ଭୁବନେଶ୍ୱର, ୨୨।୧୧(କ୍ରୀଡ଼ା ପ୍ରତିନିଧି)- ରେଡ୍ ବୁଲ୍ ଆଥଲେଟ୍ ଓ ବିଏମ୍ଏକ୍ସ ପାର୍କ କିମ୍ବଦନ୍ତୀ ଡାନିଏଲ୍ ଧେର୍ସ ଗୁରୁବାର କିଟ୍ ପରିସରରେ ଚିତ୍ତାକର୍ଷକ ଷ୍ଟଣ୍ଟ୍ (ଦୁଃସାହସିକ ସାଇକେଲ ଚାଳନା) ପ୍ରଦର୍ଶନ କରିଛନ୍ତି। ଅନେକ ଯୁବ ଦର୍ଶକ ଧେର୍ସଙ୍କ ଏହି ଷ୍ଟଣ୍ଟକୁ ମନଭରି ଉପଭୋଗ କରିଛନ୍ତି। ଦର୍ଶକମାନେ ଏପରି ମଜ୍ଜିଯାଇଥିଲେ ଯେ, ପ୍ରତି ୧୦ ମିନିଟରେ ବ୍ରେକ୍ ନେବାକୁ ଥିଲେ ହେଁ ଧେର୍ସ ତାହା ଭୁଲିଯାଇଥିଲେ। ଯୁବ ଦର୍ଶକଙ୍କ ଉପସ୍ଥିତି ଓ କୋଳାହଳ ତାଙ୍କୁ ଅଭୀଭୂତ କରିଥିଲା। ସେ ମଝିରେ ବ୍ରେକ୍ ନେଇ ନିଜ ପ୍ରିୟ ଦର୍ଶକଙ୍କୁ ନିରାଶ କରିବାକୁ ଚାହିଁ ନ ଥିଲେ। ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ଭାବ ବିନିମୟ ମଧ୍ୟ କରିଥିଲେ। ଦୁଃସାହସିକ ବାଇକ୍ ଚାଳନା ପ୍ରେମୀଙ୍କୁ ସେ ଷ୍ଟଣ୍ଟ ସମ୍ପର୍କରେ ମୂଲ୍ୟବାନ୍ ପରାମର୍ଶ ଦେଇଥିଲେ।
ଧେର୍ସ ଗତ ୧୬ ତାରିଖରେ ଭେନେଜୁଏଲାରୁ ଭାରତ ଭ୍ରମଣରେ ଆସିଛନ୍ତି। ଏଠାରେ ୨ ଦିନ ରହଣି ପରେ ସେ ଗୁଆହାଟୀରେ ହେବାକୁ ଥିବା ରେଡ୍ ବୁଲ୍ ଲୋକାଲ୍ ହିରୋ ଟୁର୍ରେ ଯୋଗଦେବେ। ପାଞ୍ଚଥର ୱାର୍ଲଡ ଏକ୍ସ ଗେମ୍ ଚାମ୍ପିୟନ୍ ଧେର୍ସ ଇମ୍ଫାଲରେ ଚଳିତମାସ ୨୪ରେ ହେବାକୁ ଥିବା ଏକ୍ସ-ଜାମ୍ରେ ମଧ୍ୟ ବିଚାରକ ଭାବେ ଯୋଗଦେବେ। ରେଡ୍ ବୁଲ୍ ଲୋକାଲ୍ ହିରୋ ଟୁର୍ନାମେଣ୍ଟ ଜରିଆରେ ପରବର୍ତ୍ତୀ ପିଢ଼ିର ଦୁଃସାହସିକ କ୍ରୀଡ଼ା ପ୍ରତି ରୁଚି ରଖୁଥିବା ଯୁବକଙ୍କ ପାଖରେ ପହଞ୍ଚତ୍ବା ତାଙ୍କର ଲକ୍ଷ୍ୟ। ଆମ୍ବାସାଡର ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ସେ ସାରା ବିଶ୍ୱରେ ଏହି କ୍ରୀଡ଼ାର ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି। ଡାନିଏଲ୍ ଧେରସ୍ ହେଉଛନ୍ତି ଭେନେଜୁଏଲାର ଜଣେ ରେଡ୍ ବୁଲ୍ କ୍ରୀଡ଼ାବିତ୍ ଓ ବିଏମ୍ଏକ୍ସ ପାର୍କ କିମ୍ବଦନ୍ତୀ। ୨୦୦୬ ତାଙ୍କ ପାଇଁ ଉଲ୍ଲେଖନୀୟ ବର୍ଷ ଥିଲା। ଏହି ବର୍ଷ ସେ ଆକ୍ସନ୍ ସ୍ପୋଟର୍ସ ଟୁର୍ ଟାଇଟଲ୍ ଜିତିଥିଲେ। ସେ ଏକ୍ସ ଗେମ୍ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛନ୍ତି। ୨୦୧୪ରେ ସେ ଏଫ୍ଆଇଏସ୍ଇ ୱାର୍ଲଡ ସିରିଜ୍ ଚାମ୍ପିୟନ୍ ହୋଇଥିଲେ। ସୂଚନା ଅନୁସାରେ, ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଦିନରେ ଏସୀୟ କିମ୍ବା ଜାତୀୟସ୍ତରୀୟ ରେଡ୍ ବୁଲ୍ ଲୋକାଲ୍ ହିରୋ ବିଏମ୍ଏକ୍ସ ଟୁର୍ନାମେଣ୍ଟ ଆୟୋଜନ ହେବା ସମ୍ଭାବନା ରହିଛି। ଧେରସଙ୍କ ଷ୍ଟଣ୍ଟ ଅବସରରେ ରେଡ୍ ବୁଲ୍ର ଆଥଲେଟ୍ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


