ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ କରିଛନ୍ତି। ମନ୍ତ୍ରୀ ପୂଜାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ଯୋଗଦେଇ କୋଟିଆ ଓଡ଼ିଶାର ରହିଛି ଓ ରହିଥିବ ବୋଲି କହିଛନ୍ତି। ଆନ୍ଧ୍ର ପ୍ରଦେଶ ସୀମାନ୍ତ କୋଟିଆରେ ଅନୁପ୍ରବେଶକରି ଏହାକୁ ନିଜର ବୋଲି ଭାବିବା ଭୁଲି ଯାଆନ୍ତୁ। ପଡ଼ୋଶୀ ଆନ୍ଧ୍ର ମାଉସୀ ହୋଇ ରହିଥାଉ, ମା’ ହେବାକୁ ଚେଷ୍ଟା ନ କରୁ ବୋଲି ମନ୍ତ୍ରୀ କହିଛନ୍ତି।
ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପୂଜାରୀ ଯୋଗଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଅତିଥି ନିବାସରେ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଏସ୍ପି ରୋହିତ୍ ବର୍ମା, ଉପଜିଲାପାଳ ପ୍ରେମଲାଲ ହିଆଲ, ସିଡିଓ ବେଣୁଧର ଶବର, ବିଡିଓ ରାମକ୍ରିଷ୍ଣା ନାୟକ, ବ୍ଲକ୍ ଅଧ୍ୟକ୍ଷା କଳ୍ପନା ପାଙ୍ଗି ଏବଂ ସରପଞ୍ଚ ଲିଊ ଗେମେଲ୍ ପ୍ରମୁଖ ଉପସ୍ଥିତ ରହିଥିଲେ । ପଞ୍ଚାୟତରେ ବିଭିନ୍ନ ଯୋଜନାର କାର୍ଯ୍ୟକାରୀ ନେଇ ସମୀକ୍ଷା କରିଥିଲେ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ ଓ କୋଟପାଡ଼ ବିଧାୟକ ରୂପୁ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ କହିଛନ୍ତି, ସୀମାନ୍ତ କୋଟିଆ ପଞ୍ଚାୟତ ଅଧୀନରେ କିଛି ସରକାରୀ ଜମି ରହିଛି। ଏହାକୁ ନେଇ ସର୍ଭେ କରିବା ସହ ଜମିହୀନ ପରିବାରଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସୀମାନ୍ତବାସୀଙ୍କ ସହିତ ରାଜ୍ୟ ସରକାର ରହିଛନ୍ତି ଓ ରହିବେ ମଧ୍ୟ। କୋଟିଆ ପଞ୍ଚାୟତକୁ ସରକାର ସ୍ବତନ୍ତ୍ର ଧ୍ୟାନଦେବା ସହ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବା ଆମର ଦାୟିତ୍ୱ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀ ୩୧ ସ୍ବୟଂ ସହାୟକ ଗୋଷ୍ଠୀକୁ ୧ କୋଟି ଟଙ୍କାର ଋଣ ଚେକ୍ ମାଧ୍ୟମରେ ପ୍ରଦାନ କରିଥିଲେ। ପିଏମ୍ଜିଓ୍ବାଇ ମାଧ୍ୟମରେ ୭ଜଣଙ୍କୁ ହେଲ୍ଥ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା ୬, ମମତା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ୬ଜଣଙ୍କୁ ୬ ହଜାର ଟଙ୍କା, ୫ ଚାଷୀଙ୍କୁ ବିହନ ପ୍ରଦାନ କରିଥିଲେ। ଏହି ସମୟରେ ପଞ୍ଚାୟତର ୭ ନଂ ଓ୍ବାର୍ଡ ସଭ୍ୟ ରଜତ୍ କୁମାର ଖିଲ ଓ ପଞ୍ଚାୟତବାସୀ ୬ ମାସ ହେବ ପଞ୍ଚାୟତରେ ଏମ୍ଜିଏନ୍ଆରଜିଏସ୍ ଓ ଅନ୍ୟ ଯୋଜନାର କୌଣସି କାମ ହେଉ ନ ଥିବା ଜଣାଇଥିଲେ। ଏ ନେଇ ମନ୍ତ୍ରୀ ପୂଜାରୀ ଜିଲା ପ୍ରଶାସନକୁ ଏହା ଉପରେ ଦୃଷ୍ଟିଦେଇ ପଞ୍ଚାୟତକୁ ଅନୁଦାନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବନବାସୀ ସନାତନ ଧର୍ମ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ଏକ ଲିଖିତ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମୟରେ ଦଳୀୟ କର୍ମୀ, ବ୍ଲକ ସଭାପତି ନରସିଂହ ବାଙ୍କା, ବଳରାମ ବାରିକ, ରଞ୍ଜିତ ପାଣିଗ୍ରାହୀ ଓ ଜିଲା କର୍ମକର୍ତ୍ତା ସ୍ବାଗତ ଜଣାଇଥିଲେ।


