ୍ତରୀଣ ପ୍ରସ୍ତୁତି ପ୍ରତି ଧ୍ୟାନ ଦିଆଯିବା ଉଚିତ ଥିଲା। ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ତରଫରୁ ନିର୍ଦ୍ଦେଶ ଦିଆଯାଇ ଅଧିକ ଆଇସିୟୁ ଏବଂ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଥିଲେ ଆଜି ପରୀକ୍ଷା କରିବାକୁ ଭୟ ହୋଇ ନ ଥାଆନ୍ତା।
ଅନୁରୂପ ଭାବେ ଆମେରିକାରେ ରାଜନୀତିକୁ ପଛରେ ଥୋଇ ଟ୍ରମ୍ପ୍‌ ଦେଶବାସୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇପାରିଥାଆନ୍ତେ। ସେହିଭଳି ଇଟାଲୀ, ବ୍ରିଟେନ ଓ ସ୍ପେନ୍‌ ଭଳି ରାଷ୍ଟ୍ର କରୋନା ଭୂତାଣୁକୁ ହେୟ ଭାବି ନ ଥିଲେ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିପାରିଥାଆନ୍ତା। କିନ୍ତୁ ତାହା ହୋଇପାରିଲା ନାହିଁ।
ବିଶ୍ୱ ପ୍ରେକ୍ଷାପଟକୁ ଦେଖିଲେ ଜି-୨୦ ରାଷ୍ଟ୍ରଗୁଡ଼ିକ କରୋନା ଭାଇରସ୍‌ର ମୁକାବିଲା ଲାଗି ସମ୍ମିଳିତ ଯୁଦ୍ଧ କରିବା ଲାଗି ପ୍ରତିଜ୍ଞାବଦ୍ଧ ହେବାର ଥିଲା। ମାତ୍ର ଭର୍ଚୁଆଲ ବୈଠକରେ ଯୋଡ଼ି ହୋଇଥିବା ରାଷ୍ଟ୍ର କେବଳ ନାମକୁ ମାତ୍ର ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଭାଇରସ୍‌ ଯୋଗୁ ବିଶ୍ୱ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବାରୁ ତାହାକୁ ଭରଣା କରିବା ସକାଶେ ବିଶ୍ୱ ନେତାଗଣ କେବଳ ୫ ଟ୍ରିଲିୟନ୍‌ ଡଲାର ଆର୍ଥିକ ପ୍ୟାକେଜ ବିଷୟରେ ରାଜି ହୋଇଛନ୍ତି। ବାସ୍ତବରେ ଏହି ଭୂତାଣୁର ମୂଳୋତ୍ପାଟନ କରିବା ସକାଶେ କେଉଁଭଳି ବୈଜ୍ଞାନିକ ଗବେଷଣା ଓ ଔଷଧ ବାହାର କରାଯାଇପାରିବ, ତାହା ଉପରେ ବିଚାରବିମର୍ଶ କରା ନ ଯିବା ସାମୂହିକ ବିଶ୍ୱ ନେତୃତ୍ୱର ବିଫଳତା ଏବଂ ଅପାରଗତାକୁ ଦର୍ଶାଉଛି। କୌତୂହଳର ବିଷୟ ଯେ, ଏହି ବୈଠକରେ ଭୂତାଣୁର ଜନ୍ମଦାତା ଚାଇନାକୁ ଅନେକେ ପ୍ରଶଂସା କରିଛନ୍ତି। ଚୋରକୁ ପ୍ରଶଂସା କରିବା ପଛରେ କି ସ୍ବାର୍ଥ ନିହିତ ଅଛି ତାହା ସେହି ନେତାମାନଙ୍କୁ ଜଣା। କରୋନା ଭୂତାଣୁ ପ୍ରତ୍ୟେକ ଦେଶ ପାଇଁ ଅଗ୍ନିପରୀକ୍ଷା ସଦୃଶ ଉଭା ହୋଇଥିବା ବେଳେ ଅଳ୍ପ ନେତାଙ୍କୁ ଛାଡ଼ିଦେଲେ ଅନେକେ ପରୀକ୍ଷାରେ ଅସଫଳ ହୋଇଥିବା ପରି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri