ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ ରାମଗୁଡା ଗ୍ରାମ ଦେଇ ମା’ ବାଳକୁମାରୀଙ୍କ ମନ୍ଦିରକୁ ରାସ୍ତା ପଡେ । ଚିକିଟି ରାଜାଙ୍କ ଇଷ୍ଟ ଦେବୀ ହେଉଛନ୍ତି ମା’ ବଳକୁମାରୀ । ବହୁ ବର୍ଷ ପୂର୍ବେ ରାଜାଙ୍କୁ ସ୍ବପ୍ନାଦେଶ ହୋଇଥିଲା । ସ୍ବପ୍ନାଦେଶ ପରେ ରାଜାଙ୍କ ଅମଳରୁ ମା’ଙ୍କୁ ପାହାଡ଼ ଉପରେ ପୂଜାର୍ଚ୍ଚନା କରାଯାଉଛି ବୋଲି ପାତ୍ରପୁର ବ୍ଲକରେ ରାଜସ୍ବ ନିରୀକ୍ଷକରୁ ଅବସର ନେଇଥିବା ବୁଦ୍ଧଦୀପ ମଲ୍ଲିକ ସୂଚନା ଦେଇଛନ୍ତି । ଚାରିପଟେ ପ୍ରାକୃତିକ ପରିବେଶ ମଧ୍ୟରେ ମା’ଙ୍କ ମନ୍ଦିର ଅବସ୍ଥିତ ଥିବାରୁ ଅନେକ ପର୍ଯ୍ୟଟକଙ୍କ ଆକୃଷ୍ଟ କରିଥାଏ ଏହି ପିକନିକ ସ୍ପଟ। ଜିଲାର ଅନ୍ୟ ପିକନିକସ୍ଥଳୀ ଗୁଡିକ ମଧ୍ୟରୁ ବାଳକୁମାରୀ ପିକନିକ ସ୍ପଟ ନିଆରା। ପାହାଡ଼ ଉପରେ ମା’ଙ୍କ ମନ୍ଦିର। ବର୍ଷ ତମାମ ବାଳକୁମାରୀ ପାହାଡ଼ର ପାଦ ଦେଶରେ ବଣଭୋଜି ହୋଇଥାଏ । ବିଶେଷ କରି ନୂଆ ବର୍ଷରେ ବିଭିନ୍ନ ଜିଲାରୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ ଓ ସ୍କୁଲ ଛାତ୍ରୀଛାତ୍ର। ଏଠାରେ ବଣଭୋଜି କରିବା ସହ ଯୁବତୀଯୁବକ ଏବଂ ଛାତ୍ରୀଛାତ୍ରଙ୍କ ନାଚଗୀତରେ ଫାଟି ପଡିଥାଏ ସମଗ୍ର ମା’ଙ୍କ ପୀଠସ୍ଥଳୀ । ନୂଆ ବର୍ଷ ପରେ ମଧ୍ୟ ଏଠାରେ ବଣଭୋଜି ସହ ବୁଲିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ବୋଲି ରାମଗୁଡା ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।


