ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର, ୫ା୬(ବ୍ୟୁରୋ): ବଡ଼ ବଡ଼ ସହରରେ ଏବେ ନିଃଶ୍ୱାସ ପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ଆଉ ବିଶୁଦ୍ଧ ବାୟୁ ଟିକେ ମିଳିବ ନାହିଁ। ହୁ ହୁ ହୋଇ ବୃଦ୍ଧି ପାଉଥିବା ମୋଟର ଯାନ ବ୍ୟବହାର ଶ୍ୱାସ ରୁନ୍ଧି ଦେଲାଭଳି ପରିସ୍ଥିତି ସୃଷ୍ଟି କଲାଣି। ନିକଟରେ ରାଜଧାନୀ ଦିଲ୍ଲୀରେ ଅତ୍ୟଧିକ ବାୟୁ ପ୍ରଦୂଷଣକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା। କେବଳ ଦିଲ୍ଲୀ ନୁହେଁ ଦେଶର ୧୦୨ଟି ସହର ପ୍ରଦୂଷଣର ବିଷାକ୍ତ ବଳୟ ମଧ୍ୟକୁ ଚାଲି ଯାଇଛି। ଓଡ଼ିଶାର କେତେକ ସହର ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। ଯାନବାହନ, ଶିଳ୍ପାଞ୍ଚଳ, କଠିନ ବର୍ଜ୍ୟବସ୍ତୁ ପୋଡ଼ିବା ପରେ ସେଥିରୁ ନିର୍ଗତ ଧୂଆଁ ଯୋଗୁ ସହରାଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ରାଜ୍ୟର ଭୁବନେଶ୍ୱର ସମେତ କଟକ, ଅନୁଗୋଳ, ତାଳଚେର, ବାଲେଶ୍ୱର ଏବଂ ରାଉରକେଲା ଆଦି ୬ଟି ସହର ପ୍ରଦୂଷଣ ଜ୍ୱଳାରେ ଛଟ ପଟ ହେଉଛି। ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନ୍‌ମେଣ୍ଟ ଦ୍ୱାରା କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ପଦାକୁ ଆସିଛି।
ସମଗ୍ର ଦେଶରେ ସହରାଞ୍ଚଳର ପରିବେଶକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(ଏସ୍‌ପିସିବି) ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେଉ ନ ଥିବାରୁ ଗୋଟିଏ ପରେ ଗୋଟିଏ ସହର ପ୍ରଦୂଷଣ ବଳୟ ଭିତରକୁ ଚାଲି ଯାଉଛି। ସାଧାରଣତଃ ବାୟୁରେ ୧୦ମାଇକ୍ରନରୁ କମ୍‌ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା। ମାତ୍ର ଏହି ସହରାଞ୍ଚଳଗୁଡ଼ିକରେ ଯଥେଷ୍ଟ ଅଧିକ ରହିଛି। ସୂଚନାନୁଯାୟୀ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ହାର ୩୬% ଅଧିକ ଥିବାବେଳେ ଅନୁଗୋଳ ୨୮, କଟକ ୨୭, ରାଉରକେଲା ୪୧ ଏବଂ ତାଳଚେର ୪୫ % ରହିଛି।
ସ୍ମାର୍ଟସିଟି ଭୁବନେଶ୍ୱର ଯାନବାହନ ଜନିତ ପ୍ରଦୂଷଣରେ ଅଣନିଃଶ୍ୱାସୀ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ୨୦୦୫ରୁ ୨୦୧୭ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୨୭୨ପ୍ରତିଶତ, କଟକ ୧୫୯, ଅନୁଗୋଳ ୧୫୨, ଭୁବନେଶ୍ୱର ୧୧୮ ଏବଂ ରାଉରକେଲାରେ ୮୦ ପ୍ରତିଶତ ଯାନବାହନ ପଞ୍ଜୀକୃତ ହୋଇଛି।
ସହରାଞ୍ଚଳରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳର ପରିବେଶ ସୁଧାରିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ୬ମାସ ମଧ୍ୟରେ ରିପୋର୍ଟ ଦେବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସହରାଞ୍ଚଳଗୁଡ଼ିକର ବାୟୁ ପ୍ରଦୂଷଣ ମାତ୍ରା କିପରି ହ୍ରାସ କରାଯାଇପାରିବ ସେ ନେଇ ରାଜ୍ୟ ସରକାର ଏକ ସମନ୍ବିତ ସ୍ବଚ୍ଛ ବାୟୁ ଆକ୍ସନ ପ୍ଲାନ(କମ୍ପ୍ରହେନସିଭ କ୍ଲିନ ଏୟାର ଆକ୍ସନ ପ୍ଲାନ) ପ୍ରସ୍ତୁତ କରିଛନ୍ତି। ଏଥିରେ ରାଜ୍ୟ ପରିବହନ ବିଭାଗ, ଶିଳ୍ପ, କୃଷି, ଖଣି ଓ ଇସ୍ପାତ, ଗୃହନିର୍ମାଣ ଓ ନଗର ଉନ୍ନୟନ ଭଳି ଅନ୍ୟାନ୍ୟ ବିଭାଗକୁ ସାମିଲ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ତୁଲାଇବ। ରାଜ୍ୟ ସରକାରଙ୍କ ପକ୍ଷରୁ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ ଏହି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଦ୍ୱାରା ଏହାକୁ ଅନୁମୋଦନ କରାଯାଇଛି। ଆକ୍ସନ ପ୍ଲାନ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ବିଭିନ୍ନ ପର୍ଯ୍ୟାୟରେ ବିଭାଗ ଗୁଡ଼ିକୁ ନେଇ କର୍ମଶାଳାର ଆୟୋଜନ କରାଯିବ।
ପ୍ରଦୂଷିତ ବାୟୁମଣ୍ଡଳକୁ ସାମାନ୍ୟ ସ୍ତରକୁ ଆଣିବା ପାଇଁ ଶିଳ୍ପାଞ୍ଚଳ ଓ ଯାନବାହନ ଜନିତ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ସହରାଞ୍ଚଳ ନିକଟରେ ଥିବା ଅତି ପ୍ରଦୂଷିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ସ୍ଥାନାନ୍ତର କରିବା, ସର୍ବସାଧାରଣ ପରିବହନ ସେବାରେ ସଂସ୍କାର ଆଣିବା ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ। ଯାନବାହନରୁ ବାହାରୁଥିବା ଧୂଆଁ ବର୍ଜ୍ୟବସ୍ତୁ ପରିଚାଳନା, କୋଠାବାଡ଼ି ନିର୍ମାଣ ଯୋଗୁ ହେଉଥିବା ପ୍ରଦୂଷଣ ଇତ୍ୟାଦିକୁ ରୋକିବା ଲାଗି ପଦକ୍ଷେପ ନିଆଯିବ। ରାଉରକେଲା, ତାଳଚେର ଏବଂ ଅନୁଗୋଳ ଶିଳ୍ପାଞ୍ଚଳ ସହରରେ ପ୍ରଦୂଷଣ ରୋକିବାକୁ ଏକ ବଡ଼ ଆହ୍ବାନ। ସେହି ସବୁ ସହରରେ ପିଏମ୍‌(ପାର୍ଟିକୁଲେଟ ମ୍ୟାଟର)-୧୦ ରହିଛି। ଏହାକୁ ୧୪ରୁ ୧୫ ପ୍ରତିଶତ ହ୍ରାସ କରିବାକୁ ପଡ଼ିବ। ସେହିପରି ଭୁବନେଶ୍ୱର, କଟକ ଓ ବାଲେଶ୍ୱରରେ ବାୟୁ ପ୍ରଦୂଷଣ ପିଏମ-୧୦କୁ ୨୭ରୁ ୩୬ ପ୍ରତିଶତ କୁ ହ୍ରାସ କରିବା ନେଇ ଆକ୍ସନ ପ୍ଲାନରେ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଏହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ଦିଗରେ ସମସ୍ତ ବିଭାଗ ଉଦ୍ୟମ କରିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି। ଆକ୍ସନ ପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ବିଭାଗଗୁଡ଼ିକୁ ନେଇ ମଙ୍ଗଳବାର ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri