ଡଚ୍‌ ନୋବେଲ ବିଜୟିନୀ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଗତ ଶତାବ୍ଦୀର ଶେଷ ଦଶନ୍ଧିରୁ ସବୁଠାରୁ ବଡ଼ ଆହ୍ବାନ ରହିଆସିଛି। ଏବେ ସେଥିରୁ କିଭଳି ତ୍ରାହି ମିଳିବ ସେଥିଲାଗି ବୈଜ୍ଞାନିକ, ଗବେଷକ, ପରିବେଶବିତ୍‌, ସାମାଜିକ କର୍ମୀ ଅନବରତ କାର୍ଯ୍ୟ କରୁଛନ୍ତି। ପୃଥିବୀ ପୃଷ୍ଠରେ ଆତଯାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ପରିବେଶ ସୁରକ୍ଷା ଓ ଜଳବାୟୁଜନିତ ନ୍ୟାୟ (କ୍ଲାଇମେଟ୍‌ ଜଷ୍ଟିସ୍‌) ଦିଗରେ ଅବଦାନ ନ ରହିଲେ ସ୍ଥିତି ଆଗକୁ ଭୀଷଣ ରୂପ ଧାରଣ କରିବ ବୋଲି ଏବେଠାରୁ ସଙ୍କେତ ମିଳିସାରିଲାଣି। ବୈଜ୍ଞାନିକ ଉପାୟରେ ପରିବେଶକୁ ରକ୍ଷା କରାଯାଇପାରିଲେ ମଣିଷକୁଳ ଅଧିକ ସମୟ ବଞ୍ଚତ୍ବାର ରାହା ପାଇପାରିବ। ଭାରତ ଜନ୍ମିତ ନେଦରଲାଣ୍ଡ୍‌ସର ଆମଷ୍ଟରଡାମ୍ସରେ ରହୁଥିବା ପ୍ରଫେସର ଜୟିତା ଗୁପ୍ତା ପରିବେଶ ସୁରକ୍ଷାର ସୀମା ସରହଦ ଓ ଜଳବାୟୁ ନ୍ୟାୟ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସ୍ପିନୋଜା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଏହାକୁ ନେଦରଲାଣ୍ଡ୍‌ସର ସର୍ବଶ୍ରେଷ୍ଠ ବୈଜ୍ଞାନିକ ମାନ୍ୟତାପ୍ରାପ୍ତ ସମ୍ମାନ ଭାବେ ଗଣନା କରାଯାଇଥାଏ। ଏହି ପୁରସ୍କାର ‘ଡଚ୍‌ ନୋବେଲ’ ଭାବେ ଗଣାଯାଉଥିବାରୁ ଏହାର ଏକ ସ୍ବାତନ୍ତ୍ର୍ୟ ରହିଛି। ୧୨ ଜୁନ୍‌ରେ ଜୟିତା ୫୯ତମ ଜନ୍ମଦିବସ ପାଳନ କରିବା ପୂର୍ବରୁ ଏହି ପୁରସ୍କାର ଘୋଷଣା ତାଙ୍କୁ ପୁଲକିତ କରିଛି। ଆସନ୍ତା ୪ ଅକ୍ଟୋବରରେ ତାଙ୍କୁ ବିଧିବଦ୍ଧ ଭାବେ ଏହା ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୧.୫ ମିଲିୟନ ୟୁରୋ ମିଳିବ ବୋଲି ଜଣାପଡ଼ିଛି। ସେ ଜୀବାଶ୍ମ ଇନ୍ଧନର ବିକଳ୍ପ ବିକଶିତ କରିବା ଏବଂ ଆର୍ଥ ସିଷ୍ଟମ ବାଉଣ୍ଡରିଜ୍‌ ଭିତରେ ନିରନ୍ତର ତିଷ୍ଠି ରହିବା ପାଇଁ ଆବଶ୍ୟକ ପାଣ୍ଠି ଲାଗି ଉକ୍ତ ଅର୍ଥରାଶି ବିନିଯୋଗ କରିବେ ବୋଲି କହିଛନ୍ତି। ଫଳରେ ଏହାଦ୍ୱାରା ଜଳବାୟୁ ପରିବର୍ତ୍ତନର ମୁକାବିଲା କରାଯାଇପାରିବ ବୋଲି ଜୟିତା ମତ ଦେଇଛନ୍ତି।
ଜୟିତା ଗୁପ୍ତା ୧୨ ଜାନୁୟାରୀ ୧୯୬୪ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ କାଣ୍ଟନମେଣ୍ଟ ଅଧୀନ ଲୋରେଟୋ କନ୍‌ଭେଣ୍ଟ ସ୍କୁଲ ଓ ଏୟାରଫୋର୍ସ ସେଣ୍ଟ୍ରାଲ ସ୍କୁଲରେ ସେ ଅଧ୍ୟୟନ କରିଥିଲେ। ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ସେ ଅର୍ଥନୀତି ନେଇ ପାଠ ପଢ଼ିଥିଲେ। ସେହିପରି ଅହମଦାବାଦସ୍ଥିତ ସାର୍‌ ଏଲ୍‌. ଏ. ଶାହା ଆଇନ ମହାବିଦ୍ୟାଳୟ ଓ ପରେ ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସେ ଆଇନରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ସାମଗ୍ରିକ କୃତି ଦେଖିଲେ ସେ ବହୁ ଗବେଷଣାଧର୍ମୀ ଲେଖା ପ୍ରକାଶ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୪୦ ଜଣ ଲେଖକଙ୍କ ସହ ମିଶି ସେ ‘ଆର୍ଥ ସିଷ୍ଟମ୍‌ ବାଉଣ୍ଡରିଜ୍‌’ ରଚନା କରିଛନ୍ତି। ଏଥିରେ ମଣିଷର ସୁରକ୍ଷା ଦିଗରେ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସହିତ ଗ୍ରହର ସ୍ଥାୟିତ୍ୱ କିଭଳି ରହିବ, ତାହା ଉପରେ ବର୍ଣ୍ଣନା କରାଯାଇଛି। ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଯେଭଳି ଆବଶ୍ୟକ ଜଳ, ଖାଦ୍ୟ, ବାସସ୍ଥାନ ଓ ଉପଯୁକ୍ତ ଭିତ୍ତିଭୂମି ଭଳି ମୌଳିକ ସୁବିଧା ପାଇପାରିବେ ସେହି ଦିଗରେ ଜୟିତାଙ୍କ ଗବେଷଣା ଜାରି ରହିଛି। ଗତ ସପ୍ତାହରେ ନେଚର ପତ୍ରିକାରେ ମଣିଷ ସମ୍ମୁଖୀନ ହେଉଥିବା ପରିବେଶଜନିତ ସମସ୍ୟାରୁ କିଭଳି ନିସ୍ତାର ମିଳିବ, ତାହା ଉପରେ ଲେଖା ପ୍ରକାଶ କରି ନୂଆ ଚିନ୍ତାଧାରା ଦେବାରେ ସେ ସକ୍ଷମ ହୋଇଛନ୍ତି। ପରିବେଶର ସୁରକ୍ଷା ଓ ମାନବ ସମାଜ ତିଷ୍ଠି ରହିବା ଲାଗି କେଉଁ ପ୍ରକାର ପଦକ୍ଷେପ ନେଲେ ତାହା ସହଜରେ ସଫଳତା ଆଣିପାରିବ, ସେହି ଦିଗରେ ଅହରହ ଗବେଷଣାମନସ୍କ ଥିବାରୁ ତାଙ୍କୁ ଗତବର୍ଷ ୟୁନିଭର୍ସିଟି ଅଫ୍‌ ଲିଡ୍‌ସ ତରଫରୁ ପିଏର୍ସେ ସେଲର୍ସ ପ୍ରାଇଜ୍‌ ମିଳିଥିଲା। ଅକ୍ଟୋବରରେ ଡଚ୍‌ ନୋବେଲ ପାଇବା ଲାଗି ନାମ ଘୋଷଣା ହେବା ପରେ ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନଜନିତ ଉଭା ହେଉଥିବା ବିପଦରୁ ରକ୍ଷା ପାଇବା ଲାଗି ସେ ତାଙ୍କ ଗବେଷଣାକୁ ଆହୁରି ତୀକ୍ଷ୍ଣ କରିବେ। ଏହି ଅବସରରେ ସେ ଭାରତର ସ୍କୁଲ ଓ କଲେଜରେ ପଢ଼ିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା କହିଛନ୍ତି। ପରିବେଶକୁ ନ୍ୟାୟ ଦେବା ସଂକ୍ରାନ୍ତରେ ଚାଲିଥିବା ତାଙ୍କ ଅଭିଯାନରେ ସେ ଭାରତର ସାମାଜିକ ଓ ପରିବେଶଜନିତ ପ୍ରସଙ୍ଗକୁ ସ୍ଥାନ ଦେଇଥିବା ପ୍ରକାଶ କରିଛନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri