ଓ୍ବାର୍ସ,୮ା୫: ବିଶ୍ୱ ଚାମ୍ପିୟନ ଡି. ଗୁକେଶ ଏଠାରେ ଚାଲିଥିବା ସୁପର ରାପିଡ ଓ ବ୍ଲିଜ୍ ଟୁର୍ନାମେଣ୍ଟର ରାପିଡ୍ ପ୍ରତିଯୋଗିତାର ୯ମ ତଥା ଫାଇନାଲ ରାଉଣ୍ଡରେ ଆମେରିକୀୟ ଗ୍ରାଣ୍ଡମାଷ୍ଟର ଫାବିଆନୋ କାରୁଆନାଙ୍କୁ ହରାଇ ଦେଇଛନ୍ତି। ଏହି ବିଜୟ ଦ୍ୱାରା ଗତ କିଛି ମାସ ହେଲା ସଂଘର୍ଷ ଚଳାଇଥିବା ଗୁକେଶ ଫର୍ମକୁ ଫେରିଛନ୍ତି। ରାପିଡ୍ ପରେ ବ୍ଲିଜ ବିଭାଗରେ ଆହୁରି ୧୮ ରାଉଣ୍ଡ ଖେଳ ବାକି ରହିଥିବା ବେଳେ ଭାରତୀୟ ଖେଳାଳି ମିଳିତ ୪ର୍ଥ ସ୍ଥାନରେ ଅଛନ୍ତି। ୧୯ ବର୍ଷୀୟ ଗୁକେଶ ରାପିଡ ବିଭାଗର ଅନ୍ତିମ ଦିବସରେ ଫ୍ରେଞ୍ଚ ଗ୍ରାଣ୍ଡମାଷ୍ଟର ମାକ୍ସିମି ଭାଚିର-ଲାଗ୍ରେଭ ବିପକ୍ଷ ଗେମ୍ ପରାଜୟ ସହ ଆରମ୍ଭ କରିଥିଲେ। ପରେ ଫାଇନାଲ ରାଉଣ୍ଡ ପୂର୍ବରୁ ସେ ସ୍ଲୋଭେନିଆର ଭ୍ଲାଡିମିର ଫେଡୋସିଭଙ୍କ ବିପକ୍ଷ ଗେମକୁ ଡ୍ର’ ରଖିଥିଲେ।
ଓ୍ବାଇଲ୍ଡ କାର୍ଡ ଆମେରିକାନ ହାନ୍ସ ମୋକ୍ ନିମାନ ସମସ୍ତ କଳ୍ପନାଜଳ୍ପନାକୁ ଏଡାଇ ମୋଟ ୧୩ ପଏଣ୍ଟ ସହ ଏହି ବିଭାଗର ବିଜେତା ହୋଇଥିଲେ। ନିମାନ ନିଜ ଦେଶର ଓ୍ବେସ୍ଲି ସୋଙ୍କୁ ୧ ପଏଣ୍ଟରେ ପଛରେ ପକାଇ ଦେଇଥିଲେ, ଯିଏକି ୧୧ ପଏଣ୍ଟ ଅର୍ଜନ କରିଥିବା ଫେଡୋସିଭଙ୍କ ଆଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଗୁକେଶ, କାରୁଆନା ଓ ପୋଲାଣ୍ଡର ଡୁଡା ଜାନ୍ କ୍ରିଜିଷ୍ଟଜଫ୍ ପ୍ରତ୍ୟେକ ୯ ପଏଣ୍ଟ ସହ ମିଳିତ ୪ର୍ଥ ସ୍ଥାନରେ ରହିଥିଲେ। ବ୍ଲିଜ ପ୍ରତିଯୋଗିତା ଆରମ୍ଭ ହେବାମାତ୍ରେ ୬ଜଣ ଖେଳାଳିଙ୍କ ମଧ୍ୟରେ ଲଢେଇ ହେବ।

