ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ ନାହିଁ। ଆହ୍ଲାବାଦ୍ ହାଇକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ଜଷ୍ଟିସ୍ ହରବୀର ସିଂଙ୍କ ଏକକ ଖଣ୍ଡପୀଠ ଆଲିଗଡ଼ ପରିବାର କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ମାସିକ ୨୦,୦୦୦ ଟଙ୍କା ଭରଣପୋଷଣ ଆଦେଶକୁ ଚ୍ୟାଲେଞ୍ଜ କରି ମହମ୍ମଦ ଆସିଫ୍ଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।
ଆବେଦନକାରୀ ମହମ୍ମଦ ଆସିଫ୍ ନିଜକୁ ବାଙ୍ଗାଲୋରର ଏକ ହାର୍ଡୱେର୍ ଦୋକାନରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଦର୍ଶାଇ ମାସିକ ୨୦,୦୦୦ ଟଙ୍କା ଦେବା ତାଙ୍କ ଆର୍ଥିକ ସାମର୍ଥ୍ୟ ବାହାରେ ବୋଲି ଯୁକ୍ତି ବାଢ଼ିଥିଲେ।
ପ୍ରଥମ ପତ୍ନୀଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଆସିଫ୍ ଦ୍ୱିତୀୟ ବିବାହ କରିଛନ୍ତି। ଏହା ସହ ସେ କାର୍ଯ୍ୟ କରୁଥିବା ହାର୍ଡୱେର୍ ଦୋକାନ ତାଙ୍କ ବାପାଙ୍କର ଏବଂ ସେମାନେ GST ପଞ୍ଜୀକୃତ ବ୍ୟବସାୟୀ ଓ ଟ୍ୟାକ୍ସ ପ୍ରଦାନକାରୀ। ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, “ଯଦି ଆବେଦନକାରୀ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭରଣପୋଷଣ କରିପାରୁଛନ୍ତି, ତେବେ ପ୍ରଥମ ପତ୍ନୀଙ୍କୁ ଅଣଦେଖା କରିପାରିବେ ନାହିଁ।”
ଜଷ୍ଟିସ୍ ସିଂହ, ସୁପ୍ରିମକୋର୍ଟଙ୍କ ଶମିମା ଫାରୁକି ବନାମ ଶାହିଦ୍ ଖାନ୍ ମାମଲାର ରାୟକୁ ଉଦ୍ଧାର କରି କହିଥିଲେ ଯେ, ଆଇନତଃ ବିବାହିତ ପତ୍ନୀଙ୍କ ଭରଣପୋଷଣ ଦାୟିତ୍ୱକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଯେତେବେଳେ ପ୍ରଥମ ପତ୍ନୀ ବାପା-ମାଆଙ୍କ ଉପରେ ନିର୍ଭରଶୀଳ, ସେତେବେଳେ ଆର୍ଥିକ ସହାୟତା ଅତ୍ୟନ୍ତ ଜରୁରୀ।
ଏହି ଆଧାରରେ ହାଇକୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଅସିଦ୍ଧ ଘୋଷଣା କରି ତାଙ୍କର କ୍ରିମିନାଲ ରିଭିଜନ୍ ଆବେଦନକୁ ଖାରଜ କରି ଦେଇଛନ୍ତି।


