କୋଲକାତା,୧୪।୧୧: ଟିଏମ୍ସି ନେତା ତଥା ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିଛନ୍ତି। ଆମ ନେତାଙ୍କ ବୟାନ ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ସୋମବାର ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି। ଏଭଳି ବୟାନ ସହିତ ଦଳର କୌଣସି ସମ୍ପର୍କ ନାହିଁ। କେହି ଜଣେ ଭୁଲ କରିଛନ୍ତି ଏବଂ ଆମେ ଏହାକୁ ବିରୋଧ କରୁଛୁ, ଆମେ ଏହାକୁ ସମର୍ଥନ କରୁନାହୁଁ। ଦଳ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କିନ୍ତୁ ବୟାନ ଦେବା ଏବଂ ମିଥ୍ୟା କହିବା ପାଇଁ ପ୍ରତିଦିନ ଯେଉଁ ଭାଷାର ବ୍ୟବାହର କରାଯାଉଛି ତାହା ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜଣେ ଭଲ ମହିଳା ଥିବା ବେଳେ ମୁଁ ତାଙ୍କର ସମ୍ମାନ କରେ ବୋଲି ମମତା ବାନାର୍ଜୀ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମ୍ସି ନେତା ଅଖିଲ ଗିରି ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।


