ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଛି। ଏହାର ସିଧାସଳଖ ପ୍ରଭାବ ଭାରତର ସରକାରୀ ତୈଳ କମ୍ପାନୀଗୁଡ଼ିକ ଉପରେ ପଡ଼ିବାରେ ଲାଗିଛି। ଇଣ୍ଡିଆନ ଅଏଲ (IOC), ବିପିସିଏଲ (BPCL) ଏବଂ ଏଚ୍ପିସିଏଲ୍(HPCL) ଭଳି କମ୍ପାନୀଗୁଡ଼ିକ ପ୍ରତିଦିନ ପ୍ରାୟ ୧,୬୦୦ ରୁ ୧,୭୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି।
ରିପୋର୍ଟ ଅନୁଯାୟୀ, ଗତ ୧୦ ସପ୍ତାହ ମଧ୍ୟରେ ଏହି କମ୍ପାନୀଗୁଡ଼ିକର ମୋଟ କ୍ଷତି (Under-recovery) ୧ ଲକ୍ଷ କୋଟି ଟଙ୍କା ଟପିଗଲାଣି। ଅଶୋଧିତ ତୈଳ ଦର ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦୁଇ ବର୍ଷ ତଳର ସ୍ଥିତିରେ ରହିଛି।
ପେଟ୍ରୋଲ ଲିଟର ପିଛା ୯୪.୭୭ ଟଙ୍କା ଏବଂ ଡିଜେଲ ୮୭.୬୭ ଟଙ୍କାରେ ବିକ୍ରି ହେଉଛି। ମାର୍ଚ୍ଚ ମାସରେ ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ାଯାଇଥିଲେ ମଧ୍ୟ ଏହା ଏବେ ବି ପ୍ରକୃତ ଖର୍ଚ୍ଚ ତୁଳନାରେ କମ ରହିଛି। ଉପଭୋକ୍ତାଙ୍କ ଉପରୁ ବୋଝ କମାଇବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ କମାଇଛନ୍ତି। ପେଟ୍ରୋଲ ଶୁଳ୍କ ୧୩ ଟଙ୍କାରୁ ୩ ଟଙ୍କାକୁ ହ୍ରାସ ପାଇଛି। ଡିଜେଲ ଶୁଳ୍କ ୧୦ ଟଙ୍କାରୁ ଶୂନ (୦) କୁ ହ୍ରାସ ପାଇଛି। ଏହି ପଦକ୍ଷେପ ଯୋଗୁ ସରକାରଙ୍କୁ ମାସିକ ପ୍ରାୟ ୧୪,୦୦୦ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ୁଛି।
ପଶ୍ଚିମ ଏସିଆ ସଙ୍କଟ ଯୋଗୁ ଭାରତର ଶକ୍ତି ସୁରକ୍ଷା ବାଧାପ୍ରାପ୍ତ ହୋଇଛି। ଅଶୋଧିତ ତୈଳର ୪୦% ଆମଦାନୀ ପ୍ରଭାବିତ ହୋଇଥିବା ବେଳେ LPGର ୯୦% ଆମଦାନୀ ଉପରେ ପ୍ରଭାବ ଏବଂ ପ୍ରାକୃତିକ ଗ୍ୟାସର ଆମଦାନୀ ବାଧାପ୍ରାପ୍ତ ହୋଇଛି।
ଜାପାନ ଏବଂ ବ୍ରିଟେନ ଭଳି ଦେଶରେ ତୈଳ ଦର ୩୦% ବୃଦ୍ଧି ପାଇଥିବାବେଳେ ଭାରତରେ ଏହାକୁ ସ୍ଥିର ରଖାଯାଇଛି।
ତେବେ ତୈଳ ଦର ବୃଦ୍ଧି ଏବେ ଏକ ପ୍ରକାର ଅର୍ନିବାର୍ଯ୍ୟ ହୋଇପଡ଼ିଛି, ଯାହାର ଚୂଡ଼ାନ୍ତ ନିଷ୍ପତ୍ତି ସରକାରଙ୍କ ଉପରେ ର୍ନିଭର କରେ। ଏଭଳି ସ୍ଥିତିରେ ତୈଳ କମ୍ପାନୀଗୁଡ଼ିକୁ କାର୍ଯ୍ୟକାରୀ ପୁଞ୍ଜି (Working Capital) ଯୋଗାଡ଼ କରିବା ପାଇଁ ଅଧିକ ଋଣ କରିବାକୁ ପଡ଼ିପାରେ, ଯାହା ସେମାନଙ୍କର ଭବିଷ୍ୟତ ଯୋଜନା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି।

