ଭାରତ କେତେ ପ୍ରସ୍ତୁତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନ ସ୍ତରକୁ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଥର ଲା ନିନା ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଶାରଦମାନେ ଆକଳନ କରିଛନ୍ତି। ତେଣୁ ଏହି ବର୍ଷ ଉତ୍ତର ଭାରତରେ ଅତ୍ୟଧିକ ଶୀତ ପଡ଼ିବାର ସମ୍ଭାବନା ରହିଛି। ସେଭଳି ସ୍ଥଳେ ଖେତରେ ଥିବା ଖୁଣ୍ଟାକୁ ପୋଡ଼ିଦିଆଗଲେ ତାହାର ଧୂଆଁ ବାୟୁମଣ୍ଡଳକୁ ଅଧିକ ଦୂଷିତ କରିଦେବ। ଚଳିତ ବର୍ଷ ଦୀପାବଳି ସମୟରେ ଲୋକେ ନିୟମ ଉଲ୍ଲଂଘନ କରି ବାଣଫୁଟାଇବାରୁ ସେଠାରେ ପ୍ରଦୂଷଣ ବୃଦ୍ଧି ପାଇଛି। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ତଥା ଦିଲ୍ଲୀ ସରକାରଙ୍କ ପରିବେଶ ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି, ବିରୋଧୀ ଦଳ ପ୍ରରୋଚନାରେ ଉତ୍ସାହିତ ହୋଇ କିଛି ଲୋକ ଦୀପାବଳିକୁ ଧର୍ମୀୟ ରଙ୍ଗ ଦେଇ ବାଣ ଫୁଟାଇବାରୁ ଦିଲ୍ଲୀ ଅଧିକ ପ୍ରଦୂଷିତ ହୋଇଛି। ଦେଖିବାକୁ ଗଲେ ଧର୍ମ ନାମରେ ଏଭଳି କରାଯିବା ଦ୍ୱାରା ଆମ ପିଲା ଓ ପରବର୍ତ୍ତୀ ପିଢ଼ିର ସ୍ବାସ୍ଥ୍ୟକୁ ଆମେ ଖରାପ କରିଦେଉଛେ। ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଆଗକୁ ଅଧିକ ବିଗିଡ଼ିଯିବ ଏଇଥିପାଇଁ ଯେ, ଚଳିତବର୍ଷ ମୌସୁମୀ ଅଧିକ ସମୟ ସକ୍ରିୟ ରହିଥିବାରୁ ଅମଳ ସମୟ ଗଡ଼ିଯାଇଛି। ଡିସେମ୍ବର୨୦୨୧ରୁ ଫେବୃୟାରୀ ୨୦୨୨ ଯାଏ ଅତ୍ୟଧିକ ଶୀତ ପଡ଼ିବ ବୋଲି କୁହାଯାଉଛି। ଏହି ସମୟରେ ଖୁଣ୍ଟା ପୋଡ଼ିବା କାର୍ଯ୍ୟ ବଢ଼ିଗଲେ ଦିଲ୍ଲୀ ସମେତ ଉତ୍ତର ଭାରତର ଲୋକେ ଦୂଷିତ ବାୟୁ ଯୋଗୁ ଆକ୍ତାମାକ୍ତା ହେବାର ଆଶଙ୍କା ରହିଛି।
ଏବେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୬ ଜାରି ରହିଛି। ଏଥିରେ ବିକଶିତ ରାଷ୍ଟ୍ରଗୁଡ଼ିକ ଉପରେ ପ୍ରଦୂଷଣ ରୋକିବା ଲାଗି ଆର୍ଥିକ ଖର୍ଚ୍ଚ ବହନ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର ବୋଲି ପ୍ରସ୍ତାବ ରହିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ କହିଛନ୍ତି, ୨୦୭୦ ସୁଦ୍ଧା ଦେଶ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବ। ସେ ଏହା କହିଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହାକୁ ପାଳନ କରିବା କଷ୍ଟକର ମନେହେଉଛି। ଜଳବାୟୁ ନୀତି ବିଶେଷଜ୍ଞ ଅପୂର୍ବ ମିତ୍ର ଏହାକୁ ଏକ ସୀମାହୀନ ଟାର୍ଗେଟ ବୋଲି ଯାହା କହିଛନ୍ତି ତାହା ଏବର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ଥିତି ଦେଖିଲେ ବୁଝି ହୋଇଯାଉଛି। ବାସ୍ତବରେ ନେଟ୍‌ ଜିରୋ ସ୍ତର ହାସଲ କରିବା ଲାଗି ସରକାରଙ୍କୁ ଉପଯୁକ୍ତ ଲେଆଉଟ୍‌ ଆଙ୍କିବାକୁ ପଡ଼ିବ। ଏହା କରାଯାଇପାରି ନ ଥିବା ବେଳେ ପ୍ରଧାନମନ୍ତ୍ରୀ କେଉଁ ଆଧାରରେ ଉପରୋକ୍ତ ମତ ଦେଇଛନ୍ତି, ତାହା ବୁଝିବା କଷ୍ଟକର।
