ସ୍କୁଲ ମାଷ୍ଟରଙ୍କୁ ପତ୍ରଟିଏ

ସମ୍ମାନନୀୟ ଗୁରୁଜୀ,
ମୋର ନମସ୍କାର ନେବେ। ଅନେକ ଭାବିଚିନ୍ତି ପତ୍ରଟିଏ ଲେଖିଲି। ମନକୁ ଆସୁଥିବା କଥାଗୁଡ଼ିକ ଏକାଥରକେ ସଜାଡ଼ି କହିବା ସମ୍ଭବ ନୁହେଁ ବୋଲି ପତ୍ର ମାଧ୍ୟମରେ ଜଣାଇବାକୁ ଉଚିତ ମଣିଲି। ବିଶ୍ୱାସ କରିବେକି ନାହିଁ ଜାଣେ ନାହିଁ, ଏହି ପତ୍ରଟି ଲେଖିବାକୁ ମୋତେ ଏକ ସପ୍ତାହରୁ ଅଧିକ ସମୟ ଲାଗିଛି। ତଥାପି ହୁଏତ କିଛି ଭୁଲଭଟକା ରହି ଯାଇଥିବ, ସଂଶୋଧନ କରିନେବେ।
ପ୍ରଥମେ ଜେଜେବାପାଙ୍କଠାରୁ ଶୁଣିଥିବା କଥାଟି କହୁଛି। ସେ କହୁଥିଲେ ତାଙ୍କ ସମୟରେ ଲୋକମାନେ ସ୍କୁଲ ମାଷ୍ଟରଙ୍କୁ ଗୁରୁଜୀ କିମ୍ବା ଅବଧାନେ ବୋଲି ଡାକୁଥିଲେ। ବହୁତ ସମ୍ମାନ ଦେଉଥିଲେ। ଷଠୀ ପୂଜାଠାରୁ ଶ୍ମଶାନରେ ଜୁଇ ଜଳିବା ଯାଏ ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲ ମାଷ୍ଟରଙ୍କୁ ଖୋଜା ପଡ଼ୁଥିଲା। ଗଁାର ସବୁ ଯାନିଯାତ୍ରାରେ ସେ ହେଉଥିଲେ ପ୍ରଥମ ଅତିଥି। ବିବାହ ଉତ୍ସବରେ ସ୍କୁଲ ମାଷ୍ଟରଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଉଥିଲା। ନିମନ୍ତ୍ରଣ ପତ୍ର ଲେଖୁଥିଲେ ସ୍କୁଲ ମାଷ୍ଟ୍ରେ। ଡାକରେ ଚିଠିଟିଏ ଆସିଲେ ପଢ଼ୁଥିଲେ ଅବଧାନେ। ସେ କେବଳ ଗ୍ରାମବାସୀଙ୍କ ପୁଅଝିଅଙ୍କୁ ପାଠ ପଢ଼ାଉ ନ ଥିଲେ, ନୀତିଶିକ୍ଷା ମାଧ୍ୟମରେ ସେମାନଙ୍କୁ ମଣିଷ ପରି ମଣିଷଟିଏ କରି ଗଢ଼ିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। ସମସ୍ତଙ୍କୁ ନିଜ ପୁଅ ଝିଅ ପରି ସ୍ନେହ କରୁଥିଲେ, ଅନୁଶାସନ ବି କରୁଥିଲେ। ସ୍କୁଲ ଥିଲା ତାଙ୍କ ଘର। ସବୁକିଛିର ଶିକ୍ଷାକେନ୍ଦ୍ର ଥିଲା ସ୍କୁଲ। ମାଷ୍ଟ୍ରେ ଦେଉଥିଲେ ଶିକ୍ଷା। ଲୋକଙ୍କର ଭରସା ଏତେ ବେଶି ଥିଲା ଯେ ଲୋକେ କହୁଥିଲେ ”ଆମ ମାଷ୍ଟ୍ରେ ଗଧକୁ ବି ମଣିଷ କରିଦେବେ।“
ଜେଜେଙ୍କ ସମୟ ଯାଇ ବାପାଙ୍କ ସମୟ ଆସିଲା। ସମୟ ବଦଳିବା ସହିତ ବିଦ୍ୟାଳୟର ଚେହେରା ବଦଳିଗଲା। ଜେଜେଙ୍କ ସମୟର ସ୍କୁଲଗୁଡ଼ିକ ଥିଲା ମାଟି କାନ୍ଥରେ ତିଆରି ଚାଳଛପର ଘର। ବାପାଙ୍କ ଯୁଗରେ ଲୋକମାନେ ସ୍କୁଲ ମାଷ୍ଟରଙ୍କୁ ଆଉ ଅବଧାନେ କିମ୍ବା ଗୁରୁଜୀ ବୋଲି ସମ୍ବୋଧନ କଲେ ନାହିଁ। ନାମ ସହିତ ବାବୁ ଯୋଡ଼ି ଡାକିଲେ। ଲୋକଙ୍କ ସହିତ ମାଷ୍ଟରଙ୍କ ସମ୍ପର୍କରେ ସାମାନ୍ୟ ଦୂରତା ପରିଲକ୍ଷିତ ହେଲା। ସ୍କୁଲର ମାଟିକାନ୍ଥ ଭାଙ୍ଗି ପକ୍କା କାନ୍ଥ ହେଲା। ନଡ଼ାଛପର ଜାଗାରେ ଆଜବେଷ୍ଟସ୍‌ ଛପର କରାଗଲା। ମାତ୍ର ପ୍ରଥମକରି ଦେଖାଗଲା ଗ୍ରାମର ଅଳ୍ପ କେତେ ଜଣ ଧନୀ ଶ୍ରେଣୀର ଲୋକ ତାଙ୍କ ପିଲାଙ୍କୁ ସହରରେ ନୂଆ କରି ଖୋଲିଥିବା ଘରୋଇ ବିଦ୍ୟାଳୟରେ ଭର୍ତ୍ତିକଲେ। ଏହା ସତ୍ତ୍ୱେ ଗାଆଁ ସ୍କୁଲରେ ପିଲା ସଂଖ୍ୟା ବହୁତ ଥିଲା, କାରଣ ଲୋକଙ୍କ ଭିତରେ ଶିକ୍ଷାର ଗୁରୁତ୍ୱ ବଢ଼ିଥିଲା। ପ୍ରାୟ ସମସ୍ତ ଘରର ପିଲା ବିଦ୍ୟାଳୟକୁ ଆସୁଥିଲେ। କିନ୍ତୁ ମାଷ୍ଟର ଶିକ୍ଷକକୁ ରୂପାନ୍ତରିତ ହୋଇଗଲେ। କାମ ହେଲା କେବଳ ଶିକ୍ଷାଦାନ। ଆଉ ଯଦି କିଛି କାମ କରିବାକୁ ପଡ଼ିଲା ତାହା ସରକାରୀ କାମ ଯଥା ଜନଗଣନା, ଭୋଟ ସମୟରେ ଭୋଟ ଗ୍ରହଣ। କିନ୍ତୁ ଗାଆଁର ହାନିଲାଭ, ଭଲମନ୍ଦ, ବିପଦ ଆପଦରେ ଏମାନଙ୍କୁ ଛିଡ଼ା ହେବାକୁ ପଡ଼ିଲା ନାହିଁ। ନିର୍ଦ୍ଦିଷ୍ଟ ପାଠ୍ୟଖସଡ଼ା ଉପରେ ଏମାନେ ଅଧିକ ଧ୍ୟାନ ଦେଲେ। ଅନ୍ୟାନ୍ୟ ଶିକ୍ଷାଦାନରୁ ଶିକ୍ଷକ କ୍ରମଶଃ ଦୂରେଇ ଯିବାକୁ ଲାଗିଲେ।
ମୋ ସମୟରେ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ବହୁ ସରକାରୀ ପ୍ରୋତ୍ସାହିତ ଶିକ୍ଷାନୁଷ୍ଠାନ ଖୋଲିଛି। ଢାଞ୍ଚା ଦୃଷ୍ଟିରୁ ବିଭିନ୍ନ ପ୍ରକାରର, ପୁଣି ଅନୁଦାନ ପ୍ରଦାନକୁ ନେଇ ଆଉ କିଛି ପ୍ରକାରର ବିଦ୍ୟାଳୟ ଗଢ଼ା ହୋଇଛି। ନିମ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ନୋଡାଲ ଉଚ୍ଚ ପ୍ରାଥମିକ, ଉନ୍ନୀତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ନୋଡାଲ ଉଚ୍ଚ ବିଦ୍ୟାଳୟ- କେଉଁଠି କେତେଟା ଶ୍ରେଣୀ ଅଛି ଜାଣିବା ମୁସ୍କିଲ। ପୁଣି ପୁରୁଣା ସରକାରୀ, ନୂତନ ସରକାରୀ, ପୂର୍ଣ୍ଣ ଅନୁଦାନ, ନୂତନ ଅନୁଦାନ, ଅନୁଦାନଯୋଗ୍ୟ, ମାତ୍ର ଅନୁଦାନରୁ ବଞ୍ଚିତ ଏମିତି କେତେ ପ୍ରକାରର ବିଦ୍ୟାଳୟ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଜଣା ନ ଥିବ। ଏହାବାଦ୍‌ କେନ୍ଦ୍ରୀୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ଟିଆର୍‌ଡବ୍ଲ୍ୟୁ ବିଦ୍ୟାଳୟ ଅଛି। ଏତେସବୁ ବିଦ୍ୟାଳୟ ରହିବା ସତ୍ତ୍ୱେ ଛତୁଫୁଟିଲା ପରି ଘରୋଇ ବିଦ୍ୟାଳୟ ଗଢ଼ି ଉଠିଛି। ବାପାଙ୍କ ସମୟରେ ମାଷ୍ଟର ସିନା ଶିକ୍ଷକକୁ ରୂପାନ୍ତରିତ ହୋଇଥିଲେ ମୋ ସମୟର ଶିକ୍ଷକଙ୍କୁ କୁହାଯାଉଛି ଶିକ୍ଷାକର୍ମୀ, ଶିକ୍ଷା ସହାୟକ, ଆଉ କାହାକୁ କୁହାଗଲା ପାରା ଶିକ୍ଷକ, ଗଣଶିକ୍ଷକ, ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ, ଠିକା ଶିକ୍ଷକ, ଅତିଥି ଶିକ୍ଷକ ଏମିତି କେତେ କ’ଣ। ସମାନ କାମକୁ ସମାନ ଦରମାର ସାମ୍ବିଧାନିକ ଅଧିକାର ଭାଙ୍ଗିରୁଜି ଖଣ୍ଡବିଖଣ୍ଡିତ ହୋଇଯାଇଛି। ବୈଷମ୍ୟ ଏତେ ଚରମ ସୀମାକୁ ଯାଇଛି ଯେ ଏହାର ପ୍ରଭାବ ପଡ଼ିଛି ଶିକ୍ଷାଦାନରେ। ଫଳରେ ଛାତ୍ରୀଛାତ୍ର ସଂଖ୍ୟା କମୁଛି। ଏପରିକି ଗ୍ରାମର ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରର ପିଲାମାନେ ମଧ୍ୟ ଘରୋଇ ବିଦ୍ୟାଳୟ ଆଡ଼କୁ ମୁହଁାଇଲେ। ଅପରପକ୍ଷେ ବିଦ୍ୟାଳୟର ନବକଳେବର ହୋଇଛି। ସବୁଠି ପକ୍କାଘର ନିର୍ମାଣ ହୋଇଛି। କମ୍ପ୍ୟୁଟର, ବିଜ୍ଞାନ ଉପକରଣ, ଲାଇବ୍ରେରି ବହି ସରକାର ଯୋଗାଇ ଦେଇଛନ୍ତି। ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟାହ୍ନ ଭୋଜନ, ପାଠ୍ୟ ପୁସ୍ତକ, ସ୍କୁଲ ୟୁନିଫର୍ମ, ଜୋତା, ସ୍କୁଲ ବ୍ୟାଗ୍‌, ସାଇକେଲ ଆଦି ପିଲାଙ୍କୁ ଦିଆଯାଉଛି। ହେଲେ ସେତେଟା ପ୍ରଭାବ ପଡ଼ିଛି ବୋଲି ମନେହେଉନାହିଁ। କହିବାକୁ ବାଧ୍ୟ ହେଉଛି, ଅଧିକାଂଶ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ ପୁଅଝିଅଙ୍କୁ ନିଜ ବିଦ୍ୟାଳୟରେ କିମ୍ବା ଅନ୍ୟ କୌଣସି ସରକାରୀ ବିଦ୍ୟାଳୟରେ ପଢ଼ାଉ ନାହାନ୍ତି। ଘରୋଇ ବିଦ୍ୟାଳୟରେ ନେଇ ଛାଡ଼ୁଛନ୍ତି ଉତ୍ତମ ଶିକ୍ଷା ଦେବାପାଇଁ।
