ର୍ତ୍ତମାନ ପୃଥିବୀ ଜଳବାୟୁ ପରିବର୍ତ୍ତନ ଭଳି ଏକ ସଙ୍କଟମୟ ସ୍ଥିତି ଦେଇ ଗତି କରୁଛି। ଏହାର ପ୍ରଭାବକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ। କାରଣ ଜାଗତିକ ଉଷ୍ଣତା ବୃଦ୍ଧି। କେତୋଟି ସବୁଜଗୃହ ଗ୍ୟାସ୍ର ନିର୍ଗମନ ହେଉଛି ଏହାର କାରଣ। ଏହି ଗ୍ୟାସ୍ଗୁଡ଼ିକ ମଧ୍ୟରେ ଅଙ୍ଗାରକାମ୍ଳକୁ ଅଧିକ ଭାବରେ ଦୋଷୀ ମନେକରାଯାଉଛି। ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଜଳବାୟୁ ପରିବର୍ତ୍ତନ ଜଣାପଡ଼ିବା ପରେ ଏହାର ନିରାକରଣ ପାଇଁ ବିଭିନ୍ନ ଦେଶ ଏକାଠିହୋଇ ଅନେକ ପ୍ରସ୍ତାବ ଗ୍ରହଣ କରିଛନ୍ତି। ୨୦୧୫ ଡିସେମ୍ବରରେ ଫ୍ରାନ୍ସର ପ୍ୟାରିସ୍ଠାରେ ହୋଇଥିବା ସମ୍ମିଳନୀରେ ପ୍ରତ୍ୟେକ ଦେଶ ସ୍ବେଚ୍ଛାକୃତ ଭାବେ ବାୟୁମଣ୍ଡଳକୁ କାର୍ବନ ନିର୍ଗମନ ହ୍ରାସକରିବା ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣ ଘୋଷଣା କରିଥିଲେ। ଏହାପରେ ପ୍ରତି ୫ବର୍ଷରେ ଥରେ ସେହି ସମ୍ବନ୍ଧୀୟ ତଥ୍ୟଦେବା ସହ ଏହି ପରିମାଣକୁ ପୁନଃ ନିର୍ଦ୍ଧାରଣ କରିବାର ବ୍ୟବସ୍ଥା ମଧ୍ୟ ପ୍ୟାରିସ୍ ରାଜିନାମାରେ ଅଛି। ୟୁରୋପୀୟ ଦେଶସମୂହ ସମେତ କେତେକ ଦେଶ ୨୦୫୦ ସୁଦ୍ଧା ନେଟ୍ ଶୂନ୍ କାର୍ବନ ନିର୍ଗମନ ହାସଲକରିବା ପାଇଁ ଘୋଷଣା କରିଛନ୍ତି। ଚାଇନା ଓ ଭାରତ ଯଥାକ୍ରମେ ୨୦୬୦ ଓ ୨୦୭୦ ମସିହାରେ ଏହା ହାସଲ କରିବା ପାଇଁ ଘୋଷଣା କରିଛନ୍ତି।
କାର୍ବନ ଉତ୍ସର୍ଜନ ହ୍ରାସ କରିବା ପାଇଁ ବିଭିନ୍ନ ଦେଶର କାର୍ଯ୍ୟକଳାପକୁ ଅନୁଧ୍ୟାନକଲେ, ଆଶା କରାଯାଏ ଯେ ଏହା ଧୀରେ ଧୀରେ ହ୍ରାସ ପାଇବ। କିନ୍ତୁ ଏହା ପରିବର୍ତ୍ତେ ବଢ଼ିବାରେ ଲାଗିଛି ବୋଲି ଜଣାପଡ଼ିଛି। ଜାଗତିକ ସବୁଜଗୃହ ନିର୍ଗମନରେ ଜୀବାଶ୍ମ ଦହନରୁ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ଅବଦାନ ଅଧିକ। ଏହାର ପରିମାଣ ବୃଦ୍ଧି ପାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏକ ଅନ୍ତର୍ଜାତୀୟ ସଂସ୍ଥା ‘ଏଡ୍ଗାର’ ୨୦୨୪ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ଦେଶରେ କାର୍ବନ ନିର୍ଗମନର ଏକ ବିସ୍ତୃତ ରିପୋର୍ଟ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ରକାଶ କରିଛି। ଏହା ଅନୁଯାୟୀ ୨୦୨୪ ମସିହାରେ ପୃଥିବୀରେ ସବୁଜଗୃହ ଗ୍ୟାସ୍ ୫୩.୨ ଗିଗାଟନ୍କୁ ବୃଦ୍ଧି ପାଇଛି। ଏହା ହେଉଛି ୨୦୨୩ ମସିହା ତୁଳନାରେ ୧.୩ ପ୍ରତିଶତ ବା ୬୬୫ ନିୟୁତ ଟନ୍ ଅଧିକ।
