ଆକର୍ଷଣ ସାଜିଛି ଏସ୍‌ଏଚ୍‌ଜି ମହିଳାଙ୍କ ପସରା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ମିଶନ ଶକ୍ତି ମେଳାରେ ସମଗ୍ର ରାଜ୍ୟରୁ ଆସିଥିବା ସ୍ବଂୟ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଆକର୍ଷଣ ସାଜିଛି। ଢେଙ୍କାନାଳ ଡୋକ୍ରା କାରୁକାର୍ଯ୍ୟରୁ ଆରମ୍ଭକରି କନ୍ଧମାଳ ହଳଦୀ, ରାୟଗଡ଼ା ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ଫଳ ଓ ପନିପରିବା ସମେତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଆଚାର, ଚଟଣି, ମସଲା ଗୁଣ୍ଡ ଆଦି ସବୁକିଛି ଏହି ଗୋଟିଏ ସ୍ଥାନରେ ମିଳୁଛି। ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଦର୍ଶନୀ ପଡିଆରେ ଚାଲିଥିବା ଏହି ମେଳାରେ ୨୫୧ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉପତ୍ାଦକ ଗୋଷ୍ଠୀର ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ସାମଗ୍ରୀ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ହେଉଛି।

ଶୋ’ ଷ୍ଟପର୍‌ ‘ମ୍ୟାଙ୍ଗୋ ସ୍କ୍ବାଶ୍‌’
ଭୁବନେଶ୍ୱରରେ ପ୍ରଥମଥର ପାଇଁ ଏହି ମେଳାରେ ମିଳୁଛି ମ୍ୟାଙ୍ଗୋ ସ୍କ୍ବାଶ୍‌ ବା ଭେଜିଟେବୁଲ ପିୟର୍‌। ଜନଜାତି ଭାଷାରେ ‘ବେଲର ବାଇଗଣ’ ଭାବେ ଜଣାଶୁଣା ଏହି ପରିବାର ନାଁ ଯେପରି ନିଆରା ଏହାର ସ୍ବାଦ ମଧ୍ୟ ସେଭଳି ଭିନ୍ନ। ପାହାଡ଼ିଆ ଅଞ୍ଚଳରେ ଆଦିମ ଜନଜାତିଙ୍କ ଦ୍ୱାରା ଚାଷ ହେଉଥିବା ଏହି ପରିବା ମଧ୍ୟ ଆମେରିକୀୟ ଅଞ୍ଚଳର ଏକ ଲୋକପ୍ରିୟ ଖାଦ୍ୟ। ଭିଟାମିନ୍‌ ବି, ଭିଟାମିନ୍‌ ସି, ପୋଟାସିୟମ ଓ ଆମିନୋ ଏସିଡ୍‌ରେ ପରିପୂର୍ଣ୍ଣ ଏହି ପରିବା ମିଶନ ଶକ୍ତି ମେଳାର ଶୋ’ ଷ୍ଟପର୍‌ ସାଜିଛି। ଦେଖିବାକୁ ଚକୋଲେଟ୍‌, ଫଳ ଓ ପିଜୁଳି ଭଳି ଲାଗୁଥିବା ଏହି ‘ବେଲର ବାଇଗଣ’ର ସ୍ବାଦ ପାଟିକୁ କାକୁଡ଼ି ଭଳି