ପୁରୀ,୨୨ା୪(ଅଜିତ୍ କୁମାର ମହାନ୍ତି): ଅକ୍ଷାୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ସହ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଶୁଭାରମ୍ଭ ପରମ୍ପରା ମତେ ସମ୍ପନ୍ନ ହୋଇଛି। ସୋମବାର ରଥ କାଠ ଅନୁକୂଳ ହେବା ପରେ ମଙ୍ଗଳବାରଠାରୁ ରଥ ସଂହିତା ଅନୁଯାୟୀ, ଶ୍ରୀନଅର ସମ୍ମୁଖସ୍ଥ ଅସ୍ଥାୟୀ ରଥଖଳାରେ ନିର୍ମାଣ କାର୍ଯ ଆରମ୍ଭ ହେଇଛି।
ତିନି ରଥର କରତୀ ସେବକମାନେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ତିନିରଥ ପାଇଁ ଉର୍ଦ୍ଦିଷ୍ଟ ଫାଶୀ କାଠକୁ ମାପ ପ୍ରକାରେ ଗଡ଼ କରି ତାଳଧ୍ୱଜ ଚାଳି, ଦର୍ପଦଳନ ଚାଳି, ଏବଂ ନନ୍ଦିଘୋଷ ଚାଳିକୁ ଦୁଇଟି ଲେଖାଏଁ ତୁମ୍ବ କରି ଯୋଗାଇଥିଲେ।
ତିନି ରଥର ମହାରଣାମାନେ ଗଡ଼ ତୁମ୍ବ କାଠରେ ଘେର ମାପ ଚିହ୍ନ ଦେବାପରେ ୩ ରଥର ମହାରଣା ସେବକମାନେ ତୁମ୍ବ ନିର୍ମାଣ କରିଥିଲେ। ରଥ ନିର୍ମାଣର ପ୍ରଥମ ଦିନରେ ତିନିରଥ ମହାରଣା ସେବକ ୧୦ ଜଣ, ୬ ଜଣ ଭୋଇ ସେବକ, କରତୀ ସେବକ ୪ ଜଣ, କମାର ସେବକ ୩ ଜଣ ଏବଂ ରଥଖଳା ସହାୟକ ଜଣେ ଉପସ୍ଥିତ ଥିଲେ। ନିର୍ମାଣର ପ୍ରଥମ ଦିନରେ ମୋଟ ୨୪ ଜଣ ସେବକ ଓ କାରିଗର ନିୟୋଜିତ ହୋଇଥିଲେ।

