ଏମାନେ ବି ଥିଲେ ମେଧାବୀ

ଦେଶ ଶାସନରେ ଯେଉଁ ଦଳ ଥାଉ ନା କାହିଁକି ଦେଶ ଚଳାନ୍ତି ଅମଲାମାନେ। ଏମାନେ ସରକାରଙ୍କ ପାଇଁ ନୀତି ନିର୍ଦ୍ଧାରଣ କରନ୍ତି ଏବଂ ନିର୍ଦ୍ଧାରିତ ନୀତିକୁ କାର୍ଯ୍ୟକାରୀ କରନ୍ତି। ଏହି ନିର୍ଦ୍ଧାରିତ ନୀତି କାହିଁରେ କେତେ ସୋପାନ ଦେଇ ଉପରୁ ତଳଯାଏଁ ଗଡ଼ି ଗଡ଼ି ଆସେ। ବର୍ତ୍ତମାନ ବହୁଳ ପ୍ରଚାରିତ ଜିଏସ୍‌ଟି ସଂସ୍କାର ନିଷ୍ପତ୍ତି ହେଲା କେନ୍ଦ୍ର ସ୍ତରରେ ସରକାରଙ୍କ ଦ୍ୱାରା ଅନୁସୃତ ଏକ ନୀତି। ବୁଦ୍ଧି ଦେଉଛନ୍ତି ଅମଲା, କାର୍ଯ୍ୟକାରୀ କରୁଛନ୍ତି ଅମଲା। ସାଧାରଣ ଲୋକଟିଏ ତା’ ପେଟପାଟଣାରୁ କାଟି ଟିକସ ଦେଉଛି, ଟିକସ ଗଚ୍ଛିତ ହେଉଛି ରାଜକୋଷରେ। ରାଜକୋଷରୁ ପୁଣି ବିଭିନ୍ନ ସୋପାନ ଦେଇ ଆସୁଛି ସାଧାରଣ ଲୋକଙ୍କ ପାଖକୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି ସେବା କ୍ଷେତ୍ରରେ। ଏହି ଉପରୁ ତଳ ଓ ତଳୁ ଉପର ଉଠାପକାରେ ଟଙ୍କାଟିଏ ପରିଣତ ହୁଏ ଦଶ ପଇସାରେ। ଅବଶିଷ୍ଟ ନବେ ପଇସା ଯାଏ ବାଟମାରଣାରେ!
ସରକାରୀ ଅର୍ଥର ବାଟମାରଣା ରୋକିବାକୁ ବିଭିନ୍ନ ସ୍ତରରେ ଅଧିକାରୀ ଓ କର୍ମଚାରୀମାନେ ବି ନିଯୁକ୍ତ ହୋଇଛନ୍ତି। ସିଭିସି, ଏସିବିସି, ଇଡି, ଆଇଟି, ସିଆଇଡି, ସିବିଆଇ, ଭିଜିଲାନ୍ସ, ଏନ୍‌ସିଆଇବି, ଇଓଡବ୍ଲ୍ୟୁ, କ୍ରାଇମ୍‌ ବ୍ରାଞ୍ଚ୍‌, ଜିଏସ୍‌ଟି କମିଶନର, ପୋଲିସ, ଲୋକପାଳ, ଲୋକାୟୁକ୍ତ, ସିଏଜି ଏବଂ ଇଣ୍ଡିଆ ଏଗେନ୍‌ଷ୍ଟ କରପ୍‌ସନ ଭଳି ଏନ୍‌ଜିଓ। କଳାଧନ ରୋକିବାକୁ ସରକାର ଏସ୍‌ଆଇଟି ଗଠନ କରିଛନ୍ତି। ଏସବୁ ସତ୍ତ୍ୱେ ପିଅନଠାରୁ ଅଫିସରଙ୍କ ପର୍ଯ୍ୟନ୍ତ, ଯନ୍ତ୍ରୀଙ୍କଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ଚୌକିଦାରଙ୍କଠାରୁ ଠିକାଦାରଙ୍କ ପର୍ଯ୍ୟନ୍ତ ଅଧିକାଂଶ ଆର୍ଥତ୍କ ଦୁର୍ନୀତି ଓ ଅନିୟମିତତାରେ ଜଡ଼ିତ। ଲୁଚାଛପାରେ ନୁହେଁ ତ ସବୁ ଡକାପିଟାରେ। ଆମେ କେବଳ ନିରୀହ ମେଣ୍ଢା ଛୁଆଟିଏ ପରି ଜଳ ଜଳ କରି ଚାହିଁ ରହିଛନ୍ତି।
ଦୁର୍ନୀତି କିମ୍ବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମୁଖ୍ୟତଃ ବିରୋଧୀ ଦଳର ନେତାମାନଙ୍କୁ ଇଡି କେମିତି ମାଡ଼ି ବସୁଛି ତାହା ଆମେ ଦେଖି ଆସୁଛନ୍ତି। ଅଥଚ ଶାସକ ଦଳର ନେତାମାନେ ଗୋଟା ତୁଳସୀ ପାଲଟିଯାଉଛନ୍ତି! ମଜାର କଥା, ଯେଉଁ ଇଡି ଦୁର୍ନୀତିଗ୍ରସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ସେହି ଇଡିର ଜଣେ ସହକାରୀ ନିର୍ଦ୍ଦେଶକ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଉଥିଲା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି। ପୁଣି ନର୍ସିଂହୋମ୍‌ ଦୁର୍ନୀତିରେ ମଧ୍ୟପ୍ରଦେଶରେ ୨ଜଣ ସିବିଆଇ ଅଫିସର ଗିରଫହେବା ପ୍ରାୟ ସମସ୍ତଙ୍କୁ ଜଣାଥିବ। ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଆୟକର କମିଶନର ଧରାପଡ଼ି ଗିରଫ ହେବା, କେତେକ କମ୍ପାନୀଙ୍କୁ ଅନୁକମ୍ପା ଦେଖାଇ କୋଟିଏ ଟଙ୍କା ଲାଞ୍ଚ ନେଉଥିଲା ବେଳେ କାନପୁରର ଜିଏସ୍‌ଟି କମିଶନର ଗିରଫ ହେବା ଆଦି ଘଟଣା ଏଠାରେ ଅଳ୍ପ କେତୋଟି ନମୁନା ମାତ୍ର। ଇଡି ଧରୁଛି ଆଇଟିକୁ, ଆଇଟି ଧରୁଛି ଇଡିକୁ, ସିବିଆଇ ଧରୁଛି ଜିଏସ୍‌ଟିକୁ, ଜିଏସ୍‌ଟି ଧରୁଛି ଆଇଟିକୁ। ଏମିତି ଛକାପଞ୍ଝା ଧରାଧରିରେ ସାଧାରଣ ଲୋକେ ଆବାକାବା ହୋଇଯାଉଛନ୍ତି। ଆମ ରାଜ୍ୟରେ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ, କମିଶନର, ଡାଇରେକ୍ଟର, କଲେକ୍ଟର, ସବ୍‌ କଲେକ୍ଟର, ସେକ୍ରେଟାରି, ରେଞ୍ଜର, ବିଡିଓ, ତହସିଲଦାର, କିରାଣି ଏବଂ ଏପରିକି ପିଅନ ପର୍ଯ୍ୟନ୍ତ ଭିଜିଲାନ୍ସ ଜାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଆଇଏଏସ୍‌ ଅଫିସର ବିନୋଦ କୁମାର, ରାକେଶ କୁମାର, ଅଶୋକ ସିଂହଭି ବର୍ତ୍ତମାନ ଜେଲରେ। କଲିକତା ହାଇକୋର୍ଟର ବିଚାରପତି ସୌମିତ୍ର ସେନ୍‌ ଏବଂ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୋବନ୍ତ ବର୍ମାଙ୍କ ଅର୍ଥ ଆତ୍ମସାତ୍‌ ଓ ସମ୍ପତ୍ତି ଠୁଳ ଦେଶର ବିଚାରବିଭାଗକୁ କାଠଗଡ଼ାରେ ଛିଡ଼ାକରାଇଛି। ଏଠାରେ କହିବା ନିଷ୍ପ୍ରୟୋଜନ ଯେ ଦୁର୍ନୀତି ଅଭିଯୋଗରେ ଯେଉଁମାନେ ଜଡ଼ିତ ଥିବା ଜଣାପଡ଼ୁଛି ସେମାନେ ପ୍ରାୟ ସମସ୍ତେ ଏକଦା ଜଣେ ଜଣେ ମେଧାବୀ ଥିଲେ। ପରୀକ୍ଷାର ଫଳ ପ୍ରକାଶ ପାଇବା ବେଳେ ସେମାନଙ୍କ ପାଇଁ ଆମେ ଗର୍ବିତ, ଉତ୍‌ଫୁଲ୍ଲିତ ହେଉଥିଲେ ଏବଂ ଦେଶସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବେ ବୋଲି ସେମାନଙ୍କ ଘୋଷଣା ଆମକୁ କୃତକୃତ୍ୟ କରିପକାଉଥିଲା। କିନ୍ତୁ ଆଜି? କୁଆଡ଼େ ଗଲା ସେମାନଙ୍କ ମେଧାବୀ ପରାକାଷ୍ଟା, କୁଆଡ଼େ ଗଲା ସେମାନଙ୍କ ପ୍ରତିଶ୍ରୁତି, କୁଆଡ଼େ ଗଲା ସେମାନଙ୍କ ପ୍ରତିବଦ୍ଧତା?
