ନିଜକୁ ଅଜଣା ରଖୁଥିବା ଲୋକ

ନିଜକୁ ଜଣାଇବା ପାଇଁ ଏଠାରେ ଯେମିତି ଅସମ୍ଭବ ଭିଡ଼, ଜଣେ ଅନ୍ୟ ଜଣଙ୍କୁ ପଛରେ ପକାଇ ଆଗକୁ ମାଡ଼ିଯିବା ପାଇଁ ଯେଉଁ ପାଗଳ ପ୍ରତିଯୋଗିତା; ସେ ସମସ୍ତଙ୍କ ଅଲକ୍ଷ୍ୟରେ ନିଜକୁ ଅଜଣା ରଖୁଥିବା ଲୋକ ଥିବେ ବୋଲି ସହଜରେ ବିଶ୍ୱାସ କରିହୁଏନା। ଶଠତା, ପ୍ରବଞ୍ଚନା ଆଦି ଯାବତୀୟ ଅନାଚାରରେ ନିରନ୍ତର ଘାଣ୍ଟି ହେଉଥିବା ସମାଜ ଅଧୁନା ଯେଉଁ ନୂଆ ବ୍ୟାଧିରେ ସଂକ୍ରମିତ, ତାହା ହେଲା ଆତ୍ମପ୍ରଚାର। ସଭିଏ ନିଜ ନିଜକୁ ବିଦିତ କରିବାକୁ ତତ୍ପର। ନିଜ ଆଦର୍ଶ ଓ ଆଚରଣ ମଧ୍ୟରେ ଯେତେ ଫରକ ଥାଉ ପଛେ, ନିଜ ଦର୍ପଣରେ ଆପଣା ମୁହଁ ଯେତେ ଅସୁନ୍ଦର ଦିଶୁ ବରଂ, ଗଣଦର୍ପଣରେ ନିଜର ଏ ସୁନ୍ଦର ପ୍ରତିଫଳନ ପାଇଁ ସମସ୍ତେ ବ୍ୟଗ୍ର। ଏହି ପ୍ରଚାର ସର୍ବସ୍ବ ସମାଜରେ ଏମିତି କଁାଭାଁ କେଇଜଣ ଆତଯାତ ହୁଅନ୍ତି, ଯେଉଁମାନେ ଅତ୍ୟନ୍ତ ଅପ୍ରଚାରିତ ଭାବେ ଏମିତି କିଛି କରନ୍ତି, ଯାହା ଅନନ୍ୟ।
ବୟସ ତାଙ୍କର ଅଶୀ ଛୁଇଁବାକୁ ଯାଉଛି। ନିପଟ ମଫସଲର ବାସିନ୍ଦା ସେ। ଶିକ୍ଷା ବୋଇଲେ ଶ୍ରୀଅକ୍ଷର ବିବର୍ଜିତ। ମଧୁ ଅଜା ନାମରେ ବିଦିତ ଏହି ବୃଦ୍ଧଙ୍କ ପାଇଁ ବୃକ୍ଷରୋପଣ ଏକ ଜୀବନକାଳର ସାଧନା। ସକାଳୁ ଉଠି ହାତରେ କୋଦାଳଟିଏ ଧରି ୟା’ ବାଡ଼ି, ତା’ ବଗିଚାରେ ପଶି ବିଭିନ୍ନ କିସମର ଚାରାଗଛ ସଂଗ୍ରହ କରି ନିଜ ଗଁାକୁ ସଂଯୋଗ କରୁଥିବା ସଡ଼କ ଧାରରେ ନେଇ ରୋପଣ କରନ୍ତି। କେବଳ ଗଛ ଲଗାଇବାରେ ତାଙ୍କ କାର୍ଯ୍ୟ ସରିଯାଏ ନାହିଁ। ଗାଈଗୋରୁଙ୍କଠୁ ଗଛଟିକୁ ରକ୍ଷା କରିବାକୁ ସେ ତା’ ଚାରିପଟେ ବାଡ଼ ଦିଅନ୍ତି ଓ ଗଛଟି ଚେର ଭିଡ଼ିବା ଯାଏ ତା’ ମୂଳରେ ପାଣି ଦେଇଚାଲନ୍ତି। ସାମାଜିକ ବନୀକରଣ ସଂସ୍ଥା ଦ୍ୱାରା ପରିଚାଳିତ ନର୍ସରୀରୁ ଚାରା ଆଣି ମଧୁ ଅଜା ଏମିତି କେତେ ଗଛ ଠିଆ କରାଇ ସାରିଲେଣି, ତାହାର ହିସାବ ସେ ନିଜେ ମଧ୍ୟ ରଖିନାହାନ୍ତି। ପରିଣତ ବୟସର କ୍ଳାନ୍ତି ନାହିଁ, ନିଜ କାର୍ଯ୍ୟ ପାଇଁ ସାବାସିର ଅପେକ୍ଷା ନାହିଁ! ବାସ୍‌, କେବଳ ଏକ ସାଧନା, ଯେଉଁ ସାଧନାର ମହନୀୟ ସିଦ୍ଧି ସମ୍ପର୍କରେ ସେ ନିଜେ ମଧ୍ୟ ସଚେତନ ନୁହନ୍ତି!