ମୁଁ ଏବେ ବରିଷ୍ଠ ନାଗରିକ ଶ୍ରେଣୀର, ଅର୍ଥାତ୍‌ ମୋ ପୁଅଝିଅଙ୍କ ଯୁଗ ଚାଲିଲାଣି। ସେମାନେ ଏବେ ଶିକ୍ଷକଙ୍କୁ ସାର୍‌ (ମହାଶୟ) ବୋଲି ସମ୍ବୋଧନ କରୁଛନ୍ତି। ଛାତ୍ର ଶିକ୍ଷକର ସମ୍ପର୍କ ଶ୍ରେଣୀ କକ୍ଷ ଭିତରେ ସୀମିତ। ଲେଖା, ପଢ଼ା, ପୁସ୍ତକ, ପାଠ୍ୟଖସଡ଼ା, ରେକର୍ଡପତ୍ର, ମଧ୍ୟାହ୍ନ ଭୋଜନକୁ ନେଇ ଶିକ୍ଷକ ସର୍ବଦା ବ୍ୟସ୍ତ। ବିଭିନ୍ନ ଦିବସ ପାଳନ କରିବା ଓ ଫଟୋ ଉଠାଇ ଛାଡ଼ିବା ଏବଂ ଉପର ଅଫିସରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନ୍‌ ଲାଇନ୍‌ରେ ବିବରଣୀ ପ୍ରେରଣ କରିବା ଶିକ୍ଷକର ପ୍ରାଥମିକ କାମ। ତେଣିକି ଲୋକେ ଶିକ୍ଷକଙ୍କ ଉପରୁ ଭରସା ହରାଇ କହିବା ଆରମ୍ଭ କଲେଣି, ”ଗଧ ଆଉ ମଣିଷ ହେଉନି ବରଂ ମଣିଷ ଗଧ ହୋଇଯାଉଛି।“
ଏକଥା କାହିଁକି ହେଉଛି ବୋଲି ପଚାରିଲେ ଆପଣ ଅସୁବିଧା, ଅସଂଗତି, ଅସମାନତାର ଏକ ଲମ୍ବା ଫର୍ଦ୍ଦ ଥୋଇବେ। ଏହା ସତ୍ୟ ଯେ ଯେତିକି ଶିକ୍ଷକ ରହିବା କଥା ସେତିକି ନାହାନ୍ତି। ଶିକ୍ଷକ ଉପରେ ଅନ୍ୟ କାର୍ଯ୍ୟର ଚାପ ପଡ଼ୁଛି। ଶିକ୍ଷକଙ୍କ ଦରମାରେ ବୈଷମ୍ୟ ଜାଣିଶୁଣି କରାଯାଇଛି। ପେନ୍‌ସନ ବ୍ୟବସ୍ଥା ଉଚ୍ଛେଦ ହୋଇଛି। ଅନୁଶାସନ ଅବୈଧ ଘୋଷଣା କରାଯାଇଛି। ତଥାପି ଶିକ୍ଷକ ଯେ ଜାତିର ନିର୍ମାତା ଏହାକୁ ଅସ୍ବୀକାର କରିପାରିବେ ନାହିଁ। ହେଲେ ଏତେ ବିଶାଳ ଗୁରୁଦାୟିତ୍ୱ ବହନ କରୁଥିବା ଶିକ୍ଷକମାନେ ସତରେ କ’ଣ ସମାଜ ପ୍ରତି ଥିବା ଉତ୍ତରଦାୟିତ୍ୱକୁ ନିର୍ବାହ କରୁଛନ୍ତି? ନା, କେବଳ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଯନ୍ତ୍ରମାନବ ପରି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି? ଆପଣମାନେ ଧରି ନେଇଛନ୍ତି ମୋତେ ଏତିକି ପଢ଼ାଇବାର ଅଛି ସେତିକି ପଢ଼ାଉଛନ୍ତି। ମୂଲ୍ୟବୋଧ ଭିତ୍ତିକ ମଣିଷଟିଏ ଗଢ଼ିବାରେ ନା ଅଛି ଚେଷ୍ଟା ନା ଅଛି ଆଗ୍ରହ! ଏହା ସତ୍ତ୍ୱେ ମୋ ଭଳି ସାଧାରଣ ମଣିଷମାନେ ଯେଉଁମାନେ ଗାଆଁରେ, ବସ୍ତିରେ, ସହରତଳି ଅଞ୍ଚଳରେ ବାସ କରୁଛନ୍ତି ସେମାନଙ୍କର ସ୍କୁଲ ମାଷ୍ଟରଙ୍କ ଉପରେ ପ୍ରଚଣ୍ଡ ଭରସା। ପିଲାଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଆନ୍ତରିକ ପ୍ରଚେଷ୍ଟା ରହିଲେ ଆପଣ ପୁଣି ଥରେ ସ୍କୁଲ ମାଷ୍ଟର ରୂପେ ଲୋକଙ୍କ ପ୍ରିୟଭାଜନ ହେବେ ଏଥିରେ ସନ୍ଦେହ ନାହିଁ। ବିଚାର ଆପଣଙ୍କର। ଶୁଭେଚ୍ଛା ଜଣାଇ ରହୁଛି।
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri