ନୂଆଦିଲ୍ଲୀ,୨୫।୪: ଆମେ ସମସ୍ତେ ଭାରତୀୟ ସଶସ୍ତ୍ର ବାହିନୀକୁ ପରିଭାଷିତ କରୁଥିବା ସାହସିକତା ଏବଂ ସାହସର ଅନେକ କାହାଣୀ ଶୁଣିଛୁ। ଇତିହାସର ପେଡ଼ିରେ ସାଇତା ସେସବୁ କାହାଣୀ ଭିତରୁ କିଛି ବହୁତ ଆଶ୍ଚର୍ଯ୍ୟଜନକ ହେଲେ ଗୁରୁତ୍ୱପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସଶସ୍ତ୍ର ବାହିନୀର ଏକ କାହାଣୀ କହିବାକୁ ଯାଉଛୁ, ଯେଉଁଥିଲାଗି ଭାରତର ପଡ଼ୋଶୀ ଦେଶ ବାଂଲାଦେଶର ଜନ୍ମ ନେଇଥିଲା। ୧୯୭୧ରେ ପାକିସ୍ତାନ ସହିତ ଯୁଦ୍ଧ ସମୟରେ ଭାରତୀୟ ସଶସ୍ତ୍ର ବାହିନୀ ଶହ ଶହ କଣ୍ଡୋମ ଅର୍ଡର କରିଥିଲା, ଏହା ପଛରେ ବଡ଼ କାରଣ ରହିଥିଲା।
ରିପୋର୍ଟ ଅନୁଯାୟୀ ଡିସେମ୍ବର ୧୯୭୧ ଯୁଦ୍ଧ ସମୟରେ, ଭାରତୀୟ ନୌସେନା କଥିତ ଭାବେ ଶହ ଶହ କଣ୍ଡୋମ ମଗାଇଥିଲେ। ଏହାର ବ୍ୟବହାର Minesର ଉପଯୋଗ କରି ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରିବା ପାଇଁ କରାଯାଇଥିଲା। କହିବାକୁ ଗଲେ ସଫଳତାର ସହିତ ପୂର୍ବ ପାକିସ୍ତାନ(ବାଂଲାଦେଶ)କୁ ସ୍ବାଧୀନ କରିବାକୁ ଏଭଳି କରାଯାଇଥିବା ଜଣାଯାଏ। ରଣନୀତିସ୍ବରୂପ ଭାରତୀୟ ନୌସେନା ଚିଟାଗଙ୍ଗ ବନ୍ଦର ସମେତ ପ୍ରମୁଖ ପାକିସ୍ତାନୀ ବନ୍ଦରଗୁଡ଼ିକ ଉପରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲା। ଏହାଦ୍ୱାରା ପାକିସ୍ତାନର ଯୋଗାଣ ଏବଂ ଜାହାଜ ଚଳାଚଳ ମାର୍ଗଗୁଡ଼ିକୁ କାଟି ଦେବା ଉଦ୍ଦେଶ୍ୟ ରହିଥିଲା।
ପାକିସ୍ତାନ ସହିତ ଯୁଦ୍ଧ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବା ପରେ, ପାକିସ୍ତାନୀ ସେନା ଭାରତୀୟ ବାୟୁସେନା ଘାଟିକୁ ଟାର୍ଗେଟ କରିଥିଲା। ଫଳସ୍ବରୂପ, ଭାରତୀୟ ନୌସେନା ଅନେକ ମୋର୍ଚ୍ଚାରୁ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା। ସେଥିମଧ୍ୟରୁ ଗୋଟିଏ ଥିଲା ପୂର୍ବ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ)ର ଚିଟାଗଙ୍ଗ ବନ୍ଦର, ଯେଉଁଠାରେ ଭାରତୀୟ ସୈନିକମାନେ ପାକିସ୍ତାନୀ ଜାହାଜଗୁଡ଼ିକୁ ପାଣି ଭିତରେ ଉଡ଼ାଇ ଦେବାକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲେ। ହେଲେ ଭାରତୀୟ ସେନାର ’ଲିମ୍ପେଟ ମାଇନ’ ନାମକ ମାଇନ ଜାହାଜ ତଳେ ରଖାଯିବାର ଥିଲା, କିନ୍ତୁ ସମସ୍ୟା ଥିଲା, ଏହା କେବଳ ୩୦ ମିନିଟ ମଧ୍ୟରେ ବିସ୍ଫୋରଣ ହେଉଥିଲା।
ତେଣୁ, ଭାରତୀୟ ନୌସେନା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସମସ୍ୟାର ସମାଧାନ ପାଇଁ ଶହ ଶହ କଣ୍ଡୋମ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ABP ଲାଇଭର ଏକ ରିପୋର୍ଟ ଅନୁଯାୟୀ, ଅର୍ଡର କରାଯାଇଥିବା କଣ୍ଡୋମଗୁଡ଼ିକୁ ଲିମ୍ପେଟ ମାଇନ ଉପରେ ରଖାଯାଇଥିଲା, ଯାହା ଫଳରେ ଏହା ପାଣିରେ ସୁରକ୍ଷିତ ରହିପାରିବ ଏବଂ ସମୟରେ ବିସ୍ଫୋରଣ ହୋଇପାରିବ। ଟାଇମରକୁ ଏହା ବିଳମ୍ବ କରୁଥିବା ଯୋଗୁ ଡାଇଭରମାନଙ୍କୁ ଏହାକୁ ସଂଲଗ୍ନ କରିବା ଏବଂ ବିସ୍ଫୋରଣ ପୂର୍ବରୁ ସୁରକ୍ଷିତ ଭାବେ ଉକ୍ତ ଅଞ୍ଚଳରୁ ଚାଲି ଆସିବାକୁ ଯଥେଷ୍ଟ ସମୟ ଦେଇଥିଲା। ଏହି କୌଶଳ ଯୋଗୁ ପାକିସ୍ତାନୀ ନୌସେନାର ବହୁତ କ୍ଷତି ହୋଇଥିଲା।
ଚିଟାଗଙ୍ଗ ବନ୍ଦର ଅପରେସନ ଯୁଦ୍ଧରେ ଏକ ମୋଡ଼ ନେଇଥିଲା। ଏହି ବନ୍ଦରକୁ ଟାର୍ଗେଟ କରି, ଭାରତୀୟ ନୌସେନା ସଫଳତାର ସହ ପାକିସ୍ତାନର ଯୋଗାଣ ଲାଇନକୁ କାଟି ଦେଇଥିଲା। ଯାହା ପୂର୍ବ ପାକିସ୍ତାନରେ ସେମାନଙ୍କର ସ୍ଥିତିକୁ ଦୁର୍ବଳ କରିଦେଇଥିଲା। ୧୯୭୧ ଯୁଦ୍ଧ ସ୍ବାଧୀନତା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ଯୁଦ୍ଧ ଥିଲା। କିନ୍ତୁ ଏହାର କାରଣ ଭିନ୍ନ ଥିଲା। ପଶ୍ଚିମ ପାକିସ୍ତାନରୁ ସ୍ବାଧୀନତା ପାଇଁ ଲଢ଼ୁଥିବା ପୂର୍ବ ପାକିସ୍ତାନର ଲୋକମାନଙ୍କୁ ସମର୍ଥନ କରିବା ପାଇଁ ଭାରତ ଆଗେଇ ଆସିଥିଲା। ଏହି ଯୁଦ୍ଧ ଶେଷରେ ଏକ ନୂତନ ରାଷ୍ଟ୍ର – ବାଂଲାଦେଶ ଜନ୍ମ ନେଇଥିଲା।