ବଡ଼ ବିଚିତ୍ର ଏହି ମହାନ୍‌ ବୃଦ୍ଧଙ୍କର ଜୀବନ ତପସ୍ୟା। ଏକ ବୃକ୍ଷବିହୀନ ପୃଥିବୀର ସମ୍ଭାବ୍ୟ ବିଭୀଷିକା ସମ୍ପର୍କରେ ସେ ଜାଣିଥିବେ ବୋଲି ବିଶ୍ୱାସ ହୁଏନା। ଏ ସମ୍ପର୍କରେ ପ୍ରଚୁର ବିଜ୍ଞତା ହାସଲ କରିଥିବା ଆମ ଭଳି ସଭ୍ୟ, ଶିକ୍ଷିତ, ଆଧୁନିକ ନାଗରିକମାନେ ସହରର ଡ୍ରଇଂରୁମ୍‌ରେ ବସି ସମ୍ବାଦପତ୍ର ପଢ଼ୁଥିଲା ବେଳେ ଏକ ଭୟଙ୍କର ଭବିଷ୍ୟତକୁ ଆଖି ଆଗରେ ଦେଖି ଭୟରେ ଶିହରି ଉଠୁ। ସ୍କୁଲ କଲେଜଗୁଡ଼ିକରେ ବୃକ୍ଷରୋପଣର ବର୍ଣ୍ଣାଢ଼୍ୟ ସମାରୋହରେ ବକ୍ତୃତା ଦେଇ ଶ୍ରୋତୃମଣ୍ଡଳୀଙ୍କ ଚେତନାରେ ଚମକ ସୃଷ୍ଟି କରୁ। ଭାଷଣ ପର୍ବ ପରେ ନିଜ ଶ୍ରୀହସ୍ତରେ ଚାରାଟିଏ ରୋପଣ କଲାବେଳେ କ୍ୟାମେରା ଆଡ଼କୁ ଚାହିଁ ମୁହଁରେ ମୃଦୁ ହସ ଖେଳାଉ । ପ୍ରତିବର୍ଷ ଏହି ବୃକ୍ଷରୋପଣ ଋତୁରେ ରୋପଣ ହେଉଥିବା ହଜାର ହଜାର ଚାରା ମଧ୍ୟରୁ ସପ୍ତାହେ ବା ଦୁଇ ସପ୍ତାହ ପରେ କେତୋଟି ବଞ୍ଚତ୍ଥାଏ; ତାହାର ହିସାବ ରଖିବାକୁ ଆମ ପାଖରେ ସମୟ ନ ଥାଏ କି ସ୍ପୃହା ବି ନ ଥାଏ। ଅଥଚ ବଡ଼ ବୋଲାଉଥିବା ଆମ ଭଳି ସମ୍ଭ୍ରାନ୍ତମାନଙ୍କ ପ୍ରଚାରସର୍ବସ୍ବ ପରିଚୟ ଫିକା ପଡ଼ିଯାଏ ଏହି ଅଶିକ୍ଷିତ ଓ ପ୍ରଚାରବିମୁଖ ଗାଉଁଲି ବୃଦ୍ଧଙ୍କର ଉଜ୍ଜ୍ୱଳ ବ୍ୟକ୍ତିତ୍ୱ ଆଗରେ!
ମଧ୍ୟପ୍ରଦେଶର ଏକ ଦୂରବର୍ତ୍ତୀ ଗଁାର ଝିଅ ଗାୟତ୍ରୀ। ଝିଅମାନଙ୍କ ପାଠପଢ଼ାକୁ ବରଦାସ୍ତ କରାଯାଉ ନ ଥିବା ଏକ ଗଁାରେ ଜନ୍ମ ହୋଇ ବି ଗାୟତ୍ରୀ ବହୁ ପ୍ରତିକୂଳ ପରିସ୍ଥିତିରେ ମାଟ୍ରିକ୍‌ ପାସ୍‌ କରି ଯାଇଥିଲେ। ସେ ଶିକ୍ଷିକା ହେବାର ଯୋଗ୍ୟତା ବି ଅର୍ଜନ କରିଥିଲେ। ତାଙ୍କ ଯୋଗ୍ୟତା ପାଇଁ ଯେତେବେଳେ ତାଙ୍କୁ ଶିକ୍ଷକତା କରିବାକୁ ସରକାରୀ ନିଯୁକ୍ତି ମିଳିଲା, ପରିବାର ସହିତ ସମଗ୍ର ଗଁାକୁ ଚମକାଇ ଦେଇ ସେ ଗଁା ଛାଡ଼ି ବାହାରକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଲେ। ତାଙ୍କ ଆଖି ପଡ଼ିଲା ନିଜ ଗଁା ଝିଅମାନଙ୍କ ଉପରେ; ଯେଉଁମାନଙ୍କ ପାଇଁ ଥିଲା ବିଦ୍ୟାଳୟର ମାଟି ନ ମାଡ଼ିବା ପାଇଁ ଏକ ଅଲିଖିତ ବାରଣନାମା। ସେମାନଙ୍କୁ ନିଜ ଉଦ୍ୟମରେ ସାକ୍ଷର କରିବାକୁ ସେ ଶପଥ ନେଲେ। ଗଁାର ରୁଢ଼ିବାଦୀ ମୁରବିମାନଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ ସେ ସେମାନଙ୍କୁ ପାଠ ପଢ଼ାଇଲେ। ନିଜର ସେଇ ଛୋଟ ମୁଲକଟି ବାହାରେ ସେଯାଏଁ ଅଜଣା ହୋଇ ରହିଥିବା ସେଇ ତରୁଣୀଟିଏକୁ ଦିନେ ଜଗତ ଜାଣିଲା। ଚିହ୍ନିଲା ତାଙ୍କ ଅସୀମ ତ୍ୟାଗକୁ, ନିଜ ମାଟି ପାଇଁ ଥିବା ଅପ୍ରମିତ ମମତ୍ୱବୋଧକୁ।
କଥା ହେଲା ଦିନେ ଅମିତାଭ ବଚ୍ଚନଙ୍କ ‘କୌନ ବନେଗା କରୋଡ଼ପତି’ର ସେଇ ହଟ୍‌ ସିଟ୍‌ରେ ବସିବାର ସୁଯୋଗ ପାଇଲେ ଗାୟତ୍ରୀ। ବାର ଲକ୍ଷ ପଚାଶ ହଜାର ଟଙ୍କାର ଧନ ରାଶି ଅର୍ଜନ କଲା ପରେ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା- ”ଏତେ ବିପୁଳ ଅର୍ଥ ପାଇ ତୁମେ କ’ଣ କରିବ“, ସେତେବେଳେ ସେ ତାହାର ଉତ୍ତରରେ ତାଙ୍କ ମିଶନର ଯେଉଁ ତଥ୍ୟ ଉପସ୍ଥାପନ କରିଥିଲେ, ତହିଁରୁ ଜଣାପଡ଼ିଲା, ଜାତୀୟ ସାକ୍ଷରତା ମିଶନର ବଡ଼ ବଡ଼ ସ୍ଲୋଗାନ ପ୍ରତିଧ୍ୱନିତ ହେଉଥିବା ଆମ ଦେଶରେ ତଥାପି ବଞ୍ଚତ୍ ରହିଥିବା ନିରକ୍ଷରତାର ଦୂରୀକରଣ ପାଇଁ ସତେ ଯେମିତି ସ୍ବୟଂ ସରସ୍ବତୀ ସେଠାରେ ବିଜେ ହୋଇଛନ୍ତି! ଯୁଗ ଯୁଗର ବାରଣର ବଳୟ ଡେଇଁ ତାଙ୍କ ଗଁାର ନିରକ୍ଷରା କନ୍ୟାମାନଙ୍କୁ ସେ ଯେମିତି ସାକ୍ଷର କରିବାକୁ ଅଣ୍ଟା ଭିଡ଼ିଛନ୍ତି, ତାହା କୋଟି କୋଟି ଟଙ୍କାର ସରକାରୀ ଯୋଜନାଠାରୁ କାହିଁ କେତେ ଉଚ୍ଚରେ। ପ୍ରକୃତରେ ଗାୟତ୍ରୀଙ୍କ ଏହି ପ୍ରାଣମୟ ପ୍ରଚେଷ୍ଟାର ପଟାନ୍ତର ନାହିଁ।
ନିଜକୁ ଅଜଣା ରଖି ଅପରର ସେବା ପାଇଁ ସମର୍ପିତ ରହୁଥିବା ପରାର୍ଥ ପ୍ରାଣମାନେ ଏ ଜଗତରେ କଁା ଭଁା ଆତଯାତ ହୁଅନ୍ତି। ଦୂବଟିଏ ଲଗାଇ ଟିଭି ପରଦାରେ, ଦାରୁ ଲଗାଇଥିବାରୁ ବଡ଼ିମା ବଖାଣୁଥିବା ଲୋକଙ୍କ ଦୁନିଆରେ ଏମାନେ ଜଣେ ଜଣେ ନୀରବ ସାଧକ। ଏମାନେ ନିଜକୁ ପ୍ରଚାରିତ କରିବାଠୁଁ ଏମିତି ଦୂରେଇ ରହିଥା’ନ୍ତି ଯେ ବାମହାତର କାମ ଡାହାଣ ହାତ ବି ଜାଣିପାରେନା। ଏ ସମ୍ପର୍କରେ ଏକ ମାର୍ମିକ କାହାଣୀ।
ରାସ୍ତାକଡ଼ର ବିଜୁଳି ଖୁଣ୍ଟରେ ଲଟକା ଯାଇଥିବା କାଗଜଟିରେ ଲେଖାଯାଇଥିଲା- ”ରାସ୍ତାରେ ଯାଉ ଯାଉ ଏଇଠି କେଉଁଠି ଶହେଟଙ୍କାର ନୋଟ୍‌ଟି ହଜାଇ ଦେଇଛି। ମୁଁ ଜଣେ ଅଭାବି ଲୋକ। ଯଦି କେହି ସହୃଦୟ ବ୍ୟକ୍ତି ପାଆନ୍ତି, କୃପା କରି ଏଇ ଗଳିର ଶେଷମୁଣ୍ଡରେ ଥିବା ମୋ ଘରେ ପହଞ୍ଚାଇ ଦେଲେ କୃତଜ୍ଞ ରହିବି।“ ରାସ୍ତାରେ ଯାଉଥିବା ଜଣେ ଦରଦୀ ପଥଚାରୀଙ୍କ ଦୃଷ୍ଟିରେ ନିବେଦନ ପତ୍ରଟି ପଡ଼ିଲା। ଏକ ବ୍ୟସ୍ତ ଚଲାପଥରେ ନୋଟ୍‌ଟି ତାଙ୍କୁ କାହୁଁ ବା ମିଳନ୍ତା! ତେବେ ସେ କ’ଣ ଭାବିଲେ କେଜାଣି ଉଲ୍ଲିଖିତ ସେଇ ଘରଟି ପାଖରେ ପହଞ୍ଚତ୍ ଦୁଆରରେ କରାଘାତ କଲେ। କବାଟ ଖୋଲିଲେ ଜଣେ ସତୁରି ସରିକି ବୃଦ୍ଧା। ଆଗନ୍ତୁକଙ୍କ ହାତରେ ଶହେଟଙ୍କିଆ ନୋଟ୍‌ଟିଏ ଦେଖି ସେ ଉଚ୍ଚ ସ୍ବରରେ କାନ୍ଦିବାକୁ ଲାଗିଲେ। କହିଲେ- ”ମୋର କିଛି ବି ଟଙ୍କା ହଜିନାହିଁ ପୁଅ! ବୋଧହୁଏ ମୋ ଅସହାୟ ଅବସ୍ଥା ଦେଖି କେହି ଜଣେ ସେଇ ବିଜୁଳି ଖୁଣ୍ଟରେ କ’ଣ ଲେଖି କାଗଜଟିଏ ଲଟକାଇ ଦେଇଛି ଯେ ଆଜି ସକାଳୁ ଏ ଯାଏ ବାରଜଣ ଲୋକ ଆସି ମୋ ହଜି ନ ଥିବା ଟଙ୍କା ଫେରାଇ ଚାଲିଛନ୍ତି। ମୁଁ ଯେତେ ମନାକଲେ ବି ସେମାନେ ମାନୁନାହାନ୍ତି। ଆଉ ନୁହେଁ ବାବୁ! ଏତେ ଲୋକଙ୍କ କୃପାର ବୋଝ ମୁଁ ଆଉ ସମ୍ଭାଳି ପାରୁନାହିଁ। ଦୟାକରି ଏଠାରୁ ଯାଇ ସେହି କାଗଜଟିକୁ ବିଜୁଳି ଖୁଣ୍ଟରୁ କାଢ଼ି ଫିଙ୍ଗିଦେବ। କେତେଲୋକଙ୍କୁ ମୁଁ ଆଉ କୈଫିୟତ ଦେଇ ଚାଲୁଥିବି!
ଯୁବକ ଜଣକ ଫେରି ଆସିଲେ। ଖୁଣ୍ଟରେ ଲଟକା ହୋଇଥିବା ସେଇ କାଗଜଖଣ୍ଡର ଅଜଣା କର୍ତ୍ତାଙ୍କ ପ୍ରତି କୃତଜ୍ଞତାରେ ତାଙ୍କ ମୁଣ୍ଡ ନଇଁ ଆସିଲା। ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ଏମିତି ପ୍ରଚେଷ୍ଟା କରିଥିବା ସେଇ ଅଜଣା ବ୍ୟକ୍ତି ହୁଅନ୍ତୁ ବା ଫଳ ଖାଇବାର ଆଶା ନ ରଖି ଗଛ ଲଗାଇ ଚାଲିଥିବା ମଧୁଅଜା ଅବା ପୁଣି ନିଜ ଗଁାର ଝିଅମାନଙ୍କୁ ସାକ୍ଷର କରିବାକୁ ଶିକ୍ଷୟିତ୍ରୀ ଚାକିରି ଛାଡ଼ିଥିବା ମଧ୍ୟପ୍ରଦେଶର ଗାୟତ୍ରୀ, ସବୁରି ଅଲକ୍ଷ୍ୟରେ ଏମିତି କେଇଜଣ ଅଛନ୍ତି ବୋଲି ତ ବହୁ ବିଘଟନ ସତ୍ତ୍ୱେ ବଞ୍ଚତ୍ବାର ପ୍ରେରଣା ମିଳୁଛି, ଏ ସଂସାର ଲାଗୁଛି ତଥାପି ଅପରିବର୍ଜନୀୟ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣି, ଭୁବନେଶ୍ୱର
ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri