ବ୍ରହ୍ମପୁର,୨୮।୬(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଦୌରା ଜଜ ଡ. ଭାଗ୍ୟଲଷ୍ମୀ ରଥ ଶନିବାର ଏକ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ହତ୍ୟାକାରୀଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ପାଇଁ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତି ହେଲେ ହଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗ୍ରାମର ସୀମା ମହାରଣା(୩୫)। ଅଭିଯୁକ୍ତଙ୍କୁ ୩୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୨ଅକ୍ଟୋବର ୯ ତାରିଖରେ ସଚିନ ମହାରଣାଙ୍କୁ ସୀମା ତାଙ୍କ ଘରୁ ଡାକି ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସଚିନ ଘରକୁ ଫେରି ନ ଥିଲେ। ଘର ଲୋକ ସୀମାକୁ ପଚାରିବାରୁ ସେ କିଛି ଜାଣି ନ ଥିବା କହିଥିଲେ। ଘଟଣାର ଦୁଇଦିନ ପରେ ସଦର ଥାନା ନଳିହାଡ଼ ଗ୍ରାମ ପୋଖରୀରେ ଭାସୁଥିବା ଯୁବକଙ୍କ ମୃତଦେହ ପୋଲିସ ଜବତ କରିଥିଲା। ଯୁବକଙ୍କ ପରିଚୟ ମିଳ ିନ ଥିଲା। ଖବର ପାଇ ସଚିନଙ୍କ ମା’ପରିବାର ଲୋକ ସଦର ପୋଲିସ ଉପସ୍ଥିତିରେ ମୃତଦେହ ଚିହ୍ନଟ କରିଥିଲେ। ପରେ ପୋଲିସ ସୀମା ମହାରଣାଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେ ସଚିନଙ୍କୁ ନଳିହାଡ଼ ଗ୍ରାମରେ ଥିବା ପୋଖରୀରେ ଠେଲି ହତ୍ୟା କରିଥିବା ସ୍ବୀକାର କରିଥିଲେ।
ପୋଲିସ ମାମଲା ନଂ ୫୬୪/୨୨ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। କିଛି ମାସ ପରେ ସୀମା ମହାରଣାଙ୍କୁ ଜାମିନ ମିଳିଥିଲା। ମାମଲାର ବିଚାରଣା ବେଳେ୧୯ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ମକଦ୍ଦମା ପରିଚାଳନା କରିଥିଲେ।


