ବ୍ରହ୍ମପୁର,୧୫ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାର ୭ମ ଲାଇନ୍ରେ ଜଣେ ଘର ମାଲିକ ଓ ଭଡାଟିଆଙ୍କ ଘରୁ ୯ଲକ୍ଷ ଟଙ୍କାର ଗହଣା ଏବଂ ଟଙ୍କା ଏକ ଲୁଟେରା ଗ୍ୟାଙ୍ଗ ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୫୦/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ଗୋବିନ୍ଦ ବିହାରରେ ଶଙ୍କର୍ଷଣ ପାଣିଗ୍ରାହୀଙ୍କ ଦୁଇ ମହଲା ଘର ଅଛି। ତଳ ମହଲାରେ ମାଲିକ ରହୁଥିବା ବେଳେ ଉପର ମହଲାରେ ଡି. ଭାସ୍କର ରାଓ ଭଡ଼ାରେ ରୁହନ୍ତି। ଦୁଇ ପରିବାର ଘରେ ତାଲା ପକାଇ କିଛିଦିନ ତଳେ କୁମ୍ଭମେଳା ଯାଇଥିଲେ।
୧୪ ତାରିଖ ସକାଳେ ଘର ତାଲା ଭଙ୍ଗାଯାଇଥିବା ସାହିର କିଛି ଲୋକ ଦେଖି ଶଙ୍କର୍ଷଣଙ୍କୁ ଫୋନ କରି ଜଣାଇଥିଲେ। ଶଙ୍କର୍ଷଣ ଭାବନ୍ଧରେ ରହୁଥିବା ତାଙ୍କ ଭଣଜା ସନ୍ତୋଷ ପଣିଗ୍ରାହୀଙ୍କୁ ଘରକୁ ଯାଇ ଦେଖିବାକୁ କହିଥିଲେ। ସ୍ଥିତି ଦେଖି ସେ ପୋଲିସକୁ ଜଣାଇଥିଲେ।
ପୋଲିସ ଉପସ୍ଥିତିରେ ଘର ଭିତରକୁ ଯାଇ ଦେଖିବାରେ କେହି ଦୁର୍ବୃତ୍ତ ଆଲମିରା ଭାଙ୍ଗି ୨ଟି ସୁନା ଚେନ, ୨ଟି ରାଣୀହାର, ୧୦ ହଜାର ଟଙ୍କା ସହ ଅନ୍ୟ କେତେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା। ସେହିପରି ଉପର ମହଲାରେ ରହୁଥିବା ଭାସ୍କରଙ୍କ ଘରୁ ମଧ୍ୟ ୨ଟି ସୁନା ମୁଦି, ୭ହଜାର ଟଙ୍କା ନେଇ ଯାଇଥିବା ଜଣାପଡିଥିଲା। ଏ ନେଇ ସନ୍ତୋଷଙ୍କ ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି।


