ମୋରଡ଼ା,୯ା୧୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ସରାଶୋଳ ଗ୍ରାମର କାର୍ଯ୍ୟରତ ଖବରଦାତାଙ୍କୁ ମାଡ଼ ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ସରାଶୋଳ ଗ୍ରାମର କାର୍ଯ୍ୟରତ ଖବରଦାତା ଚିତ୍ତରଞ୍ଜନ ବେହେରା ନଭେମ୍ବର ୬ ତାରିଖ ପୂର୍ବାହ୍ନ ୧୧ଟାରେ ରାସଗୋବିନ୍ଦପୁର ଥାନା ଅଧୀନ ଭଦୁଆଶୋଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗ୍ରାମକୁ ହାତୀ ଉପଦ୍ରର ଖବର ସଂଗ୍ରହ କରିବାକୁ ଯାଇଥିଲେ। ସେ ସମୟରେ ଉକ୍ତ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରର କୁନି କୁନି ପିଲା ବିପଦସଙ୍କୁଳ ଅବସ୍ଥାରେ ସ୍ଥାନୀୟ ଏକ ବିଲ ମଝିରେ ଥିବା ଦେଖିଥିଲେ। ଏହାର ଭିଡିଓ ଚିତ୍ତରଞ୍ଜନ ଉତ୍ତୋଳନ କରିଥିଲେ। ଅଙ୍ଗନଓ୍ବାଡିକୁ ଯାଇ ସେଠାରେ ମଧ୍ୟ ଏକ ବିରୁଡି ବସା ବାନ୍ଧି ଥିବାରୁ ଏହା ପିଲାଙ୍କ ପ୍ରତି ବିପଦ ବୋଲି ଅଙ୍ଗନଓ୍ବାଡି କର୍ମୀଙ୍କୁ କହିଥିଲେ। ଅଙ୍ଗନଓ୍ବାଡି କର୍ମୀ ଜଣକ ତାଙ୍କର ପୁଅ ଉତ୍କଳ କେଶରୀ ପାଲଙ୍କୁ ଫୋନ ଯୋଗେ ଘଟଣା ବାବଦରେ ଜଣାଇଥିଲେ। ଉତ୍କଳ କେଶରୀ ପହଞ୍ଚତ୍ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ। ଭବିଷ୍ୟତରେ ରାସଗୋବିନ୍ଦପୁର ଅଞ୍ଚଳକୁ ଆସିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ଉତ୍କଳଙ୍କ ସହିତ ଆସିଥିବା ଜଣେ ସହଯୋଗୀ ଉକ୍ତ ଘଟଣାର ଭିଡିଓ ଉତ୍ତୋଳନ କରି ଏହାକୁ ଭାଇରାଲ ମଧ୍ୟ କରିଛନ୍ତି। ଯାହା ଫଳରେ ଚିତ୍ତରଞ୍ଜନଙ୍କ ମାନସିକ ଆଘାତ ଲାଗିଥିବା ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ.୪୪୨/୨୫) ରୁଜୁ କରି ତଦନ୍ତ କରୁଛି।