୨୦୨୪ ମସିହାରେ ଚାଇନା, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ୟୁରୋପୀୟ ସଂଘ, ରୁଷିଆ ଓ ଇଣ୍ଡୋନେସିଆ ପୃଥିବୀରେ ବୃହତ୍ତମ କାର୍ବନ ନିର୍ଗମନକାରୀ ଦେଶ ଭାବେ ଜଣାପଡ଼ିଛି। ଏହି ଦେଶଗୁଡ଼ିକ ମିଳିତ ଭାବେ ମୋଟ ସବୁଜଗୃହ ଗ୍ୟାସ୍ର ୬୧.୮ପ୍ରତିଶତ ନିର୍ଗମନ କରିଛନ୍ତି। ୨୦୨୪ରେ ଶୀର୍ଷ ନିର୍ଗମନକାରୀ ଦେଶଗୁଡ଼ିକ ମଧ୍ୟରେ ଚାଇନା, ଭାରତ, ରୁଷିଆ ଓ ଇଣ୍ଡୋନେସିଆ ୨୦୨୩ ତୁଳନାରେ ଅଧିକ କାର୍ବନ ନିର୍ଗମନ କରିଛନ୍ତି। ଏମାନଙ୍କ ମଧ୍ୟରେ ଇଣ୍ଡୋନେସିଆରେ ଆପେକ୍ଷିକ ଭାବେ ସର୍ବାଧିକ ବୃଦ୍ଧି(୫ ପ୍ରତିଶତ) ଏବଂ ଭାରତରେ ପରିମାଣ ଭାବେ (୧୬୪.୮ ନିୟୁତ ଟନ୍) ସର୍ବାଧିକ ବୃଦ୍ଧି ହୋଇଛି। ରିପୋର୍ଟରୁ ପୁନଶ୍ଚ ଜଣାପଡ଼ିଛି, ୨୦୦୯ ଓ ୨୦୨୦ କୁ ଛାଡ଼ିଦେଲେ ଏହି ଶତାବ୍ଦୀର ଆରମ୍ଭରୁ ସବୁଜଗୃହ ନିର୍ଗମନ କ୍ରମାଗତ ବୃଦ୍ଧି ପାଇଛି। ୨୦୦୯ ମସିହାରେ ପୃଥିବୀରେ ଆର୍ଥିକ ସଙ୍କଟ ଯୋଗୁ ଏବଂ ୨୦୨୦ରେ କୋଭିଡ୍ ମହାମାରୀ ଯୋଗୁ ବିଭିନ୍ନ କଳକାରଖାନାରେ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହି ୨ବର୍ଷ କାର୍ବନ ନିର୍ଗମନ କମ୍ ଥିଲା। ଚଳିତ ଶତାବ୍ଦୀରେ ପୃଥିବୀରେ କାର୍ବନ ନିର୍ଗମନ ବୃଦ୍ଧିର କାରଣ ହେଉଛି ଚାଇନା, ଭାରତ ଏବଂ ଅନ୍ୟ ବିକାଶଶୀଳ ଦେଶରେ କୋଇଲା ଓ ପେଟ୍ରୋଲିୟମ ତୈଳର ଅଧିକ ବ୍ୟବହାର।
ଏଡ୍ଗାର୍ ରିପୋର୍ଟରୁ ପୁଣି ଜଣାପଡ଼ିଛି, ୨୦୨୪ ମସିହାରେ ନିର୍ଗତ ସବୁଜଗୃହ ଗ୍ୟାସ୍ ଗୁଡ଼ିକ ମଧ୍ୟରେ ଜୀବାଶ୍ମ ଇନ୍ଧନଜନିତ ଅଙ୍ଗାରକ୍ଲାମ ପରିମାଣ ହେଉଛି ସର୍ବାଧିକ। ମୋଟ ନିର୍ଗମନରେ ଏହାର ପରିମାଣ ୭୪.୫ ପ୍ରତିଶତ ଥିବାବେଳେ ମିଥେନ, ନାଇଟ୍ରସ୍ ଅକ୍ସାଇଡ୍ ଓ ଫ୍ଲୋରିନେଟେଡ୍ ଗ୍ୟାସ୍ର ପରିମାଣ ଯଥାକ୍ରମେ ହେଉଛି ୧୭.୯ ପ୍ରତିଶତ, ୪.୮ ପ୍ରତିଶତ ଓ ୨.୮ ପ୍ରତିଶତ। ୧୯୯୦ ପରଠାରୁ ଜୀବାଶ୍ମ ଅଙ୍ଗାରକାମ୍ଳର ପରିମାଣ ୭୪.୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଗୁଡ଼ିକର ବୃଦ୍ଧି କମ୍ ରହିଛି।
ୟୁରୋପୀୟ ସଂଘ ନିଷ୍ଠାପର ଭାବେ କାର୍ଯ୍ୟକରି କାର୍ବନ ଉତ୍ସର୍ଜନକୁ ହ୍ରାସ କରିବାରେ ସଫଳ ହୋଇଛି। ୧୯୯୦ ତୁଳନାରେ ୨୦୨୪ରେ ଏହାର ଉତ୍ସର୍ଜନ ୩୫ ପ୍ରତିଶତ କମ୍ ଅଛି ଏବଂ ୨୦୨୩ ତୁଳନାରେ ଏହା ୧.୮ ପ୍ରତିଶତ ହ୍ରାସ କରିପାରିଛି। ସମଗ୍ର ପୃଥିବୀରେ କାର୍ବନ ଉତ୍ସର୍ଜନରେ ୨୦୨୩ ମସିହାରେ ଏହାର ଅଂଶ ୬.୧ ପ୍ରତିଶତ ଥିବାବେଳେ ୨୦୨୪ ରେ ଏହା ୫.୯ ପ୍ରତିଶତକୁ ହ୍ରାସ ପାଇଛି।
