ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ବର୍ଜ୍ୟ ସମସ୍ୟାର ସମାଧାନ ଲାଗି ଡ. ଶାନ୍ତି ଚାକିରି ଛାଡ଼ି ପ୍ରଥମେ ଘରକୁ ଘର ବୁଲି କିଭଳି ତରଳ, କଠିନ ଏବଂ ବିପଜ୍ଜନକ ବର୍ଜ୍ୟର ପୃଥକୀକରଣ ହେବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ କେହି ସମର୍ଥନ କରୁ ନ ଥିଲେ। ପରେ ସେ ଏଚ୍ସିଆର ଫୋରମ୍ ଗଠନ କରି ତା’ ମାଧ୍ୟମରେ ୧ ଲକ୍ଷରୁ ଅଧିକ ବେଙ୍ଗାଲୁରୁବାସୀଙ୍କୁ ବର୍ଜ୍ୟ ପୃଥକୀକରଣ ସମ୍ପର୍କରେ ସଚେତନ କରିପାରିଛନ୍ତି। କେବଳ ଏତିକି ନୁହେଁ, ବର୍ଜ୍ୟରୁ ଖତ ପ୍ରସ୍ତୁତ କରିବାର ଉପାୟ ମଧ୍ୟ ଲୋକଙ୍କୁ ଶିଖାଉଛନ୍ତି। ଡ. ଶାନ୍ତି ଏଥିପାଇଁ କମ୍ପୋଷ୍ଟ ଲର୍ନିଂ ସେଣ୍ଟର ପ୍ରତିଷ୍ଠା କରିଛନ୍ତି। ଡ. ଶାନ୍ତି ଚାକିରି କରିଥିବା ସମୟରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ ଠିଆହୋଇ କିଛି ଜିନିଷ ଖୋଜୁଥିବା ଦୃଶ୍ୟ ଦେଖିବାକୁ ପାଇଥିଲେ। ସେହି ମହିଳା ଅଦରକାରୀ ଜିନିଷ ବିକି ଚଳୁଥିବା ତାଙ୍କଠାରୁ ଜାଣିଲେ। ବେଙ୍ଗାଲୁରୁରେ ଥିବା ଅନେକ ଅଳିଆଗଦା ସଂସ୍ପର୍ଶରେ ଆସୁଥିବା ଏଭଳି ବହୁ ବ୍ୟକ୍ତିଙ୍କ ଜୀବନ ଦୁର୍ବିଷହ ହୋଇଯାଉଥିବା ଜାଣିବା ପରେ ସେ ବର୍ଜ୍ୟ ପରିଚାଳନା ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲେ।

