ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶ୍ରେୟସ ବିନା କୌଣସି ଅସୁବିଧାରେ ଏକ ଘଣ୍ଟା ଧରି ବ୍ୟାଟିଂ କରିଥିଲେ ଏବଂ ସେ ଏବେ ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ(ସିଓଇ)ରେ ଯୋଗଦେବାକୁ ଯାଉଛନ୍ତି।
ଗତ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଶ୍ରେୟସଙ୍କର ପିଞ୍ଜରାରେ ଆଘାତ ଲାଗିଥିଲା। ଏଥିଯୋଗୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଓ ପୂରା ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଥିଲେ। କିନ୍ତୁ ୩୧ ବର୍ଷୀୟ ବ୍ୟାଟର ବିଜୟ ହଜାରେ ଟ୍ରଫି ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟକୁ ଫେରିବେ ବୋଲି ଆଶା କରାଯାଉଛି।
ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ଯେ, ଶ୍ରେୟସ ଇଞ୍ଜୁରି କାରଣରୁ ଅନେକ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମିସ କରିଛନ୍ତି। ସେ ଏବେ ବିନା ଯନ୍ତ୍ରଣାରେ ପ୍ରାକ୍ଟିସ କରିବା ଏକ ଭଲ ସଙ୍କେତ। କିନ୍ତୁ ତାଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଲାଗି ଭାରତୀୟ ଦଳକୁ ଫେରିବା କଷ୍ଟକର ହେବ। ମାତ୍ର ଚଳିତ ବିଜୟ ହଜାରେ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କର ଖେଳିବାର ସମ୍ଭାବନା ରହିଛି।
ସେ ସମ୍ଭବତଃ ୪ରୁ ୬ ଦିନ ସିଓଇଠାରେ ବିତାଇବେ। ଏହି ସମୟ ମଧ୍ୟରେ ସେ କେବେ ଉପଲବ୍ଧ ହେବେ, ତାହା ସ୍ପଷ୍ଟ ହେବ। ସେ ଏବେ ଜିମରେ ନିୟମିତ ଟ୍ରେନିଂ କରୁଛନ୍ତି। ଏଣୁ ବର୍ତ୍ତମାନ କିଛି ଚିନ୍ତାର ବିଷୟ ନାହିଁ। କିନ୍ତୁ ସବୁକିଛି ସିଓଇର ମୂଲ୍ୟାଙ୍କନ ଉପରେ ନିର୍ଭର କରେ। ଭାରତୀୟ ଦଳ ଆସନ୍ତା ୧୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ। ଏଥିଲାଗି ଜାନୁଆରୀ ପ୍ରଥମ ସପ୍ତାହ ତଥା ୨ କିମ୍ୱା ୩ ତାରିଖରେ ଦଳ ଘୋଷଣା କରାଯିବ।


