ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ବୋଇତାଳୁ ତରକାରୀ ଦିଆଯାଉଥିବା ଅଭିଯୋଗ ହୋଇଛି । ଛାତ୍ରୀଛାତ୍ରମାନେ ଏହାକୁ ପ୍ରତିବାଦ କରିବାରୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ମାନିନୀ ସେଠୀ ପିଲାଙ୍କୁ ଆକ୍ରୋଶ ରଖି ଗାଳି ଗୁଳଜ କରି ଶୌଚାଳୟ ସଫେଇ କାର୍ଯ୍ୟ କରାଉଛନ୍ତି ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି। ତୁରନ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ଦାବି କରି ଅଭିଭାବକ, ଛାତ୍ରୀଛାତ୍ର ଅଭିଯୋଗ କରି ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପାଟଣା ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାତ ପହଞ୍ଚି ଅଭିଭାବକ ଓ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା କରିବା ସହ ଏକ ସପ୍ତାହ ମଧ୍ୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ଓ ଛାତ୍ରୀଛାତ୍ର ଧାରଣାରୁ ଉଠିଛନ୍ତି।


