ନୂଆଦିଲ୍ଲୀ,୮ା୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ହନି ଟ୍ରାପ୍, ଆଇନଗତ ଦାୟିତ୍ୱ ଓ ସୁରକ୍ଷାଗତ ବିପଦ ସମ୍ଭାବନା ଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଚେତାବନୀ ଦିଆଯାଇଛି। ବୋର୍ଡର ଦୁର୍ନୀତି ନିବାରଣ ୟୁନିଟ୍ ଦ୍ୱାରା ପ୍ରୋଟୋକଲ ଉଲ୍ଲଂଘନ ଏବଂ ଦୁର୍ବ୍ୟବହାରଜନିତ କେତେକ ଘଟଣା ଜଣାପଡ଼ିବା ପରେ ବିସିସିଆଇ ଆଇପିଏଲ୍ରେ ଖେଳାଳି, ସହାୟକ କର୍ମଚାରୀ ଏବଂ ଟିମ୍ ଅଫିସିଆଲମାନଙ୍କ ପ୍ରକୋଷ୍ଠକୁ ଅନଧିକୃତ ପରିିଦର୍ଶକଙ୍କୁ ନିଷିଦ୍ଧ କରିଛି।
୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ନିକଟକୁ ପଠାଇଯାଇଥିବା ଏକ ବିସ୍ତୃତ ନିର୍ଦ୍ଦେଶାବଳୀରେ ବିସିସିଆଇ କହିଛି ଯେ, ଖେଳାଳି ଓ ଅଫିସିଆଲମାନଙ୍କ କୋଠରୀରେ ଅତିଥିମାନଙ୍କ ପ୍ରବେଶ ଲାଗି ପରିଚାଳକଙ୍କଠାରୁ ଲିଖିତ ଅନୁମତି ଆଣିବା ଜରୁରୀ ବୋଲି ଦର୍ଶାଯାଇଛି। ଚଳିତ ସିଜନରେ ଦେଖାଦେଇଥିବା କିଛି ଘଟଣା ଦୃଷ୍ଟିରୁ ଏହି ପରାମର୍ଶ ଜାରି କରାଯାଇ ଥିବା ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ପ୍ରକାଶ କରିଛନ୍ତି।

