ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ରହୁଥିବା ବିଇଏମ୍ସିର ୯ ନଂ ଓ୍ବାର୍ଡର କର୍ପୋରେଟର ସନ୍ତୋଷ କୁମାର ସେଠୀଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଏଥିରେ ସେ ଓ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋମାମାଡ଼ର ଶବ୍ଦ ଶୁଣି ଘରେ ଥିବା ତାଙ୍କ ପରିବାର ଭୟଭୀତ ହୋଇ ରାତି ସାରା ରହିଥିଲେ। ଅଞ୍ଚଳର ଜଣେ ଜନପ୍ରତିନିଧିଙ୍କ ଘର ଉପରକୁ ହୋଇଥିବା ବୋମାମାଡ଼ ଘଟଣା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫୋଟା ବୋମାର ଟୁକୁଡ଼ା ଓ ଘର ସମ୍ମୁଖ ଭାଗ କାନ୍ଥ ଏବଂ ଝରକା ଭାଙ୍ଗି ଯାଇଥିବା ଜବତ କରିଛି।
କର୍ପୋରେଟରଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ କରୁଛି। ତିନି ଜଣ ଯୁବକ ବୋମାମାଡ଼ କରିଥିବା ବେଳେ ଜଣଙ୍କୁ ପୋଲିସ ରାତିରେ କାବୁ କରିଛି। ତଦନ୍ତରେ ବାଧାପ୍ରାପ୍ତ ଦୃଷ୍ଟିରୁ ଅଟକ ଯୁବକଙ୍କ ପରିଚୟ ଦେବାକୁ ମନା କରିଛି। ପ୍ରାଥମିକ ତଦନ୍ତରୁ ପୂର୍ବଶତ୍ରୁତାରୁ ଏହି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅପରାଧୀମାନେ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଘଟଣାରୁ ପ୍ରକାଶ ଯେ, ଗୁରୁବାର ରାତିରୁ ଉକ୍ତ କର୍ପୋରେଟରଙ୍କ ଘରେ ସମସ୍ତେ କୌଣସି ବିଷୟରେ ଆଲୋଚନା କରିଥିଲେ। ସେହି ସମୟରେ ହଠାତ୍ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ୩ ଜଣ ଯୁବକ ବାଇକ୍ରେ ଆସି ତାଙ୍କ ଘରକୁ ବୋମାମାଡ଼ କରିଥିବା ଦୃଶ୍ୟ ସେ ଘରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜ୍ରୁ ଦେଖିବାକୁ ପାଇଥିଲେ। ସେ ଏନେଇ ଥାନାଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ।


