ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି ଘଟଣାକୁ ନେଇ ଓଡ଼ଗାଁ ଆଦର୍ଶ ଥାନା କଦଳୀବନ୍ଧଠାରେ ଓଡ଼ଗାଁ ଶରଣକୁଳ ରାସ୍ତା ଅବରୋଧ ହୋଇଛି।
ପ୍ରକାଶ ଯେ, ଓଡ଼ଗାଁ ଥାନା କଦଳୀବନ୍ଧ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରା ମାଙ୍କଡ଼ାପଥର ଖଣି ଚାଲିଥିବାବେଳେ ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରି ଆସୁଥିଲେ। କଦଳୀବନ୍ଧଠାରେ ମାଙ୍କଡ଼ାପଥର ନୋଝେଇ ଗାଡ଼ିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୋଲିସ ଆସି ନ ଥିଲା। ପରେ ଖଣିମାଫିଆମାନେ ଆକ୍ରମଣ କରିଥିବାବେଳେ ଦୁଇଜଣ ଖସି ଯାଇଥିଲେ। କିନ୍ତୁ ଅଜିତଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଅଜିତଙ୍କର ଗୋଟିଏ ହାତ ସମ୍ପୂର୍ଣ୍ଣ କାଟି ଦେଇଥିବା ବେଳେ ଡାହାଣ ହାତର ପାପୁଲିଠାରୁ କାଟି ଦେଇଛନ୍ତି। ଏଥି ସହ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି। ଅଜିତଙ୍କୁ ନ୍ୟାୟ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଓଡ଼ଗାଁ ନୟାଗଡ଼ ରାସ୍ତାରେ ଶତାଧିକ ଗାଡ଼ିମୋଟର ଅଟକି ରହିଛି। ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