ଲାଗେ। ରାୟଗଡ଼ା ନିୟମଗିରିରୁ ରମାବାଈ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ଆଣିଥିବାବେଳେ ରାଜଧାନୀର ଲୋକଙ୍କ ମଧ୍ୟରେ ଏହାକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ମେଳା ବୁଲିବାକୁ ଆସୁଥିବା ଲୋକେ ଏହି ଷ୍ଟଲ୍‌ ପାଖରେ ସବୁଠାରୁ ଅଧିକ ଭିଡ଼ ଲଗାଉଛନ୍ତି। କିଏ ଚାଖିବାକୁ ଗୋଟିଏ ଦୁଇଟି ନେଉଛି ତ ଅଉ କେହି ଅଧାକେଜି, କେଜିଏ ନେଉଛି। କିଲୋପିଛା ମାତ୍ର ୪୦ ଟଙ୍କାରେ ବିକ୍ରି ହେଉଥିବା ଏହି ମ୍ୟାଙ୍ଗୋ ସ୍କ୍ବାଶ୍‌କୁ ନିୟମଗିରିର ଡଙ୍ଗରିଆ କନ୍ଧମାନେ ଚାଷ କରିଥାନ୍ତି। କଞ୍ଚାରେ ଖାଇବା ସହ ଏହାକୁ ଭଜା ଓ ତରକାରିରେ ମଧ୍ୟ ପକାଯାଏ ବୋଲି ଏହାକୁ ବିକ୍ରି କରୁଥିବା ସୁରୁମା କରକିଆ କହିଛନ୍ତି। କେବଳ ଏହି ମେଳା ନୁହେଁ, ରାଜ୍ୟ ଏବଂ ରାଜ୍ୟ ବାହାରେ ହେଉଥିବା ବିଭିନ୍ନ ମେଳାରେ ତାଙ୍କର ଏହି ବାଇଗଣକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷ ଚାହିଦା ରହିଥାଏ। ଗତ ୩ ଦିନରେ ଆମର ୪ରୁ ୫ବସ୍ତା ବାଇଗଣ ବିକ୍ରି ହୋଇ ସାରିଥିବାରୁ ଆହୁରି ମଗାଇଛୁ ବୋଲି ସେ କହିଛନ୍ତି। ଏହାବ୍ୟତୀତ ତାଙ୍କ ଷ୍ଟଲ୍‌ରେ ଥିବା ଅଦିନିଆ ସପୁରୀ, କଞ୍ଚା ଓ ଶୁଖିଲା ଶିକାକାଇ, ଖମ୍ବଆଳୁ, ଶିମ୍ବ, ଦେଶୀ କଞ୍ଚାକଦଳୀ, ଶୁଖିଲା ହଳଦୀ, ମାଣ୍ଡିଆ ସମେତ ବିଭିନ୍ନ ପ୍ରକାରର ଡାଲି କିଣିବାକୁ ପ୍ରବଳ ଭିଡ଼ ଜମୁଛି।

ମାଣ୍ଡିଆ କାଫେର ‘ମାଣ୍ଡିଆ ବିରିୟାନୀ’
କୌଣସି ତାରକା ହୋଟେଲ କିମ୍ବା ବଡ଼ ରେଷ୍ଟୁରାଣ୍ଟ ନୁହେଁ, କେବଳ ମହିଳାଙ୍କ ଦ୍ୱାରା ଦେଶୀ ଶୈଳୀରେ ପ୍ରସ୍ତୁତ ଘର ତିଆରି ଖାଦ୍ୟ ମିଶନ ଶକ୍ତି ମେଳା ଫୁଡ୍‌ଷ୍ଟଲ୍‌ର ମୁଖ୍ୟ ଆକର୍ଷଣ ସାଜିଛି। ଅଧିକାଂଶ ମେଳା, ମହୋତ୍ସବରେ ବିଦେଶୀ ଓ ଫାଷ୍ଟ୍‌ଫୁଡ୍‌ ଖାଦ୍ୟ ବିକ୍ରି ହେଉଥିବା ବେଳେ ଏଠାରେ ମିଳୁଛି ମାଣ୍ଡିଆରେ ପ୍ରସ୍ତୁତ ସାଦା ଓ ଚିକେନ୍‌ ବିରିୟାନୀ। ମେଳାରେ ସ୍ବତନ୍ତ୍ର ଭାବେ ଏକ ‘ମାଣ୍ଡିଆ କାଫେ’ ଖୋଲିଛି। ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ମିଲେଟ୍‌ ବା ମାଣ୍ଡିଆରୁ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ଦେଶୀ ଓ ବିଦେଶୀ ତଡ୍‌କା ସାଙ୍ଗକୁ ଏଠାରେ ପ୍ରସ୍ତୁତ ହେଉଛି ମାଣ୍ଡିଆ ଚିକେନ୍‌ ପକୋଡା, ମାଣ୍ଡିଆ ସ୍ୟାଣ୍ଡ୍‌ୱିଚ୍‌, ମାଣ୍ଡିଆ ବରା, ମାଣ୍ଡିଆ ଆଳୁଚପ୍‌। ମାଣ୍ଡିଆରୁ ପ୍ରସ୍ତୁତ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ପ୍ରକାରର ଖାଦ୍ୟ ଏଠାରୁ ଗ୍ରାହକ ପାଇପାରୁଥିବା ବେଳେ ମାଣ୍ଡିଆ ସାଦା ଓ ଚିକେନ୍‌ ବିରିୟାନୀର ଚାହିଦା ସବୁଠାରୁ ଅଧିକ ରହିଛି। ସେହିଭଳି ଜନଜାତି ମହିଳାଙ୍କ ଦ୍ୱାରା ସୁଆଁ, କାଙ୍ଗୁ, ଜହ୍ନା, ବାଜରା, ଚିନା, ଖୀରା ଓ ଚାଉଳରୁ ପ୍ରସ୍ତୁତ ଅନେକ ସାମଗ୍ରୀ ଏଠାରୁ ମିଳୁଛି। ତ୍ରିଶକ୍ତି ମହିଳା ପରିଷଦ ପକ୍ଷରୁ ପ୍ରସ୍ତୁତ ହେଉଥିବା ଏହି ଖାଦ୍ୟରେ ମଇଦା ଓ କର୍ନଫ୍ଲୋର ପରିବର୍ତ୍ତେ ମାଣ୍ଡିଆ ବ୍ୟବହାର କରାଯାଉଛି। ଏଥିପାଇଁ ଏନ୍‌ସିଡିସି ପକ୍ଷରୁ ୨୦ଜଣ ମହିଳାଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି। ଏହାବ୍ୟତୀତ ବାରିପଦା ମୁଢିମାଂସ, ନୟାଗଡ଼ ଛେନାପୋଡ଼, ବରା, ଆଳୁକଷା, ଚକୁଳି ଓ ମାଂସ ତରକାରି, ଅଣ୍ଡା ଚପ୍‌ ଆଦି ଏଠାରେ ମିଳୁଛି।
‘ମଷ୍ଟାର୍ଡ ଶସ୍‌’କୁ ଟକ୍କର ଦେଉଛି ‘ସୋରିଷ ଚଟଣି’
ସ୍ୟାଣ୍ଡ୍‌ଓ୍ବିଚ୍‌ରୁ ଆରମ୍ଭକରି ବର୍ଗର, ପାସ୍ତା ପର୍ଯ୍ୟନ୍ତ ପାଶ୍ଚାତ୍ୟ ଖାଦ୍ୟ ସାମଗ୍ରୀରେ ମଷ୍ଟାର୍ଡ ଶସ୍‌ ଏକ ଲୋକପ୍ରିୟ ଇନ୍‌ଗ୍ରେଡିଏଣ୍ଟ୍‌। ତେବେ ଟମାଟୋ, ଚିଲି ଓ ଅନ୍ୟାନ୍ୟ ଶସ୍‌ ଭଳି ଏହି ଶସ୍‌ ଏବେ ଭାରତରେ ଲୋକ୍‌ପ୍ରିୟ ହୋଇଥିବାବେଳେ ଏହାର ଚାହିଦା ବେଶ୍‌ ଅଧିକ ରହୁଛି। କାଫେ, ରେଷ୍ଟୁରାଣ୍ଟରେ ଆଜିକାଲି ଏହା ଅଧିକ ବ୍ୟବହାର ହେଉଥିବାରୁ ବଡ଼ ବଡ଼ ଗ୍ରୋସରୀ ଓ ରିଟେଲ ଷ୍ଟୋର୍‌ରେ ବିଭିନ୍ନ ବ୍ରାଣ୍ଡ୍‌ର ମଷ୍ଟାର୍ଡ ଶସ୍‌ ଚଢା ଦାମ୍‌ରେ ବିକ୍ରି ହେଉଛି। ତେବେ ମିଶନ ଶକ୍ତି ମେଳାରେ ଏହି ମଷ୍ଟାର୍ଡ ଶସ୍‌କୁ ଟକ୍କର ଦେବାକୁ ଆସିଛି ଦେଶୀ ଉପାୟରେ ପ୍ରସ୍ତୁତ ସୋରିଷ ଚଟଣି। ଶତ ପ୍ରତିଶତ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ଚଟଣି ସିଧା ଆସିଛି ଜେଜେ ମା’ଙ୍କ ରୋଷେଇଶାଳରୁ। ପାଟିକୁ ଚଟ୍‌ପଟା ସୁଆଦ ସହ କଡ଼ା ଲାଗୁଥିବା ଏହି ଚଟଣି ବିଦେଶୀ ମଷ୍ଟାର୍ଡ ଶସ୍‌ଠାରୁ ଅଧିକ ସୁସ୍ବାଦୁ ହୋଇଥିବା ବେଳେ ଦାମ୍‌ ମଧ୍ୟ ବହୁତ କମ୍‌ ରହୁଛି। ସୁଦୂର ନୂଆପଡ଼ା ଜିଲା ସିଲେଟ୍‌ପାଣି ବ୍ଲକ୍‌ ସ୍ବଂୟ ସହାୟକ ଗୋଷ୍ଠୀର ଯୁବତୀ ଓ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଟଣି ବ୍ୟତୀତ ପାଚିଲା ଲଙ୍କା, କଞ୍ଚା ଲଙ୍କା, ବରକୋଳି, ଅଁଳା, ଆମ୍ବ, ଲେମ୍ବୁ, ପୋଦିନା ଓ ତେନ୍ତୁଳି ଚଟଣି ମଧ୍ୟ ପ୍ରଥମଥର ପାଇଁ ରାଜଧାନୀରେ ଦେଖିବାକୁ ମିଳୁଛି। ସମ୍ପୂର୍ଣ୍ଣ ଦେଶୀୟ ପଦ୍ଧତିରେ ହାତରେ ତିଆରି ହେଉଥିବା ଏହି ଚଟଣି ତିଆରିକରି ୨୩ ବର୍ଷୀୟ ବବିତା ମାଝି ରୋଜଗାରକ୍ଷମ ହୋଇପାରିଥିବା ବେଳେ ତାଙ୍କ ଗୋଷ୍ଠୀର ୧୬ଜଣ ମହିଳାଙ୍କୁ ଏହା ସ୍ବାବଲମ୍ବୀ କରିପାରିଛି। ବର୍ଷତମାମ୍‌ ଏଭଳି ଚଟଣି ସହ ଭଳିକି ଭଳି ଆଚାର, ଡାଲ୍‌ମା ମସଲା, ବିଭିନ୍ନ ତରକାରି ମସଲା, ଜଙ୍ଗଲଜାତ ମହୁ ଆଦି ବିକ୍ରିକରି ସେମାନେ ବାହାରକୁ ପଠାଉଛନ୍ତି। ବିନା ପିଆଜ, ରସୁଣରେ ପ୍ରସ୍ତୁତ ହେଉଥିବା ଏହି ଚଟଣି ମିଶନ ଶକ୍ତି ବ୍ରାଣ୍ଡ ଓ ଲେବଲିଂ ଥିବା ସ୍ବତନ୍ତ୍ର ବୋତଲରେ ବିକ୍ରି ହେଉଥିବାବେଳେ ଦାମ୍‌ ରହିଛି ମାତ୍ର ୬୦ଟଙ୍କା। ଫ୍ରିଜରେ ନ ରଖିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ଭାବେ ଖାଇ ହେବ ବୋଲି ବବିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri