ଖଜୁରିପଡ଼ା,୧୦ା୭ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟି ଜଙ୍ଗଲରୁ ପୋଲିସ ଗୁରୁବାର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ଗୋଚ୍ଛାପଡ଼ା ଥାନା ନେଡିପଦର ଗାଁର ତପନ ରଣା (୨୧)। ଏନେଇ ଖଜୁରିପଡ଼ା ଥାନା ପୋଲିସ ନଂ. ୮/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତପନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭାଇ ବିଦ୍ୟାଧର ରଣା ଖଜୁରିପଡ଼ା ଥାନାରେ ଏତଲା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୪ ତାରିଖ ଦିନ ସମ୍ପର୍କୀୟଙ୍କ ବାଇକ ଧରି କଟ୍ରିଙ୍ଗିଆ ଯାଉଛି କହି ଘରୁ ଯିବା ପରେ ଆଉ ଘରକୁ ଫେରିନଥିଲେ। ୬ ତାରିଖରେ ତପନଙ୍କ କେତେଜଣ ସାଙ୍ଗ ଖଜୁରିପଡ଼ା ଥାନା ଅଞ୍ଚଳ ଗୁଦାରି ନିକଟରେ ଏକ ଦୁର୍ଘଟଣା ଘଟିଥିବା କହିଥିଲେ। ପରିବାର ଲୋକେ ଉକ୍ତ ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ ତପନଙ୍କ କୌଣସି ପତ୍ତା ପାଇନଥିଲେ। ପରେ ଫୁଲବାଣୀର ବିଭିନ୍ନ ଅଞ୍ଚଳ ସହ ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ଘରେ ମଧ୍ୟ ପଚାରିଥିଲେ କିଛି ସୁରାକ ପାଇ ନଥିଲେ। ତପନ ନିଖୋଜ ଥିବା ନେଇ ପରିବାର ଲୋକେ ଗୋଚ୍ଛାପଡ଼ା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ନଂ. ୮/୨୫ରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗୁରୁବାର ତପନଙ୍କ ମୃତଦେହ ଗୁଦାରି ପଞ୍ଚାୟତ ଭାଲୁକୁଟି ଜଙ୍ଗଲରୁ ଠାବ ହୋଇଥିଲା ବୋଲି ପୋଲିସ କହିଛି।


