କୁଜଙ୍ଗ,୨୫।୭(ମନୋଜ ପ୍ରଧାନ): ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଗର୍ଭବତୀ କରିବା ସହ ହତ୍ୟା ଧମକ ଦିଆଯାଇଛି। ଏହି ଅଭିଯୋଗରେ ଉକ୍ତ ଅଞ୍ଚଳର ୨ ଭାଇଙ୍କୁ ପୋଲିସ ଗୁରୁବାର ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଏନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୨୭୨/୨୫) ରୁଜୁ କରିଛି। ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବା ସହ ଚିକିତ୍ସା ଚାଲିଛି। ଅଭିଯୋଗ ଅନୁଯାୟୀ, ଝିଅ ସହ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୨ ପୁଅ ପ୍ରାୟ ଏକ ବର୍ଷ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ପୀଡ଼ିତା ୬ ମାସର ଗର୍ଭବତୀ ହୋଇଛନ୍ତି। ଏବିଷୟରେ ଜଣାପଡ଼ିବା ପରେ ଅଭିଯୁକ୍ତ ୨ ଭାଇ ଓ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ବାପାଙ୍କୁ ଘଟଣା ପ୍ରଘଟ ନ କରିବା ପାଇଁ ଟଙ୍କା ଯାଚିଥିଲେ। ମାତ୍ର ସେ ରାଜି ନ ହେବାରୁ ଉଭୟ ବାପା ଓ ଝିଅଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। କୁଜଙ୍ଗ ଥାନା ସବ୍ଇନ୍ସପେକ୍ଟର ରଶ୍ମିରଞ୍ଜନ ସାହୁ ତଦନ୍ତକାରୀ ଅଧିକାରୀ ଥିବାବେଳେ ଘଟଣାର ଗୁରୁତ୍ୱକୁ ନେଇ ତିର୍ତ୍ତୋଲ ଏସ୍ଡିପିଓ ତଦନ୍ତ କରୁଥିବା ଜଣାପଡ଼ିଛି।


