ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ମ୍ୟାଚ ଫି’ର ୧୦% ଜରିମାନା କରାଯାଇଛି। ଏହା ସହିତ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ଦିଆଯାଇଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ସମୟରେ ଏହି ଘଟଣା ଘଟିଥିଲା। ହାର୍ଦ୍ଦିକ ଏକ କ୍ୟାଚ ଛାଡିବା ପରେ ତାହା ଚୌକା ହୋଇଯାଇଥିଲା। ଏଥିରେ ହତାଶ ହୋଇ ବେଲ ବାହାର କରିଥିଲେ।
ଏକ ବିବୃତ୍ତିରେ ବିସିସିଆଇ ନିଶ୍ଚିତ କରିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଆଚରଣ ସଂହିତାର ଧାରା ୨.୨ ଉଲ୍ଲଂଘନ କରିଥିବା ଜଣାପଡିଥିଲା। ଏହି ଧାରା ଏକ ମ୍ୟାଚ ସମୟରେ କ୍ରିକେଟ ଉପକରଣ କିମ୍ବା ପୋଷାକ, ଗ୍ରାଉଣ୍ଡ ଉପକରଣ କିମ୍ବା ଫିକ୍ସଚର ଏବଂ ଫିଟିଂର ଅପବ୍ୟବହାର ସହିତ ଜଡିତ।
ହାର୍ଦ୍ଦିକ ପାଣ୍ଡ୍ୟା ଅପରାଧ ସ୍ବୀକାର କରିଥିଲେ ଏବଂ ମ୍ୟାଚ ରେଫରିଙ୍କ ଦ୍ୱାରା ଲାଗୁ ହୋଇଥିବା ଦଣ୍ଡକୁ ଗ୍ରହଣ କରିଥିଲେ। ଏହା ଉଲ୍ଲେଖନୀୟ ଯେ, ହାର୍ଦ୍ଦିକ ଆଘାତ ଯୋଗୁ ପୂର୍ବ କିଛି ମ୍ୟାଚ ଖେଳି ନ ଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ IPL 2026 ପ୍ଲେଅଫ ଦୌଡ଼ରୁ ବାଦ ପଡ଼ିଛି।
Dharitri – Odisha’s No.1 Odia Daily