କାର୍ବନ ନିର୍ଗମନରେ ଜୀବାଶ୍ମ ଇନ୍ଧନର ଅବଦାନ ହେଉଛି ସର୍ବାଧିକ। ଏହା ମୁଖ୍ୟତଃ ତାପଜ ବିଦ୍ୟୁତ୍ କେନ୍ଦ୍ର, ଲୌହ ଓ ଇସ୍ପାତ ଶିଳ୍ପ, ସିମେଣ୍ଟ କାରଖାନା ଏବଂ ଅନ୍ୟ କେତେକ ଇନ୍ଧନ ସଘନ କାରଖାନାରେ ବ୍ୟବହୃତ ହୁଏ। ଏହିସବୁ ଗୋଟିଏ ଦେଶର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟୁତ୍ କେନ୍ଦ୍ର ବ୍ୟତୀତ ଅନ୍ୟ କାରଖାନାରେ କାର୍ବନ ନିର୍ଗମନ ହ୍ରାସ ହେଉଛି କଷ୍ଟକର। କାରଣ ସେଠାରେ ଇନ୍ଧନର କୌଣସି ଉପଯୁକ୍ତ ବିଳକ୍ପ ବିକଶିତ ହୋଇନାହିଁ। କିନ୍ତୁ ତାପଜ ବିଦ୍ୟୁତ୍ର ବିଳକ୍ପ ଭାବେ ସୌର, ପବନ, ଜଳବିଦ୍ୟୁତ୍, ପରମାଣୁ ବିଦ୍ୟୁତ୍ ଆଦିର ସଫଳ ବିକାଶ ହୋଇପାରିଛି। ଏଣୁ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବାକୁ ହେଲେ ଏଗୁଡ଼ିକ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ।
ଗୋଟିଏ ଭଲ ସଙ୍କେତ ଆସିଛି ଯେ ୨୦୨୫ ମସିହାର ପ୍ରଥମ ୬ ମାସରେ ପୃଥିବୀରେ ତାପଜ ବିଦ୍ୟୁତ୍ ଉତ୍ସାଜନକୁ ଅକ୍ଷୟ ଶକ୍ତି ଉତ୍ପାଦନ ଅତିକ୍ରମ କରିଯାଇଛି। ଏହି ବର୍ଷର ଅତିରିକ୍ତ ବିଦ୍ୟୁତ୍ ଚାହିଦାକୁ ସୌରଶକ୍ତି ଓ ପବନ ଶକ୍ତି ଦ୍ୱାରା ପୂରଣ କରାଯାଇପାରିଛି। ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା ଆକଳନ କରିଛି ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ପୃଥିବୀରେ ଅକ୍ଷୟ ଶକ୍ତି ଉତ୍ପାଦନ ୨ଗୁଣ ହେବ ଏବଂ ଏହାର ୮୦ ପ୍ରତିଶତ ସୌର ଓ ପବନ ଶକ୍ତିରୁ ଆସିବ। ଏହି ସଂସ୍ଥା ପୁନଶ୍ଚ ପ୍ରକାଶ କରିଛି , ଏହି ଦଶନ୍ଧି ସୁଦ୍ଧା ଚାଇନା ଓ ଭାରତ ପୃଥିବୀର ବୃହତ୍ତମ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ଦେଶ ହେବେ। ସୂଚନାଯୋଗ୍ୟ, ଭାରତ ୨୦୧୫ ରେ ପ୍ୟାରିସ୍ ରାଜିନାମାରେ ଦସ୍ତଖତ କରିବା ବେଳେ ୨୦୩୦ ସୁଦ୍ଧା ମୋଟ ବିଦ୍ୟୁତ୍ର ୪୦ ପ୍ରତିଶତ ଅକ୍ଷୟ ଶକ୍ତିରୁ ଉତ୍ପାଦନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହା ୨୦୨୨ରେ ଏହି ଲକ୍ଷ୍ୟକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ୨୦୨୫ ଜୁନ୍ ସୁଦ୍ଧା ଭାରତ ୩୮ ପ୍ରତିଶତରେ ପହଞ୍ଚିପାରିଛି ଏବଂ ନିଜର ଲକ୍ଷ୍ୟ ନିଶ୍ଚୟ ହାସଲ କରିପାରିବ ବୋଲି ଆଶା କରାଯାଉଛି।
ଇଂ. ମାୟାଧର ସ୍ବାଇଁ
ଲକ୍ଷ୍ମୀବିହାର, ଭୁବନେଶ୍ୱର
ମୋ:୯୪୩୮୬୯୩୭୨୪

