Posted inଖେଳ

ଟି୨୦ ସିରିଜ ଜିତିଲା ଭାରତ

ପୁଣେ,୧୦।୧(ପି.ଟି.)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଘରୋଇ ଭାରତ ୨-୦ରେ ବିଜୟୀ ହୋଇଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବୃହତ୍‌ ୭୮ ରନରେ ଶ୍ରୀଲଙ୍କାକୁ ପରାସ୍ତ କରି ସିରିଜ ହାତେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୨୦୧ ରନ ସଂଗ୍ରହ କରିଥିଲା। ଜବାବରେ ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩ ରନକରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଥିଲା। ଦ୍ରୁତ ଅପରାଜିତ ୨୨ ରନ କରିବା ସହ କଞ୍ଜୁସ ବୋଲିଂ କରି ମୂଲ୍ୟବାନ ୨ଟି ଉଇକେଟ ଅକ୍ତିଆର କରିଥିବା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପ୍ରଥମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୧୫ଟି ବଲ ବାକି ରଖି ୭ ଉଇକେଟରେ ବିଜୟୀ ହୋଇଥିଲା।
୨୦୨ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ଶ୍ରୀଲଙ୍କା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ଧନଞ୍ଜୟ ଡି ସିଲଭା ସର୍ବାଧିକ ୫୭ ରନ (୩୬ ବଲ, ୮ ଚୌକା, ୧ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥବା ବେଳେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ୩୧ ରନକରି ଆଉଟ ହୋଇଥିଲେ। ବାକି ୯ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଦ୍ରୁତ ବୋଲର ନବଦୀପ ସଇନି ସର୍ବାଧିକ ୩, ଶାର୍ଦ୍ଦୁଳ ଠାକୁର ଓ ଓ୍ବାଶିଂଟନ ସୁନ୍ଦର ୨ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଭାରତ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲା। ଦୁଇ ଓପନର ଶିଖର ଧାଓ୍ବନ ଓ ଲୋକେଶ ରାହୁଲ ଆଉଟ ହେବା ପୂର୍ବରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ଉଇକେଟରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୬୫ଟି ବଲ ଖେଳି ୯୭ ରନ ସଂଗ୍ରହ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ତେବେ ୩୬ ବଲରୁ ୭ ଚୌକା ଓ ୧ ଛକା ସହ ୫୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି କ୍ରିଜ୍‌ରେ ଜମିଆସୁଥିବା ବେଳେ ଧାଓ୍ବନ ବାମହାତୀ ଚାଇନାମ୍ୟାନ ଲକ୍ଷଣ ସନ୍ଦାକନଙ୍କ ବଲ୍‌କୁ ଜୋରରେ ସୁଇପ୍‌ କରି ମିଡ୍‌ ଉଇକେଟରେ ଦନୁଷ୍କା ଗୁଣତିଲକାଙ୍କ ହାତରେ ଧରାପଡିଥିଲେ। ଏହାପରେ ମାତ୍ର ୨୫ ରନ ମଧ୍ୟରେ ୩ଟି ଉଇକେଟର ପତନ ହୋଇଥିଲା। ଦୀର୍ଘଦିନ ପରେ ଖେଳିବାର ସୁଯୋଗ ପାଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ବ୍ୟାଟିଂ କରିବାକୁ ଆସି ପ୍ରଥମ ବଲ୍‌ରେ ଛକା ମାରି ଇନିଂସ ଆରମ୍ଭ କରିଥିଲେ ମଧ୍ୟ ଦ୍ୱିତୀୟ ବଲ୍‌ରେ ଆଉଟ ହୋଇଥିଲେ। ସେ ଲାଇନ ମିସ୍‌ କରି ଧନଞ୍ଜୟ ଡି ସିଲଭାଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରାହୁଲ ୩୬ଟି ବଲ୍‌ ଖେଳି ୫ ଚୌକା ଓ ୧ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ପାଳି ଖେଳି ସନ୍ଦାକନଙ୍କ ବଲ୍‌ରେ କୁଶଲ ପେରେରାଙ୍କ ଦ୍ୱାରା ଷ୍ଟମ୍ପ ଆଉଟ ହୋଇଥିଲେ। ଯୁବ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ୪ ରନ କରି ସନ୍ଦକାନଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ଆୟାରଙ୍କ ପରେ ପାଳି ପଡିଥିଲା ଅଧିନାୟକ ବିରାଟ କୋହଲିଙ୍କର। ୧୭ଟି ବଲର ସମ୍ମୁଖୀନ ହୋଇ କୋହଲି ୨ ଚୌକା ଓ ୧ ଛକା ସହ ୨୬ ରନ କରିଥିବା ବେଳେ ଦୁଇ ରନ ନେବାକୁ ପ୍ରୟାସ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଡିପ୍‌ ସ୍କୋୟାର ଲେଗ୍‌ରୁ ଗୁଣତିଲକାଙ୍କ ଥ୍ରୋରେ ସେ ଉଇକେଟକିପର କୁଶଲ ପେରେରାଙ୍କ ଦ୍ୱାରା ରନଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାର ଠିକ୍‌ ପର ବଲ୍‌ରେ ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିବା ପୂର୍ବରୁ ଲାହିରୁ କୁମାରାଙ୍କ ବଲ୍‌ରେ ଥାର୍ଡ ମ୍ୟାନ୍‌ରେ ସନ୍ଦାକନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ମନୀଷ ପାଣ୍ଡେ ଓ ଶାର୍ଦ୍ଦୁଳ ଠାକୁର ଆଉ କୌଣସି କ୍ଷତି ହେବାକୁ ନ ଦେଇ ସପ୍ତମ ଉଇକେଟରେ ମାତ୍ର ୧୪ଟି ବଲରୁ ଦ୍ରୁତ ୩୭ ରନକରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ପାଣ୍ଡେ ୧୮ ବଲରୁ ୪ ଚୌକା ସହ ୩୧ ଓ ଠାକୁର ୮ ବଲରୁ ୧ ଚୌକା ଓ ୨ ଛକା ସହ ୨୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ସନ୍ଦକାନ ୩, କୁମାରା ଓ ଡି ସଲଭା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଥିଲା। ଶିବମ୍‌ ଦୁବେ, ରିଷଭ ପନ୍ତ ଓ କୁଲଦୀପ ଯାଦବଙ୍କୁ ବାଦ ଦିଆଯାଇ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ, ସଞ୍ଜୁ ସାମସନ ଓ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ସେହିପରି ଶ୍ରୀଲଙ୍କା ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଭାନୁକା ରାଜପାକସା ଓ ଇସୁରୁ ଉଡାନାଙ୍କ ବଦଳରେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଓ ଲକ୍ଷନ ସନ୍ଦକାନଙ୍କୁ ଦଳରେ ସାମିଲ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୨୦୧/୬
(ରାହୁଲ-୫୪, ଧାଓ୍ବନ- ୫୨, ପାଣ୍ଡେ- ୩୧*, କୋହଲି- ୨୬, ଠାକୁର- ୨୨*, ସନ୍ଦାକନ- ୩/୩୫, କୁମାରା- ୧/୪୬, ଡି ସିଲ୍‌ଭା- ୧/୨୭)।
ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩ ରନରେ ଅଲଆଉଟ
(ଡି ସିଲଭା- ୫୭, ମାଥ୍ୟୁସ- ୩୧, ସଇନି- ୩/୨୮, ଠାକୁର- ୨/୧୯, ସୁନ୍ଦର- ୨/୩୭)।


Enter your email to get our daily news in your inbox.

All Right Reserved By Dharitri.Com

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri