ନନ୍ଦପୁର ୨୫।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ସଂଯୋଗୀ ଆରଡି ରାସ୍ତାରେ ଥିବା ଏକ ପୋଲର ସୁରକ୍ଷା ପାଚେରୀ ଧସି ଯାଇଥିବା ଦେଖିବାକୁ ମିଳିଛି। ସୁନାବେଡା ଆରଡି ବିଭାଗ ଅଧୀନ ସଲାବ-ରୁକୁବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ନିର୍ମାଣ ହୋଇଛି। ରାସ୍ତାର ଖେମୁଣ୍ଡୁଗୁଡ଼ା ନିକଟରେ ଥିବା ପୋଲର ସୁରକ୍ଷା ପାଚେରୀକୁ କାଳବୈଶାଖୀ ବର୍ଷା ପାଣି ଧସେଇ ନଷ୍ଟ କରିଥିବା ଗ୍ରାମବାସୀ ଓ ପୂର୍ବତନ ସରପଞ୍ଚ ଡମ୍ବରୁ ବଣ୍ଡା ସୂଚନା ଦେଇଛନ୍ତି। ଏହି ରାସ୍ତା ପଞ୍ଚାୟତବାସୀଙ୍କ ପାଇଁ ମୁଖ୍ୟ ରାସ୍ତା ହୋଇଥିବାରୁ ରାସ୍ତା ଓ ପୋଲ ପ୍ରତି ବିପଦ ସୃଷ୍ଟି ହେବା ଆଗରୁ ଆରଡି କର୍ତ୍ତୃପକ୍ଷ ପୋଲର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ନିର୍ମାଣ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ପୋଲ ଧସିବା ସମ୍ପର୍କରେ ସୁନାବେଡା ଆରଡି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରେ ବିଭାଗୀୟ ଯନ୍ତ୍ରୀ ମାନସୀ ଡାକୁଆ ଦିନେ ଦୁଇଦିନ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।