ଅଟାକଳରେ ଯାହା ପେଷିଲେ ବି ତାହା ଗୁଣ୍ଡହୋଇ ବାହାରିପଡ଼େ। ସମ୍ଭବତଃ ଏହି ନିୟମ ଆମ ଶାସନ କଳରେ କାର୍ଯ୍ୟକାରୀ ହେଉଛି! ଯିଏ ଯେତେ ମେଧାବୀ ହେଲେ ହେଁ ସେମାନେ କଳରେ ପେଷିହୋଇ ଗୁଣ୍ଡ ଆକାରରେ ବାହାରି ପଡ଼ୁଛନ୍ତି। ଏନ୍‌ସିବିଆଇର ସଦ୍ୟ ରିପୋର୍ଟ ଦେଖିଲେ ଆମ ଦେଶର ବିଭିନ୍ନ ବିଭାଗ ଦୁର୍ନୀତିରେ କେତେ ଜଡ଼ିତ ତାହା ସ୍ପଷ୍ଟ ହୁଏ। ତଦନୁଯାୟୀ ପୋଲିସ ବିଭାଗ ସବୁଠାରୁ ବେଶି ଦୁର୍ନୀତିଗ୍ରସ୍ତ। ତା’ ତଳକୁ କ୍ରମାନ୍ବୟରେ ରାଜସ୍ବ, ମ୍ୟୁନିସିପାଲ କର୍ପୋରେଶନ, ବ୍ଲକ୍‌ ଓ ତହସିଲ, ବିଦ୍ୟୁତ୍‌, ପରିବହନ, ସ୍ବାସ୍ଥ୍ୟ, ଶିକ୍ଷା, ସହରାଞ୍ଚଳ ବିକାଶ ବିଭାଗ ଓ ଆୟକର ତଥା ଜିଏସ୍‌ଟି ଅଛନ୍ତି।
ଆଉ ଗୋଟିଏ ବଡ଼ ଧରଣର ଘୋଟାଲା ହୁଏ ଖଣି ଓ ଠିକାଦାରିରେ। ତଳୁ ଉପର ଯାଏଁ ପିସି। ସିଏଜି ତାଙ୍କ ରିପୋର୍ଟରେ ଏକଥା ବି ଦର୍ଶାଛନ୍ତି। ଉଭୟ କ୍ଷେତ୍ରରେ ମନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାର ଜଡ଼ିତଥିବା ଦର୍ଶାଯାଇଛି। ତଦନ୍ତ ପାଇଁ ଶାହା କମିଶନ ବସିଛି। ଅନ୍ୟ ପକ୍ଷରେ ମାସେ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିବା, ବର୍ଷ ନ ପୂରୁଣୁ ଛାତରୁ ପାଣି ଗଳିବା ଏବଂ ବହୁ କୋଟି ଟଙ୍କାର ପୋଲ ଓ ଓଭରବ୍ରିଜ୍‌ ନିମିଷକେ ଭୁଶୁଡ଼ି ପଡ଼ିବା ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ତଦନ୍ତ କମିଶନ (ଦନ୍ତହୀନ) ବସୁଛି, ସରକାରୀ ତହବିଲରୁ ଅର୍ଥ ବରବାଦ ହେଉଛି, ଅଥଚ ସେଥିରେ କିଛି ସୁଧାର ଆସୁ ନାହିଁ। ବରଂ ବିପୁଳ ପରିମାଣର ଅର୍ଥ କଳାଧନ ଆକାରରେ ବିଦେଶୀ ବ୍ୟାଙ୍କରେ ଯାଇ ଗଚ୍ଛିତ ହେଉଛି।
କହିବା ବାହୁଲ୍ୟ, ଗଣତନ୍ତ୍ରର ଚାରୋଟିଯାକ ସ୍ତମ୍ଭ ବର୍ତ୍ତମାନ ରୁଗ୍‌ଣ ଆଉ ଦୁର୍ବଳ। ସେଗୁଡ଼ିକ ଏକମୁହଁା ରାସ୍ତାରେ ଗୋଟିଏ ହୋ’ରେ ଛୁଟିଛନ୍ତି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଅଥଚ ଶୁଣିବାକୁ କେହି ନାହିଁ। ଏଠାରେ ଦୃଢ଼ତାର ସହ କହିହେବ ଯେ ସାଧାରଣ ଲୋକେ ହିଁ ଇତିହାସର ଶେଷକଥା ଲେଖନ୍ତି। ଯେ ପର୍ଯ୍ୟନ୍ତ ଏମାନେ ପ୍ରତିବାଦ ପ୍ରତିରୋଧ ନ କରିଛନ୍ତି, ସେ ପର୍ଯ୍ୟନ୍ତ ଦୁର୍ନୀତିର ମୂଳୋତ୍ପାଟନ କରିହେବ ନାହିଁ।

ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬

ରବିନାରାୟଣ ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri