ଗଞ୍ଜାମ,୩।୧(ଡି.ଏନ୍.ଏ.): ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ। ରାଜ୍ୟ ସରକାର ଏହାର ଆୟୋଜନ କରୁଥିବାରୁ ଚାରିଆଡେ ଏହାକୁ ନେଇ କ୍ରେଜ୍ ଦେଖିବାକୁ ମିଳୁଛି। ଏହି କ୍ରମରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ବିଶ୍ରାମଗାର ସେଲ୍ଫି ପଏଣ୍ଟରେ ହକି ଷ୍ଟିକ ସହ ଖେଳାଳିଙ୍କ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଛନ୍ତି।
ତହସିଲଦାର ନାୟକ ଅତି ସୁନ୍ଦର ଚିତ୍ର ଅଙ୍କନ କରିବା ସହ ଆକର୍ଷଣୀୟ ରଙ୍ଗ ଦେଇଛନ୍ତି। ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମି ଥିବା ବେଳେ କଲେଜ ଛାତ୍ରୀଛାତ୍ରମାନେ ସେଲ୍ଫିର ମଜା ନେଉଛନ୍ତି। ତେବେ ତହସିଲଦାର ନାୟକ ପ୍ରଶାସନିକ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହ ବିଭିନ୍ନ ସ୍ଥାନରେ ଚିତ୍ର ଆଙ୍କି ନିଜର ଆଉ ଏକ କଳା ପଦର୍ଶନ କରି ସହରବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ।


