Posted inଫୁରସତ

ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ

ସାରେ ଅଫିସରୁ ଥକା ଥକା ପତି ଘରକୁ ଫେରି ଦେଖିଲେ ପତ୍ନୀ ମୁହଁ ଫୁଲେଇ ବସିଛନ୍ତି । ପତିଙ୍କ ମୁଣ୍ଡରେ ଅନେକ ଆତଙ୍କର ଭାବନା ଏକ ସମୟରେ ଖେଳିଗଲା। କ’ଣ ଆଜି କାମବାଲୀ ମାଉସୀ ଦୁଇତିନି ଦିନ ଛୁଟି ମାଗିଛନ୍ତି କି? ପଡ଼ିଶା ଘର ଭାଉଜ ନୂଆ ଶାଢ଼ି କି ଲାଟେଷ୍ଟ ଡିଜାଇନର ଗହଣା କିଣି ଘରମଣିଙ୍କୁ ଦେଖେଇଛନ୍ତି କି ? କିଏ କିଛି କହି ଘରେ ନିଆଁ ଜାଳିବାକୁ ଉହ୍ମେଇ ସଜେଇ ଯାଇଛି କି ? କାରଣ ପତିଦେବ ଜାଣନ୍ତି ଯେଉଁଠି ଘଟୁ ଯାହା ବି ଘଟୁ ସେ ସବୁ ବୁଲି ବୁଲି ଆସି ତାଙ୍କରି ପାଖରେ ସରେ। ତାଙ୍କୁ ହିଁ ଚାଳିଶ କି ଷାଠିଏ ନୁହେଁ ଶହେ ପ୍ରତିଶତ ଦୋଷୀ ହେବାକୁ ପଡ଼େ ।

ଅତ୍ୟନ୍ତ ସନ୍ତର୍ପଣରେ ପତ୍ନୀଙ୍କ ପାଖକୁ ଆସି ଧୀରେ ପଚାରିଲେ, କ’ଣ ହେଲା ? ଏମିତି କାହିଁକି ମୁହଁ ଫୁଲେଇ ବସିଛ ? ଅଫିସରୁ ଫେରି ତୁମ ହସ ହସ ମୁହଁ ଦେଖିଲେ ମୋତେ ଭାରି ଭଲ ଲାଗେ । ମୋ ମେହେନତି ଦିନଟି ପୂରିଗଲା ଭଳି ଲାଗେ । ତୁମେ ନିଜେ ଜାଣନି ତୁମେ ହସିଲେ କେଡ଼େ ଭଲ ଦିଶ । ଆଉ ଅଧିକ ନାଟକ କି ଫିଲ୍ମ ଡାଏଲଗ ମନେ ପକେଇ ପକେଇ କହିଲା ବେଳକୁ ପତିଙ୍କ କଥା ମଝିରୁ ଅଟକେଇ ପତ୍ନୀ ମୁହଁ ଛିଞ୍ଚାଡି କହିଲେ, ନିଆଁ ଲାଗୁ ମୋ ହସକୁ , ମୋ ମୁହଁକୁ । ତୁମେ ଭାବୁଛ କି ତୁମ କପଟ ମୋତେ ଅଜଣା ? ତୁମେ ମୋତେ ଆଦୌ ଭଲ ପାଅନି।

ଚୋର ମନ ଚୋର ଗଣ୍ଠିଲିରେ । କେଉଁ ସିକ୍ରେଟ ଷ୍ଟୋରି ଗୃହିଣୀ ଜାଣିଦେଲେ ତାଙ୍କର !

– ‘କାହିଁକି ? କ’ଣ ଭୁଲ କରିଦେଲି କି?’ ପତି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

– ଆଚ୍ଛା କୁହ ତ ଶାଢ଼ିରେ ମୁଁ ଭଲ ଦିଶେ ବୋଲି ସବୁବେଳେ କୁହ କି ନାହିଁ ?

– ହଁ ତୁମେ ଶାଢ଼ିରେ, ଡ୍ରେସ୍‌ରେ ସବୁଥିରେ ଭଲ ଦିଶ ।

– ତେବେ ତୁମେ ଆଜି କାହିଁକି ଶାଢ଼ିପିନ୍ଧି ଉଠେଇଥିବା ମୋ ପ୍ରୋଫାଇଲ ଫଟୋରେ କମେଣ୍ଟ ଦେଇନ ? କମେଣ୍ଟ ନ ଦେଲ ନାହିଁ ହେଲେ ଲଭ୍‌ ଚିହ୍ନଟେ ଦେବାକୁ କ’ଣ ହାତ ଅଚଳ ହୋଇଗଲା ? ଆଜିକା ଦିନରେ ଚାମେଲି ଭାଉଜଙ୍କୁ , ମୋ ସାଙ୍ଗ ସିନିକୁ, ତୁମ କଲେଜ ଦିନର ଝିଅ ସାଙ୍ଗମାନଙ୍କୁ ତ କେଡ଼େ କେଡ଼େ ଲମ୍ବା କମେଣ୍ଟ ନାଛି ଦେଉଛ, ମୋ ବେଳକୁ ତୁମ ହାତ କେମିତି ଅଟକି ଯାଏ କେଜାଣି !

– ଆରେ, ଅଫିସରେ ଟିକେ ବ୍ୟସ୍ତ ଥିଲି । ତୁମ ପାଇଁ ସ୍ପେଶାଲ କିଛି ଲେଖିବି ବୋଲି ଭାବୁଥିଲି । ପତି ଟିକେ ଗେହ୍ଲେଇ ହୋଇ କହିଲେ ।

– ରଖ ମ ସେ ସୁଆଗ । ପୋଡ଼ାମୁହିଁମାନେ ପ୍ରୋଫାଇଲ ଫଟୋ ଚେଞ୍ଜ କରୁ କରୁ ପରା ତୁମ ଆଖି ସେଥିରେ ଲାଖିଥାଏ । ମୋ ବେଳକୁ ଅଫିସ କାମ । ମୋ ଭାଗ୍ୟ ସେମିତି । ତୁମକୁ କହିବା ଯାହା କାନ୍ଥ ପଥରକୁ କହିବା ସେଇଆ । ଛାଡ଼ !
ପତି ବିରକ୍ତ ହୋଇ କହିଲେ, ତୁମେ ଯଦି ସପ୍ତାହକୁ ସାତ ଥର ପ୍ରୋଫାଇଲ ଫଟୋ ଚେଞ୍ଜ କରିବ କାହାର କାମଧନ୍ଦା ନାହିଁ ବସିକି ତୁମ ପ୍ରୋଫାଇଲ ଫଟୋରେ କମେଣ୍ଟ ଦେଉଥିବ !

— ଆଚ୍ଛା, ସ୍ତ୍ରୀର ଖୁସି ପାଇଁ ତା’ ପ୍ରୋଫାଇଲ ଫଟୋରେ କମେଣ୍ଟ ଦେଲାବେଳକୁ କାମ ଧନ୍ଦା ମାଡିବସୁଛି । ବାହାବେଦିରେ ଅଗ୍ନି ଆଗରେ ତୁମେ ଶପଥ କରିଥିଲ ଟି ସ୍ତ୍ରୀକୁ ସବୁ ଖୁସି ଦେବାକୁ ?

— ଏଇଥିପାଇଁ ସମସ୍ତେ ଅଗ୍ନି ପାଖରେ ଶପଥ କରନ୍ତି କାରଣ ସେ ସବୁ ଶପଥକୁ ପୋଡି ଭସ୍ମ କରିବା ପାଇଁ ଅଗ୍ନି ଖୋଜିବାରେ ଯେମିତି ଅଯଥା ସମୟ ନଷ୍ଟ ନ ହୁଏ । ହୋମରେ ଜଳୁଥିବା ଅଗ୍ନି ଠିକ୍‌ ଜାଣିଛି ବେଦିରେ ବସିଥିବା ପୁଅ ଯେଉଁ ‘ଅଗ୍ନି’ର ହାତ ଧରି ଘରକୁ ନେଉଛି ତା ଜ୍ୱଳନ ଶକ୍ତି ଆଗରେ ସେ କିଛି ନୁହେଁ । ଆଉ ଏ ବାହାଘରର ପ୍ରତିଶ୍ରୁତି କଥା ଏବେ କାହିଁକି ଉଠୁଛି ଟିକେ ଶୁଣେ ତ ? ସେତେବେଳେ କେଉଁ ଫେସ୍‌ ବୁକ୍‌ ଥିଲା ନା ତୁମର ଏଇ ଡ୍ରିମ୍‌ୱାର୍ଲଡରେ ତୁମର ଯାବତୀୟ ପୋଷ୍ଟ ଉପରେ ମୁଁ ସୁନ୍ଦରିଆ କମେଣ୍ଟ କରିବି ବୋଲି ଅଗ୍ନି ଆଗରେ ଶପଥ ନେଇଥିଲି ?

— ହଉ ହେଲା ମୁଁ ପ୍ରୋଫାଇଲ ଫଟୋ ଚେଞ୍ଜ କରି ମସ୍ତବଡ଼ ଭୁଲ୍‌ କରିଛି । ହେଲେ ତୁମେ ଯଦି ସେଥିରେ ଗୋଟେ ଭଲ କମେଣ୍ଟ ଲେଖିଦେଇଥା’ନ୍ତ କ’ଣ ତୁମ ହାତ ଛିଣ୍ଡି ଯାଉଥିଲା । ମୋ ପ୍ରୋଫାଇଲ ଫଟୋ ଦେଖି କମେଣ୍ଟ କରିବାକୁ କ’ଣ ଲୋକ କମ୍‌ ଅଛନ୍ତି କି? ଗୋଟିଏ କମେଣ୍ଟ ଅଧିକ ହୋଇଥା’ନ୍ତା ବୋଲି ତୁମକୁ କହିବା କଥା ନଚେତ ତୁମ କମେଣ୍ଟକୁ କିଏ ପଚାରେ? ପତି ଏବେ ନରମି ଯାଇ କହିଲେ, ମୁଁ ଆଜି ଲଞ୍ଚ ଟାଇମ୍‌ରେ ତୁମ ନୂଆ ପ୍ରୋଫାଇଲ ଫଟୋ ଦେଖିଥିଲି ।
ଘରକୁ ଗଲେ ଭାବି ଭାବି ଗୋଟେ ସୁନ୍ଦରିଆ କମେଣ୍ଟ ଲେଖିବି ବୋଲି ଅପେକ୍ଷା କରିଥିଲି । ଯାହା କୁହ ଆଜିର ଏ ପ୍ରୋଫାଇଲ ଫଟୋ ଝକାସ୍‌ ହେଇଛି ।

— ଥାଉ ବେଶି ଭାବି ଭାବି ମୁଣ୍ଡକୁ ପ୍ରେସର୍‌ ଦେବା ଆଉ ଦରକାର ନାହିଁ । ସାରେ ସେ ଫଟୋ ଚେଞ୍ଜ କରିସାରିଲିଣି । ଏବେ ଆଉ ଗୋଟେ ନୂଆ ପ୍ରୋଫାଇଲ ଫଟୋ ଦେଇଛି । ସେଇଟାକୁ ଦେଖି ଏବେ ଭଲରେ ଲେଖ ।
— କ’ଣ ହେଲା? ଖରାବେଳ ଫଟୋ ସାକୁ ନାହିଁ ! ସେଇଟା ବି ଚେଞ୍ଜ ହେଇଗଲାଣି ? ଲୋକ ତାଙ୍କ ଅନ୍ତଃବସ୍ତ୍ର ସେତିକିଥର ବଦଳଉ ନ ଥିବେ ଯେତେଥର ତୁମ ପ୍ରୋଫାଇଲ ଫଟୋ ବଦଳୁଛି ! ଘରେ ବସି ବସି ଭଲ ଧନ୍ଦାଟିଏ ପାଇଛ ଯାହା ।
ହଠାତ ସ୍ତ୍ରୀ ଖୁସିରେ ଚିଲେଇଲା ଭଳି କହିଲେ, ହେଇ ଦେଖୁଛ ତୁମ ଡାଇରେକ୍ଟର କେତେ ପ୍ରଶଂସା ଅଜାଡ଼ି ଦେଇଛନ୍ତି ମୋ ଫଟୋରେ । ଯାହା କୁହ ଲୋକଜଣଙ୍କ ଖୁବ୍‌ ରୋମାଣ୍ଟିକ । ଇମ୍ପ୍ରେସ କେମିତି କରାଯାଏ ତାଙ୍କୁ ଭଲଭାବେ ଜଣା । ପେଟ ଭିତରୁ ଶୁଦ୍ଧ ଅଶୁଦ୍ଧ ଗାଳି ଡାଇରେକ୍ଟର ସାର୍‌ଙ୍କ ଉଦ୍ଦେଶ୍ୟରେ ବାହାରୁ ବାହାରୁ ବିକଳ ହୋଇ ପତିଦେବ କହିଲେ, ଚା ଟିକେ ମିଳୁ । ମୁଣ୍ଡଟା ଖୁବ୍‌ ବିନ୍ଧୁଛି ।

— ଟିକେ ଅପେକ୍ଷା କର । ମୁଁ ଆଗ ଆସିଥିବା କମେଣ୍ଟରେ ରିପ୍ଲାଏ ଦେଇସାରେ।
ବିଚରା ପତି ମୁଣ୍ଡରେ ଅମୃତାଞ୍ଜନ ଘଷୁ ଘଷୁ ଦେଖୁଥିଲେ ପତ୍ନୀ ତାଙ୍କ ନୂଆ ପ୍ରୋଫାଇଲ ଫଟୋରେ ଆସିଥିବା ସବୁ ବିଉଟିଫୁଲ୍‌ କମେଣ୍ଟର ରିପ୍ଲାଏରେ ଲଭ ଚିହ୍ନ ମାରୁଛନ୍ତି । – ବନମାଳୀ ଭବନ, ଖାନ୍‌ନଗର, କଟକ

ମୋ: ୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri