ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ଓଡ଼ିଶା ବିଧାନସଭାର ସେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ଗୁରୁବାର ବିଳମ୍ବିତ ରାତିରେ ନୀଳଗିରିରେ ହିଁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
୭୮ ବର୍ଷ ବୟସରେ ଆଖି ବୁଜିଲେ ଅକ୍ଷୟ ଆଚାର୍ଯ୍ଯ। ଗୁରୁବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାକୁ ଅଣାଯାଇଥିଲା, ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ଅଧା ରାସ୍ତାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ ଅକ୍ଷୟ । ସେ ୧୯୮୦-୮୫ ଏବଂ ୧୯୯୫-୨୦୦୦ ଯାଏଁ ଥିଲେ ବିଧାୟକ ଥିଲେ । ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୬୯ ମସିହାରେ ଭାରତୀୟ କଂଗ୍ରେସ ଯୋଗ ଦେଇଥିଲେ । ଅକ୍ଷୟ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।
ନୀଳଗିରି ନିର୍ବାଚନ ମଣ୍ଡଳୀ ର ବିକାଶ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶୁକ୍ରବାର ସକାଳେ ତାଙ୍କ ପାର୍ଥିବ ଶରୀର ନୀଳଗିରି ଠାରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, କଂଗ୍ରେସ ଯୁବନେତା ଆଶିଷ ପଟ୍ଟନାୟକ, ସମର ଦାସ ବହୁ ସଂଖ୍ୟାରେ ନେତା, ସାଧାରଣ ଜନତା, ବୁଦ୍ଧିଜୀବୀ, ଆଇନଜୀବୀ ଉପସ୍ଥିତ ରହି ମାଲ୍ୟାର୍ପଣ ପ୍ରଦାନ କରି ଶୋକ ପ୍ରକାଶ କରିଥିଲେ। ସେ ଜଣେ ଦକ୍ଷ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ର ଅଧିକାରୀ ଥିଲେ । ତାଙ୍କ ବିୟୋଗ ରେ ନୀଳଗିରି ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଉପସ୍ଥିତ ବୁଦ୍ଧିଜୀବୀ କହିଛନ୍ତି ।
Dharitri – Odisha’s No.1 Odia Daily