ଏବେ କ୍ଲାଇମେଟ୍‌ କ୍ଲକ୍‌ର ତଥ୍ୟ ଅନୁଯାୟୀ ବିଶ୍ୱ ଗୋଟିଏ ବର୍ଷ ମଧ୍ୟରେ ୧.୫ ଡିଗ୍ରୀ ସେଲ୍‌ସିୟସ ଅଧିକ ତାପନର ନିକଟତର ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ପ୍ୟାରିସ୍‌ ଚୁକ୍ତି ବେଳେ ବିଶ୍ୱତାପନ ବୃଦ୍ଧିକୁ ସର୍ବନିମ୍ନ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଥିଲା। ୨୦୨୦ରେ କୋଭିଡ୍‌-୧୯ ଯୋଗୁ କରାଯାଇଥିବା ଲକ୍‌ଡାଉନ ସକାଶେ ବିଶ୍ୱତାପନ ହ୍ରାସ ପାଇଥିଲା। ହେଲେ ଏହା ବଢ଼ିବାରେ ଲାଗିଲାଣି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରତିଜ୍ଞା କରିଛନ୍ତି, ଆଗାମୀ ଦିନରେ ବିଦ୍ୟୁତ୍‌ ଉତ୍ପାଦନର ଅଧା ଶକ୍ତି ନବୀକରଣୀୟ, ଜଳ ଓ ଆଣବିକ ଶକ୍ତି ଉତ୍ସରୁ ପୂରଣ ହେବ। ତେବେ ଦେଶ ଏତେ ଶୀଘ୍ର ଏ ଦିଗରେ ପଦକ୍ଷେପ କିପରି ନେବ ସେ ବିଷୟରେ କିଛି ସ୍ପଷ୍ଟ ଜଣାନାହିଁ। ଭାରତ ଏ ପର୍ଯ୍ୟନ୍ତ ତାପଜ ବିଦ୍ୟୁତ୍‌ ଉପରେ ଅଧିକ ନିର୍ଭରଶୀଳ ରହିଛି। କେବଳ ନିର୍ଭରଶୀଳ ନୁହେଁ, ଏବେବି ସେହି ଶକ୍ତି କେନ୍ଦ୍ରଗୁଡ଼ିକର ସମ୍ପ୍ରସାରଣ କରାଯାଉଛି। ଏକ ଦଶନ୍ଧି ହେବ ଦେଖାଯାଉଛି ଯେ, ଓଡ଼ିଶା ସମେତ ଦେଶର ତାପଜ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ଯେଉଁ ମେଶିନ୍‌ ବ୍ୟବହାର କରାଯାଉଛି ସେଗୁଡ଼ିକ ଚାଇନାରୁ ଆମଦାନୀ କରାଯାଇଛି। ଚାଇନା ନିର୍ମିତ ମେଶିନ୍‌ ନିମ୍ନମାନର ଓ ପରିବେଶ ଅନୁକୂଳ ହୋଇ ନ ଥିବାରୁ ତାହା ଦ୍ୱାରା ପ୍ରଦୂଷଣ ସ୍ତର ବୃଦ୍ଧି ପାଉଛି।
ଶୂନ ଅଙ୍ଗାରକାମ୍ଳ ନିର୍ଗମନ ହାସଲ କରିବା ଏକ ବିରାଟ ଲକ୍ଷ୍ୟ। ଶିଳ୍ପ, ଭିତ୍ତିଭୂମି, ପରିବହନ ଆଦି ସବୁ କ୍ଷେତ୍ରରେ ପୁରୁଣା ପ୍ରଯୁକ୍ତି ଓ ଢାଞ୍ଚାକୁ ଛାଡ଼ି ନୂତନ ପ୍ରଯୁକ୍ତିରେ ଅର୍ଥ ବିନିଯୋଗ କରିବାକୁ ପଡ଼ିବ। ଏହା କରିବାକୁ ବର୍ତ୍ତମାନର ମାନବ ସମ୍ବଳ, ମେଶିନ୍‌ ଓ ଅନ୍ୟ ସବୁ ଭିତ୍ତିଭୂମିକୁ ମଧ୍ୟ ପଛରେ ଛାଡ଼ି ଅଭିନବ ତଥା ସବୁଜ ପ୍ରଯୁକ୍ତି ଆପଣାଇବା ଆବଶ୍ୟକ। ଏଥିପାଇଁ ଯେଉଁ ସ୍ତରର ଅଙ୍ଗୀକାରବଦ୍ଧତା ଦରକାର ତାହା ଭାରତ ପାଖେ ଅଛି ନା ନାହିଁ, ଆଗାମୀ ଦିନର ନୀତି ଦର୍ଶାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri