ଗଜପତି,୪ା୧(ଗିରିଧାରୀ ପରିଛା): ନୂଆବର୍ଷର ପ୍ରଥମ ରବିବାରରେ ଗୋଟିଏ ପରିବାରରେ ତିନିଜଣଙ୍କ ଜୀବନ ଦୀପ ଲିଭିଯାଇଛି। ଗଜପତି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ବାରୁଆ ଥାନା ଅଧୀନ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶିଶୁକନ୍ୟା ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱରର ଗୋଟିଏ ପରିବାରର ସଦସ୍ୟମାନେ OD-01W-8485 ନମ୍ବର ବିଶିଷ୍ଟ ଏକ କାର୍ରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ କାର୍ଟି ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଡିଭାଇଡର ଡେଇଁ କାର୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚାପି ହୋଇଯାଇଥିଲା ଏବଂ ଟ୍ରକ୍ଟି ରାସ୍ତା କଡ଼ରେ ଥିବା ଏକ ବିଲ ମଧ୍ୟକୁ ପଶିଯାଇଥିଲା।
ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତଙ୍କୁ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳରେ ଜାତୀୟ ରାଜପଥ (NH) କର୍ମଚାରୀ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଥିଲେ।
ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିଛି। ତେବେ ଟ୍ରକ୍କୁ ଉଦ୍ଧାର କରାଯାଇପାରି ନାହିଁ। ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମୃତାହତମାନଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


